ଗେଡ଼ମା ସ୍କୁଲରେ ଶିକ୍ଷକ ନିଯୁକ୍ତି ଓ ନୂତନ ଶ୍ରେଣୀଗୃହ ନିର୍ମାଣ ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା
ହାଟଡିହି (ଓ୍ବାଇଏନଏସ): ଅଧିକ ଶିକ୍ଷକ ନିଯୁକ୍ତି ଓ ନୂତନ ଶ୍ରେଣୀଗୃହ ନିର୍ମାଣ ଦାବିରେ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଏପରି ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକ ଗେଡ଼ମା ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାଇ ଏଠାରେ ଶିଶୁ ବାଟିକା ଠାରୁ ପଞ୍ଚମ ପର୍ଯ୍ୟନ୍ତ ୬ଟି ଶ୍ରେଣୀ ଥିବା ବେଳେ ୬୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୬ଟି ଶ୍ରେଣୀ ପାଇଁ ମାତ୍ର ଦୁଇଟି ଶ୍ରେଣୀଗୃହ ଥିବାରୁ ଛାତ୍ରଛାତ୍ରୀ ମାନେ ଉପଯୁକ୍ତ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି । ସେହିପରି ୬ଟି ଶ୍ରେଣୀ ପାଇଁ ମାତ୍ର ଦୁଇଜଣ ଶିକ୍ଷକ ଅଛନ୍ତି । ଜଣେ ଶିକ୍ଷକ ସରକାରୀ କାର୍ଯ୍ୟ ଓ ଅଫିସ୍ କାମ, ମଧ୍ୟାହ୍ନ ଭୋଜନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ଜଣେ ମାତ୍ର ଶିକ୍ଷକ ଠିକ୍ ଭାବେ ଶିକ୍ଷାଦାନ କରିପାରୁ ନାହାନ୍ତି। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ସକାଳେ ସୁରେନ୍ଦ୍ର କାଣ୍ଡି, ନିର୍ମଳ ବାରିକ, ଇତିଶ୍ରୀ ଦାସ, ବିନୋଦ ସେଠୀ, ସଞ୍ଜୟ ପଲେଇ, ରବୀନ୍ଦ୍ର ଜେନା, ରଞ୍ଜନ ଜେନା, ପ୍ରଦୀପ ଜେନା,ସନ୍ଧ୍ୟାରାଣୀ କାଣ୍ଡି, ମାନସ ବେହେରା, ଝରଣା ସେଠୀ, ରଞ୍ଜିତା ସେଠୀ, ରଞ୍ଜିତା ପେରେଇଙ୍କ ସମେତ ଅନେକ ଅଭିଭାବକ ଛାତ୍ରଛାତ୍ରୀଙ୍କ ସହିତ ମିଶିସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଶିକ୍ଷା ବିଭାଗର କୌଣସି ଅଧିକାରୀ ଧାରଣା ସ୍ଥଳକୁ ଯାଇ ନଥିବା ଜଣା ଯାଇଛି। ହାଟଡିହି ବ୍ଲକ ରେ ମୋଟ ୩୦୨ଟି ବିଦ୍ୟାଳୟ ଥିବା ବେଳେ ୫୦ରୁ ଉର୍ଦ୍ଧ ସ୍କୁଲରେ ଏପରି ସମସ୍ୟା ଥିବାବେଳେ ତିନୋଟି ସ୍କୁଲ ଜଣେ ଶିକ୍ଷକରେ ଚାଲିଥିବା ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ କହିଛନ୍ତି। ବର୍ତମାନ ବାର୍ଷିକ ପରୀକ୍ଷା ସମୟ ଆସିଯାଇ ଥିବାରୁ ଶିକ୍ଷକ ଏପଟ ସେପଟ କରିବା ସମ୍ଭବ ହେଉନି, ତେଣୁ ପରୀକ୍ଷା ସରିଲେ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି।


