୩୧ତମ ମିସେସ୍ ଏସିଆ ଓ୍ୱାର୍ଲଡ ୨୦୨୬ ପ୍ରତିଯୋଗିତା ବିଜୟିନୀ ହେଲେ ସ୍ବାଗତିକା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡିର ସ୍ୱାଗତିକା ଥାଇଲାଣ୍ଡରେ ୩୧ତମ ମିସେସ୍ ଏସିଆ ଓ୍ୱାର୍ଳଡ ୨୦୨୬ ପ୍ରତିଯୋଗିତା ବିଜୟିନୀ ହୋଇ ସମଗ୍ର ଭାରତ ପାଇଁ ଗୌରବ ଆଣିଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଚିତ୍ରକାର ସାହିର ବାସିନ୍ଦା ଭାସ୍କର ପାଣିଗ୍ରାହୀଙ୍କ କନ୍ୟା ସ୍ୱାଗତିକା ପାଣିଗ୍ରାହୀ ଥାଇଲାଣ୍ଡରେ ଆନ୍ତର୍ଜାତିୟ ବିଶ୍ୱମଂଚରେ ଭାରତ ଓ ଓଡିଶା ପାଇଁ ଗୌରବ ଆଣିଛନ୍ତି। ମୁମ୍ୱାଇ ଗ୍ଲୋବାଲ ଦ୍ୱାରା ଆୟୋଜିତ ୩୧ତମ ମିସେସ୍ ଏସିଆ ଓ୍ୱାର୍ଳଡ ୨୦୨୬ ପ୍ରତିଯୋଗିତାରେ ସେ ଭାଗ ନେଇଥିଲେ। ଏଥିରେ ସେ ବିଜୟିନୀ ହୋଇ ବଲିଉଡର ବିଶିଷ୍ଟ ଅଭିନେତା ସୁରୀନ୍ଦର ପାଲ ସିଂ ଦ୍ୱାରା ଏହି ପଦବୀରେ ସମ୍ମାନିତ ହୋଇଛନ୍ତି। ଓଡ଼ିଶାରୁ ସେ ଏକମାତ୍ର ପ୍ରତିନିଧିତ୍ୱ କରିଥିଲେ। ପୂର୍ବରୁ ୨୦୨୫ ମସିହାରେ ମଧ୍ଯ ମିସେସ୍ ଇଣ୍ଡିଆ ପ୍ରାଇଡ୍ ଅଫ୍ ନେସନ୍ ରେ ଭାଗ ନେଇ “ଗୁଡଓ୍ୱିଲ ଆମ୍ୱାସାଡର” ପଦବୀ ହାସଲ କରି ଏସିଆ ମଂଚରେ ପ୍ରବେଶ କରିଥିଲେ।ତାଙ୍କର ଏହି ସଫଳତା ପାଇଁ ” “ନେସନାଲ ଏଓ୍ୱାର୍ଡ ୨୦୨୬”ରେ ମଧ୍ଯ ସମ୍ମାନିତ ହୋଇଛନ୍ତି।ଗଜପତିରୁ ଆରମ୍ଭ ହୋଇଥିବା ତାଙ୍କର ସଫଳ ଯାତ୍ରା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଛି ଇଂଜିନିୟରିଂରେ ଡିଗ୍ରୀ ହାସଲ କରି ରୁର୍କି ରେ ଉଚ୍ଚଶିକ୍ଷା ଲାଭ କରି ବର୍ତ୍ତମାନ ସେ ବେଂଗାଲୁରୁର ବହୁ ଜାତୀୟ ଅଟୋମୋବାଇଲ କମ୍ପାନୀରେ ଆସୋସିଏଟ୍ ଟେକ୍ନିକାଲ ପ୍ରୋଜେକ୍ଟ ମ୍ୟାନେଜର ରୂପେ କର୍ମରତ ଅଛନ୍ତି।ସେ ନିଜର ଦିବଂଗତ ମାଉସୀଙ୍କ ଠାରୁ ପ୍ରେରଣା ପାଇ ଆଜି ସେ ଶ୍ରେଷ୍ଠସ୍ତରରେ ପହଂଚିପାରିଛନ୍ତି।ସେ ସ୍ୱେଚ୍ଛାସେବୀ ହିସାବରେ ମଧ୍ଯ ନିଜର ଭୂମିକା ସମ୍ପାଦନ କରୁଛନ୍ତି।ତାଂକର ମାଉସୀ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପରଲୋକ ଗମନ କରିଥିଲେ। ତେଣୁ ସେ ଇଣ୍ଡିଆନ୍ କ୍ୟାନସର ସୋସାଇଟି ଦ୍ୱାରା ଜଡିତ ହୋଇ ସ୍ତନ କର୍କଟର ସଚେତନତା, ମାନସିକ ସ୍ୱାସ୍ଥ୍ୟ ଓ ଭାବନାତ୍ମକ ସୁସ୍ଥତା ଉପରେ ଲୋକଙ୍କୁ ସଚେତନ କରାଉଛନ୍ତି।ସେ କହନ୍ତି,”ଜଣେ ମହିଳା ନିଜକୁ ସୁସ୍ଥ,ସଶକ୍ତ ଓ ଆତ୍ମବିଶ୍ୱାସ ରଖିଲେ ସେ କେବଳ ନିଜ ଜୀବନକୁ ନୁହେଁ,ନିଜ ପରିବାର ଓ ସମାଜରେ ପରିବର୍ତ୍ତନ ଆଣିପାରିବ”।ତାଙ୍କର ଏହି ବିରଳ ସମ୍ମାନ ପାଇଁ ସମଗ୍ର ଗଜପତି ଜିଲ୍ଲାରେ ଶୁଭେଚ୍ଛାର ସୁଅ ଛୁଟିଛି।ବିଶେଷ କରି ମହିଳା ମାନଂକୁ ପ୍ରେରଣା ଦେବ ଏଥିରେ ସନ୍ଦେହ ନାହିଁ।


