ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରଶିକ୍ଷଣ ଶିବିର
ବନ୍ତ,(ଚାନ୍ଦିନୀ ମହାନ୍ତି) : ଗୁରବାର ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ବୁଥ୍ ସ୍ତରୀୟ ପ୍ରତିନିଧି ମାନଙ୍କୁ ନେଇ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସୂଚୀସ୍ମିତା ବାରିକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ବିଡିଓ ସୀତାକାନ୍ତ ରାଉତ, ତହସିଲଦାର ସାରା ହେମ୍ବ୍ରମ୍ ଓ ପ୍ରଶିକ୍ଷକ ଭାବେ ଶ୍ରୀଧର ପଣ୍ଡା ଯୋଗଦେଇ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରିବା ସହ ପ୍ରତ୍ୟେକ ସାବାଳକ କିପରି ଭୋଟଦାନ ଅଧିକାରରୁ ବଞ୍ଚିତ ନହେବେ ସେନେଇ ପରାମର୍ଶ ଦେଇଥିଲେ। ସେହିପରି ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏସ୍ଆଇଆର୍ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ବୁଥ ସ୍ତରୀୟ ପ୍ରତିନିଧି ଓ ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ସହଯୋଗ ଅବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ଶିବିରରେ ବିଭିନ୍ନ ରାଜନୈତିକ ଦଳର ବୁଥ ସ୍ତରୀୟ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।


