ନଭେମ୍ବରରେ କନ୍ଧମାଳରେ ରାଜ୍ୟସ୍ତରୀୟ ପ୍ରାକୃତିକ କୃଷି ସମ୍ମିଳନୀ

 କନ୍ଧମାଳ(ଓ୍ବାଇଏନଏସ): ପ୍ରାକୃତିକ କୃଷିର ପ୍ରଚାରପ୍ରସାର ଓ କୃଷି-ପରିବେଶଗତ ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଆସନ୍ତା ନଭେମ୍ବର ୨୦୨୬ରେ କନ୍ଧମାଳ ଜିଲ୍ଲାରେ ଦୁଇଦିନିଆ ରାଜ୍ୟସ୍ତରୀୟ ପ୍ରାକୃତିକ କୃଷି ସମ୍ମିଳନୀ ଆୟୋଜନ କରାଯିବ। ନ୍ୟାସନାଲ୍ କୋଆଲିସନ୍ ଫର୍ ନ୍ୟାଚୁରାଲ୍ ଫାର୍ମିଂ (NCNF)ର କନ୍ଧମାଳ ଶାଖା ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ସମ୍ମିଳନୀ ଆୟୋଜନ ପାଇଁ ଯୋଜନା କରାଯାଇଛି। ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୩୦୦ରୁ ଅଧିକ ଅଂଶୀଦାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମିଳନୀରେ ଆଦର୍ଶ କୃଷକ, ଦେଶୀ ବିହନ ସଂରକ୍ଷକ, କୃଷି ମିତ୍ର, ପ୍ରାଣୀ ମିତ୍ର, ଜୈବବିବିଧତା ସଂରକ୍ଷଣକାରୀ, ସାମାଜିକ ସଂଗଠନର ପ୍ରତିନିଧି, ସରକାରୀ ଅଧିକାରୀ ଓ ଗବେଷକମାନେ ଯୋଗଦେବେ। ପ୍ରାକୃତିକ କୃଷିର ବିଭିନ୍ନ ପଦ୍ଧତି, ସ୍ଥାୟୀ ଖାଦ୍ୟ ବ୍ୟବସ୍ଥା, ଦେଶୀ ବିହନର ସଂରକ୍ଷଣ ଏବଂ କୃଷି କ୍ଷେତ୍ରରେ ଜୈବବିବିଧତାର ଗୁରୁତ୍ୱ ସମ୍ପର୍କରେ ଏଥିରେ ଆଲୋଚନା କରାଯିବ। ସମ୍ମିଳନୀରେ କୃଷକମାନଙ୍କ ଦ୍ୱାରା ଉତ୍ପାଦିତ ପ୍ରାକୃତିକ କୃଷିଜାତ ଦ୍ରବ୍ୟ ଓ ପାରମ୍ପରିକ କୃଷି ପଦ୍ଧତିର ପ୍ରଦର୍ଶନୀ ଆୟୋଜନ କରାଯିବ। ଏଥିସହ ସ୍ଥାୟୀ କୃଷି, ଜୈବବିବିଧତା ସଂରକ୍ଷଣ ଓ ପ୍ରାକୃତିକ କୃଷିର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା କନ୍ଧମାଳ ଜିଲ୍ଲାର ଆଦର୍ଶ କୃଷକମାନଙ୍କୁ ସମ୍ମାନିତ କରାଯିବାର ଯୋଜନା ରହିଛି। ଏହି ପରିପ୍ରେକ୍ଷୀରେ ଅକ୍ଟୋବର ୨୩ ତାରିଖରେ NCNF ଓଡ଼ିଶାର ଏକ ପ୍ରତିନିଧିମଣ୍ଡଳୀ କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ବେଦଭୂଷଣ, IASଙ୍କୁ ସାକ୍ଷାତ କରି ପ୍ରସ୍ତାବିତ ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ସମ୍ମିଳନୀର ସଫଳ ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହଯୋଗ ଯୋଗାଇଦେବାକୁ ଆଶ୍ୱାସନା ଦେଇଥିବା ଜଣାପଡ଼ିଛି।
ଏହାପରେ NCNF କନ୍ଧମାଳ ଶାଖା ସହ ସଂପୃକ୍ତ ସାମାଜିକ ସଂଗଠନଗୁଡ଼ିକ ଫୁଲବାଣୀସ୍ଥିତ KASAM କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ କରିଥିଲେ। ଏଥିରେ ସମ୍ମିଳନୀର ଆୟୋଜନ, ଆବଶ୍ୟକ ଯୋଜନା ପ୍ରସ୍ତୁତି ଓ ବିଭିନ୍ନ ସଂଗଠନର ସାମୂହିକ ସହଯୋଗ ଉପରେ ଆଲୋଚନା ହୋଇଥିଲା।
କନ୍ଧମାଳକୁ ପ୍ରାକୃତିକ ଓ ଜୈବିକ କୃଷିର ଏକ ଆଦର୍ଶ ଜିଲ୍ଲା ଭାବେ ଗଢ଼ିତୋଳିବା ଏହି ସମ୍ମିଳନୀର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ। କୃଷକଙ୍କ ନେତୃତ୍ୱରେ କୃଷିର ବିକାଶ, ସ୍ଥାନୀୟ ଅନୁଭୂତିର ଆଦାନପ୍ରଦାନ, ନୂତନ କୃଷି ପଦ୍ଧତିର ପ୍ରଦର୍ଶନ ଏବଂ କୃଷକ, ସାମାଜିକ ସଂଗଠନ ଓ ସରକାରୀ ଅନୁଷ୍ଠାନ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଏଥିରେ ଗୁରୁତ୍ୱ ଦିଆଯିବ। ସମ୍ମିଳନୀର ଏକ ପ୍ରମୁଖ ଆକର୍ଷଣ ଭାବେ ‘କନ୍ଧମାଳ ଘୋଷଣାନାମା’ ପ୍ରସ୍ତୁତ କରାଯିବାର ଆଶା ରହିଛି। ଏଥିରେ ପ୍ରାକୃତିକ କୃଷିର ପ୍ରସାର, ଜୈବବିବିଧତାର ସୁରକ୍ଷା, କୃଷକଙ୍କ ଜୀବିକାର ଉନ୍ନତି ଏବଂ ଜଳବାୟୁ ପରିବର୍ତ୍ତନର ଆହ୍ୱାନକୁ ସାମ୍ନା କରିପାରୁଥିବା ସ୍ଥାୟୀ ଖାଦ୍ୟ ବ୍ୟବସ୍ଥା ଗଠନ ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ଓ ସାମୂହିକ ପ୍ରତିବଦ୍ଧତା ସ୍ଥାନ ପାଇବ। ଏହି ସମ୍ମିଳନୀ କନ୍ଧମାଳ ଜିଲ୍ଲାରେ ପ୍ରାକୃତିକ କୃଷିର ପ୍ରସାର ସହ କୃଷକଙ୍କ ଆର୍ଥିକ ସଶକ୍ତୀକରଣ, ପରିବେଶ ସୁରକ୍ଷା ଓ ସ୍ଥାୟୀ କୃଷି ବିକାଶକୁ ନୂଆ ଦିଗ ଦେବ ବୋଲି ଆଶା ପ୍ରକାଶ ପାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ