କିଡସ୍-ଗୀ ପବ୍ଲିକ୍ ସ୍କୁଲରେ ଗୁରୁଦିବସ ପାଳିତ
ଗୁଣପୁର, : (ୱାଇ ଏନ ଏସ) ଗୁଣପୁର ରାମେଶ୍ୱର ନଗରସ୍ଥିତ କିଡସ୍-ଗୀ ପବ୍ଲିକ୍ ସ୍କୁଲ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ସିନିୟର୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱ ସହ ଶିକ୍ଷକଙ୍କ ପ୍ରତି ଛାତ୍ରଛାତ୍ରୀଙ୍କ ଶ୍ରଦ୍ଧା ଓ କୃତଜ୍ଞତା ପ୍ରତିଫଳିତ ହୋଇଥିଲା। ବୈଦିକ ରୀତିନୀତି ଅନୁସାରେ ବନ୍ଦେ ମାତରମ୍ ଗାନ ଓ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ଶତପଥି,ନିର୍ଦେଶକ ମୁରଲୀଧର ପଣ୍ଡା , ଅଧ୍ୟକ୍ଷା ସ୍ୱୟଂପ୍ରଭା ମହାପାତ୍ର ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅଵସରରେ ମହାନ ଦାର୍ଶନିକ, ଶିକ୍ଷାବିତ୍ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ଦୀପ ପ୍ରଜ୍ୱଳନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଗୁରୁଜନଙ୍କ ପ୍ରତି ନିଜର ସମ୍ମାନ ଓ କୃତଜ୍ଞତା ଜଣାଇ ଛାତ୍ରଛାତ୍ରୀମାନେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ଉପହାର ପ୍ରଦାନ କରି ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀଙ୍କୁ ନିଷ୍ଠା, ଶୃଙ୍ଖଳା, ପରିଶ୍ରମ ଓ ନୈତିକ ମୂଲ୍ୟବୋଧକୁ ଜୀବନରେ ଆପଣାଇ ସଫଳ ଓ ଆଦର୍ଶ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସ୍ଥାନୀୟ ସୂରର୍ୟା ହଲମାର୍କ ଜୁଏଲାରୀ ସପ୍ ର ପରିଚାଳକ ଓ କର୍ମୀ ବୃନ୍ଦ , କିଡସ୍- ଗୀ ବିଦ୍ୟାଳୟର ଅଧ୍ୟକ୍ଷା ଙ୍କୁ ସମ୍ମାନୀତ କରିବାସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପହାର ପ୍ରଦାନ କରିଥିଲେ।


