ଶିକ୍ଷାବର୍ଷକୁ ୬ ମାସ ବିତିବାକୁ ବସିଲା: ସରକାରଙ୍କ ମାଗଣା ପୋଷାକ ପାଇବାରୁ ବଞ୍ଚିତ ବିଦ୍ୟାର୍ଥୀ
ହାଟଡିହି,(ଓ୍ବାଇଏନଏସ): ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ ସରକାର ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମାଳ ମାଳ ଯୋଜନା କାର୍ଯ୍ୟକାରୀ କରିଚାଲିଛନ୍ତି । ପୋଷାକ, ଜୋତା, ବହି ଭଳି ଅନେକ ଯୋଜନା। ଚଳିତ ୨୦୨୫-୨୬ ଶିକ୍ଷାବର୍ଷକୁ ୬ମାସ ବିତିବାକୁ ବସିଥିଲେ ମଧ୍ଯ ହାଟଡିହି ବ୍ଲକ ଅଞ୍ଚଳର ହଜାର ହଜାର ବିଦ୍ୟାର୍ଥୀ ସରକାରଙ୍କ ମାଗଣା ପୋଷାକ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଦେଖାଦେଇଥିବା ଏପରି ଅବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିଲା ବେଳେ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହାଟଡିହି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୨୧ଟି କ୍ଲଷ୍ଟରର ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକୁ ୟୁନିଫର୍ମ ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି। ଏଥିପାଇଁ ବିଭିନ୍ନ ମହିଳା ଗୋଷ୍ଠୀ ଓ ପୋଷାକ ଯୋଗାଣକାରୀ ସଂସ୍ଥା ଚୟନ କରାଯାଇ ଜିଲ୍ଲା କାର୍ଯ୍ୟାଳୟକୁ ଅପ୍ରୁଭ ପାଇଁ ପଠାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଣକାରୀ ସଂସ୍ଥାଙ୍କ ତାଲିକା ଆପ୍ରୁଭ୍ ହୋଇ ନ ଆସିବାରୁ ପୋଷାକ ବଣ୍ଟନ ନେଇ ଅନିଶ୍ଚିତତା ଦେଖା ଦେଇଛି। ସରକାର ସେପ୍ଟେମ୍ବର ୫ତାରିଖ ସୁଧା ସମସ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ମୂଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ତାହା କାର୍ଯ୍ୟକାରୀ ହୋଇ ପାରିଲାନି। ଏନେଇ ପ୍ରଶାସନର ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ହାଟଡିହି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୨୧ଟି କ୍ଲଷ୍ଟର ଅଞ୍ଚଳରେ ପ୍ରାୟ ୨୫୮ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀର ଅନ୍ୟୁନ ୧୮୫୪୯ ଛାତ୍ରଛାତ୍ରୀ ଓ ନବମ ଦଶମ ଶ୍ରେଣୀର ୪୯୬୦ହଜାର ବିଦ୍ୟାର୍ଥୀ ସରକାରଙ୍କ ମାଗଣା ପୋଷାକ ପାଇବାରୁ ବର୍ତ୍ତମାନ ସୁଦ୍ଧା ବଞ୍ଚିତ ହୋଇଆସୁଥିବା ଜଣାପଡିଛି। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ, ଅନୁସୂଚିତ ଜାତି ଓ ଜନଜାତି, ଦାରିଦ୍ର୍ୟ ସୀମାରେଖା ତଳେ ଓ ଉପରେ ଥିବା ସମସ୍ତ ବାଳକ, ବାଳିକା ଓ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି । ସେପ୍ଟେମ୍ବର ୫ସୁଧା ପୋଷାକ ଓ ଜୋତା ବଣ୍ଟନ ପ୍ରକ୍ରିୟା ଶେଷ କରିବାକୁ ଓସେପା ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀରେ ବିଳମ୍ବ ଯୋଗୁଁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ହାଟଡିହି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଅଧିକାଂଶ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀମାନେ ସରକାରଙ୍କ ମାଗଣା ପୋଷାକ ପାଇବାରୁ ବଞ୍ଚିତ ସଂକ୍ରାନ୍ତରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଅପ୍ରୁଭାଲ ଆସିବା ପରେ ଯାଇ ବିତରକ ସଂସ୍ଥା ସଂପୃକ୍ତ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ସହ ଚୁକ୍ତିନାମା କରିବା ପରେ ବଣ୍ଟନ ହେବାକଥା। କିନ୍ତୁ ଆଜି ପର୍ଯ୍ୟନ୍ତ ଅପ୍ରୁଭାଲ୍ ଆସି ନଥିବାରୁ ପୋଷାକ ବଣ୍ଟନ କ୍ଷେତ୍ରରେ ବିଳମ୍ବ ଘଟିପାରେ ବୋଲି କହିଛନ୍ତି।
ଏ ସମ୍ପର୍କରେ ହାଟଡିହି ବ୍ଲକର ବିଡ଼ିଓ ରଞ୍ଜନ କୁମାର ପରିଡ଼ାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ପୋଷାକର ରଙ୍ଗ ଓ ଗୁଣବତ୍ତାକୁ ନେଇ ସର୍ବାଧିକ ଗୁରୁତ୍ବ ଦିଆ ଯାଇଛି। ଛାତ୍ରଛାତ୍ରୀମାନଙ୍କୁ ଠିକ ମାପ ହିସାବରେ ୟୁନିଫର୍ମ ବଣ୍ଟନ କରାଯିବ, ଆମେ ଯୋଗଣକାରୀଙ୍କ ନାମ ଆପୃଭ ପାଇଁ ଦେଇଛୁ। ଆପୃଭ ହୋଇ ଆସିଲେ ଅତିଶୀଘ୍ର ଛାତ୍ର ଛାତ୍ରୀଙ୍କୁ ପୋଷାକ ବଣ୍ଟନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ହାଟଡିହି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ଅଧିକାଂଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସରକାରଙ୍କ ମାଗଣା ପୋଷାକ ପାଇବାରୁ ବଞ୍ଚିତ ହୋଇ ଗତବର୍ଷର ପୁରୁଣା ଚିରା ଫଟା ପୋଷାକ ପରିଧାନ କରି ନିଜ ନିଜ ବିଦ୍ୟାଳୟକୁ ଆସୁଥିବା ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ତଥା ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀମାନେ ଯେପରି ସରକାରଙ୍କ ମାଗଣା ପୋଷାକ ଅତିଶୀଘ୍ର ପାଇପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।