ଆନନ୍ଦପୁର ସବ-ଜେଲରେ ବିଚାରାଧିନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ
ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ସବ-ଜେଲରେ ଥିବା ଜଣେ ବିଚାରାଧୀନ ବନ୍ଦୀଙ୍କର ଆଜି ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ହାଟଡିହି ବ୍ଲକ ସୋସୋ ଥାନା ସରଳାପସି ଗ୍ରାମର ଅଭି ମୁଣ୍ଡା (୨୮) ମାର୍ଚ୍ଚ ୨୦୨୪ରେ ଘଟାଇ ଥିବା ଏକ ହତ୍ୟାକାଣ୍ଡ ମାମଲାରେ ବିଚାରାଧିନ ବନ୍ଦୀ ଭାବେ ଆନନ୍ଦପୁର ସବ-ଜେଲରେ ଥିଲେ। ଆଜି ସକାଳୁ ଅଭିଙ୍କୁ ମୃତ ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ଜେଲ କର୍ତୁପକ୍ଷ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜଣେ ସୁସ୍ଥ ସବଳ ୨୮ ବର୍ଷିୟ ଯୁବକଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହ କରିଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ କିପରି ତାଙ୍କର ମୃତ୍ୟୁ ହେଲା ସେନେଇ ସନ୍ଦେହ କରୁଛନ୍ତି ତାଙ୍କ ଦାଦା। ଜେଲ୍ ଅଧିକ୍ଷକ କିଛି ପ୍ରତିକ୍ରିୟା ଦେଇନଥିବା ବେଳେ ଶବ ନିକଟରେ ଉପସ୍ଥିତ ଥିବା ସବ ଜେଲର ସୁଶୀଲ କୁମାର ପଣ୍ଡା କହିଛନ୍ତି ଯେ ତାଙ୍କୁ ଜ୍ଵର ହୋଇଥିଲା। ଏଥିପାଇଁ ଚିକିତ୍ସା ପାଇଁ ଡାକ୍ତରଖାନା ଆଣିଥିଲେ ବୋଲି କହିଛନ୍ତି।