ଭାଇଚାରାର ସହର କଟକରେ ଏପରି ଅପ୍ରୀତିକର ସ୍ଥିତି ବେଶ୍ ଚିନ୍ତାଜନକ, ସମାଜରେ ଶାନ୍ତି ଓ ମୈତ୍ରୀ ବଜାୟ ରହୁ
କଟକ, (ଓ୍ବାଇଏନଏସ): ଦଶହରା ଭସାଣି ସମୟରେ କଟକ ଦରଘା ବଜାରରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନବୀନ ଲେଖିଛନ୍ତି, ଦଶହରା ଭସାଣି ସମୟରେ କଟକ ଦରଘା ବଜାରରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ଦୃଢ଼ ନିନ୍ଦା କରୁଛି । ଭାଇଚାରାର ସହର କଟକରେ ଏପରି ଅପ୍ରୀତିକର ସ୍ଥିତି ବେଶ ଚିନ୍ତାଜନକ । ଭସାଣି ସମୟରେ ଢ଼େଲା ପଥର, ବୋତଲ ମାଡ଼ ପରି ଘଟଣା ଏକ ବଡ଼ ସମ୍ବେଦନଶୀଳ ଦିଗକୁ ଇଙ୍ଗିତ କରୁଛି । ଶାନ୍ତିପ୍ରିୟ ଓଡ଼ିଶାରେ ଏ ଅଶାନ୍ତିର ବାତାବରଣ କଦାପି ଗ୍ରହଣୀୟ ନୁହେଁ । ଏପରି ସ୍ଥିତିକୁ ନିୟନ୍ତ୍ରଣ କରିବା ଆଗରେ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଅସହାୟ ମନେ ହେଉଛି । ବିଜେପି ସରକାରରେ ପୋଲିସ ଉପରେ ରହୁଥିବା ଚାପ ରାଜ୍ୟରେ ଆଇନଶୃଙ୍ଖଳାକୁ ବିଗାଡ଼ି ଦେଉଛି । ପରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟ ଓ ସଦଭାବନା ବଜାୟ ରଖିବା ଆମ ସମସ୍ତଙ୍କ ପ୍ରଥମ ଲକ୍ଷ୍ୟ ଏବଂ କର୍ତ୍ତବ୍ୟ ହେଉ । ସମାଜରେ ଶାନ୍ତି ଓ ମୈତ୍ରୀ ବଜାୟ ରହୁ । ସୂଚନାଯୋଗ୍ୟ ଯେ, କଟକ ଦରଘା ବଜାରରେ ଭସାଣି ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଗୋଷ୍ଠୀ ସଂଘର୍ଷରେ ଡିସିପିଙ୍କ ସମେତ ୬ ଆହତ ହୋଇଥିଲେ । ଗୁରୁବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠି ମାଡ଼ କରିବାକୁ ପଡିଥିଲା । ବେଶ କିଛି ସୟମ ଧରି ଚାଲିଥିଲା ଧାଁ ଦଉଡ, ସଂଘର୍ଷ, ଉତ୍ତେଜନା ସହ ଧାରଣା । ଫଳରେ ଆଗକୁ ଯାଇ ନପାରି ଅଟକି ରହିଥିଲା ଦେବୀଙ୍କ ମେଢ଼ । ରାତି ପ୍ରାୟ ୨ଟା ସମୟରେ ଝାଞ୍ଜିରିମଙ୍ଗଳା ମେଢ଼ ଦରଘାବଜାର ହାତୀପୋଖରୀ ନିକଟରେ ପହଞ୍ଚିବା ମାତ୍ରେ ଛାତ ଉପରୁ ଅଚାନକ ଢ଼େଲା ସହ ବୋତଲ ମାଡ଼ ହୋଇଥିଲା । ଡିପିସିଙ୍କ ମୁହାଁରେ ଆଘାତ ଲାଗିଛି । ଡିସିପିଙ୍କ ସମେତ ୬ଜଣ ଆହତ ହୋଇଥିଲେ । ପ୍ରତିବାଦରେ ଧାରଣାରେ ବସିଥିଲେ ପୂଜା କମିଟି କର୍ମକର୍ତ୍ତା । ବାଇକ୍ ଭଙ୍ଗାରୁଜା ସହ ବିଭିନ୍ନ ଦୋକାନ ଆଗରେ ଷ୍ଟଲ୍ ଭଙ୍ଗାରୁଜା ହୋଇଥିଲା । ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ସୁଧୁରି ଥିଲା । ପୁଣି ଚାଲିଥିଲା ଭାସାଣି । ଏହି ଘଟଣାକୁ ନେଇ ଅତିରିକ୍ତ ସିପି ନରସିଂହ ଭୋଳ କହିଥିଲେ, ପୋଲିସ, ଶାନ୍ତି କମିଟି ଓ ପୂଜା କମିଟି ଗୁଡିକର ସହଯୋଗ ପାଇଁ ଏକ ବଡ଼ ଅଘଟଣ ଏଡାଇ ଦିଆଯାଇ ପାରିଛି । ଏଭଳି ଘଟଣାରେ ଯେଉଁ ମାନଙ୍କର ସମ୍ପୃକ୍ତି ରହିଛି ସେମାନଙ୍କୁ ଚିହ୍ନଟ କରାଯାଇଛି । ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ଥିତି ଏବେ ସ୍ବାଭାବିକ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି ।


