ବାଲି ମାଫିଆଙ୍କ ଘରେ ସ୍ପେଶାଲ ସ୍କ୍ବାଡ୍‌ର ଚଢ଼ାଉ: ୧୧ ଗିରଫ, ୫୦ରୁ ଉର୍ଦ୍ଧ ଗାଡି ଜବତ

ହାଟଡିହି (ଓ୍ବାଇଏନଏସ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲି ମାଫିଆଙ୍କୁ ନିସ୍ତାର ନାହିଁ, ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରିବା ପରେ କେନ୍ଦୁଝର ଏସ୍‌.ପି ନୀତିନ କୁଶଲକର ଦାଗୁଡଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ପୋଲିସ ଏକାଧିକ ଟିମ୍‌ ଗଠନ କରି ଆନନ୍ଦପୁର ଉପଖଣ୍ଡର ୧୧ଟି ସ୍ଥାନ ଏବଂ ଘଟଗାଁ ଅଞ୍ଚଳର ଗୋଟିଏ ସ୍ଥାନ ଏହିପରି ମୋଟ୍‌ ୧୨ଟି ସ୍ଥାନରେ ବାଲି ବ୍ୟବସାୟୀଙ୍କ ଘରେ ଆଜି ସକାଳୁ ସକାଳୁ ଚଢ଼ାଉ କରିଛି। ଅତିରିକ୍ତ ଏସ୍‌ପି ସ୍ନେହାଶିଷ ସାହୁଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି। ଏସ୍‌.ପିଙ୍କ ସୂଚନାନୁସାରେ ୧୨ଟି ସ୍ଥାନରେ ବାଲି ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇଥିବା ବେଳେ ଅଦ୍ୟାବଧି ସନ୍ଧ୍ୟା ସୁଧା ୧୧ ଜଣଙ୍କୁ ଅଟକ ରଖାଯାଇଛି। ୫୦ରୁ ଉର୍ଦ୍ଧ୍ଵ  ହାଇଓ୍ବା, ଟ୍ରାକ୍ଟର, କାର, ବାଇକ ଆଦି  ଜବତ କରାଯାଇଥିବାବେଳେ ନଗଦ ୨୭ ଲକ୍ଷ ଟଙ୍କା, ୮୦ଟି ବ୍ୟାଙ୍କ ଏକାଉଣ୍ଟ ଏବଂ ବାଲି ଚାଲାଣ ସମ୍ବନ୍ଧୀୟ କାଗଜପତ୍ର ଜବତ ହୋଇଛି। ବିଶେଷକରି ଜାଲ ଟ୍ରାଞ୍ଜିଟ ପରମିଟ, ବାଲି ଘାଟ ଲିଜର ଜାଲି ଦସ୍ତାବିଜ ଆଦି ଜବଦ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏପରି ଚଢ଼ାଉ କରାଯାଇ ଥିବାବେଳେ ଚଢ଼ାଉ ସରିବା ପରେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଲୋକ ଲୋଚନକୁ ଅଣାଯିବ। ହାଟଡିହି ବ୍ଲକ ଆନନ୍ଦପୁର ଥାନା ବଞ୍ଚୋ ଛକରେ  ରତିକାନ୍ତ ରାଉତ, ନନ୍ଦିପଦା ଥାନା ଶାଳଣିଆଁ ଗ୍ରାମରେ ପଞ୍ଚାନନ ଖଣ୍ଡାୟୀଙ୍କ ପୁଅ ଗୁରୁବ୍ରତ ଖଣ୍ଡାୟୀଙ୍କ ଘରେ ଏଲକଣିଆ ଗ୍ରାମର ଯୋଗେନ୍ଦ୍ର ବେହେରା, ଜଳକଳାଙ୍ଗ ଗ୍ରାମର ସନ୍ତୋଷ ନାୟକ, ଆନନ୍ଦପୁର ଥାନା ତରତରାର ଦୀପ୍ତି ରଞ୍ଜନ ବାରିକଙ୍କ ସମେତ  ସମେତ ମୋଟ୍‌ ୧୨ ଜଣଙ୍କ ଘରେ ଚଢ଼ାଉ ଜାରିରହିଛି। ଆଗାମୀ ଦିନରେ ଏପରି ଚଢ଼ାଉ ଜାରି ରହିବା ସହିତ ମାଫିଆ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଅବୈଧ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ଦୀର୍ଘଦିନ ଧରି ଅଭିଯୋଗ ଆସୁଥିବାବେଳେ ପୋଲିସର ଏହି ପଦକ୍ଷେପ ପରେ ବାଲି ମାଫିଆଙ୍କ ମଧ୍ୟରେ ଛନକା ପଶିଥିବା  ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ