ପ୍ରତିଭା ସମ୍ବର୍ଦ୍ଧନା ସମାରୋହ
କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାସ):: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବସୁପୁର ଗ୍ରାମସ୍ଥିତ ମା’ ବାସନ୍ତୀ ଦୁର୍ଗା ପୂଜା ପ୍ରାଙ୍ଗଣରେ ସୋମବାର ସନ୍ଧ୍ୟାରେ “ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ’ର ଅଷ୍ଟାଦଶତମ ବାର୍ଷିକ ଉତ୍ସବ ଓ ପୂଜ୍ୟପୂଜା ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ଟ୍ରଷ୍ଟର ସଭାପତି ସୁବାଷ ଚନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ହିମାଂଶୁ ଭୂଷଣ ପରିଡା ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଓ ମୁଖ୍ୟବକ୍ତା ଭାବେ ପ୍ରଫେସର ବୈଷ୍ଣବ ଚରଣ ସାମଲ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସମାଜସେବୀ ଭଗବାନ ବିଶ୍ୱାଳ ସାମାଜିକ ଓ ସେବା କାର୍ଯ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରି କେନ୍ଦ୍ରାପଡା ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ଭାବେ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ । ଏହି ଅଞ୍ଚଳର ସମସ୍ତ ଝିଅ ଓ ବିବାହିତା ଝିଆଣିମାନଙ୍କୁ ଏକାଠି କରାଯାଇ ଭଉଣୀଚାରର ପରିବେଶ ସୃଷ୍ଟି କରି ସୁଭଦ୍ରା ମହୋତ୍ସବ ପାଳନ କରାଯାଇଥିଲା । ଏହି ପରିପ୍ରେକ୍ଷିରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ଗ୍ରାମର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଲେଖକ, ପ୍ରାବନ୍ଧିକ ଓ ସମାଲୋଚକ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ କେନ୍ଦ୍ରାପଡା ସାହିତ୍ୟ ସରସ୍ୱତୀ ସମ୍ମାନ -୨୦୨୫, ଧୂମାତ ଗ୍ରାମର ସର୍ବୋଚ୍ଚ ଯନ୍ତ୍ରୀ ଓ ଜିଲ୍ଲାର ଭିତ୍ତିଭୂମି ଉନ୍ନୟନକାରୀ ଇଂ ଶତ୍ରୁଘ୍ନ ଦାସଙ୍କୁ କେନ୍ଦ୍ରାପଡା ରତ୍ନ ସମ୍ମାନ, ଶିକ୍ଷାବିତ୍ ଅଧ୍ୟାପକ ଅଜୟ ସାମଲଙ୍କୁ କେନ୍ଦ୍ରାପଡା ବରପୁତ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି କେନ୍ଦ୍ରାପଡା ଗୌରବ ସମ୍ମାନରେ ସ୍ତମ୍ଭକାର ଏବଂ ସାହିତ୍ୟିକ ଚୌଧୁରୀ ଅମିତାଭ ଦାସ, ସିନେ କଳାକାର ବବି ମିଶ୍ର, କ୍ରୀଡାବିତ୍ ନାରାୟଣ ଚନ୍ଦ୍ର ବାରିକ, ପରିବେଶବିତ୍ ତଥା ସମାଜସେବୀ ରଶ୍ମିରଞ୍ଜନ ବାରିକ, କେନ୍ଦ୍ରାପଡାର ବିଶିଷ୍ଟ ସମାଜସେବୀ ତଥା ଶିଶୁ ଓ ମହିଳା ଅଧିକାର କର୍ମୀ ମହମ୍ମଦ ସେକ୍ ଲିୟାକତ୍ ଅଲ୍ଲୀ, ଲେଖକ ଓ ସମାଲୋଚକ ଅଭିମନ୍ୟୁ ଧଳଙ୍କୁ ସମ୍ମାନିତ କରାଯାଇଛି । ଶିଶୁ ଚିକିତ୍ସକ ଡା. ରଶ୍ମିରଞ୍ଜନ ମହାନ୍ତିଙ୍କୁ ଦେବବୈଦ୍ୟ ଅଶ୍ୱିନୀ କୁମାର ସମ୍ମାନ, ଅୟୁର୍ବେଦିକ ଓ ଶଲ୍ୟ ଚିକିତ୍ସକ ତଥା କବି ଡା. ମନୋରଞ୍ଜନ ଦାସଙ୍କୁ ସେବା ଓ ସାହିତ୍ୟ ସମ୍ମାନ, ସମାଜସେବୀ ତଥା ସାରସ୍ୱତ ସାଧକ ପାରେଶ୍ୱର ସାମଲଙ୍କୁ ସ୍ୱତନ୍ତ୍ର ସେବା ଓ ସାରସ୍ୱତ ସମ୍ମାନ, ସାହିତ୍ୟିକ ପ୍ରମୋଦ ତ୍ରିପାଠୀଙ୍କୁ ସାହିତ୍ୟ ସମ୍ମାନ, ଶିକ୍ଷକ କଳ୍ପତରୁ ପରିଡାଙ୍କୁ ସ୍ୱତନ୍ତ୍ର ସେବା ଓ ସାହିତ୍ୟ ସମ୍ମାନ, ମୁଖ୍ୟ ଚିକିତ୍ସାଳୟର ଶଲ୍ୟ ଚିକିତ୍ସକ ଡା. ବିରେନ୍ଦ୍ର କୁମାର ଦାସଙ୍କୁ ସ୍ୱତନ୍ତ୍ର ସେବା ଓ ସାହିତ୍ୟ ସମ୍ମାନ, ବସୁପୁର ଗ୍ରାମର ସତ୍ୟସାଇ ସେବା ସଂଗଠନ ତଥା ସମାଜସେବୀ ପ୍ରଜ୍ଜ୍ୱଳିତ ଜେନାଙ୍କୁ ସ୍ୱତନ୍ତ୍ର ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ମୋହନ ଚରଣ ସାହୁ, ନାରାୟଣ ଚନ୍ଦ୍ର ପରିଡା, ଇଂ ଚିତ୍ତରଞ୍ଜନ ଧଳ, ଜ୍ୟୋର୍ତିମୟ ଦାସ, ସଞ୍ଜୟ ଜେନା, ଧିରେନ ଦାସ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଭୁବନେଶ୍ୱରର ମେଲୋଡି ନାଇଟ୍ ପକ୍ଷରୁ ରବିନାରାୟଣ ବାରିକଙ୍କ ନେତୃତ୍ୱରେ ସଙ୍ଗୀତ ଓ ନୃତ୍ୟ ପରବେଷଣ କରାଯାଇଥିଲା ।