ମା ସରସ୍ୱତୀ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳନ
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମର ମା ସରସ୍ୱତୀ ବିଦ୍ୟା ମନ୍ଦିର ପରିସରରେ ସେପ୍ଟେମ୍ବର ୫ ତାରିଖ ଦିନ ପବିତ୍ର ଗୁରୁଦିବସ ପାଳନ ସହ ଗୁରୁପୁଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନଙ୍କ ଗୁରୁଜୀ ଓ ଗୁରୁମା ଏବଂ ପରିଚାଳନା କମିଟିର ସଦସ୍ୟମାନଙ୍କ ଗୁରୁଙ୍କର ଗୁରୁ ଶ୍ରେଷ୍ଠ ଗୁରୁ ସରୋଜ କୁମାର ବିଶ୍ୱାଳ ଯୋଗଦେଇ ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ବିଶ୍ୱାଳଙ୍କ ଛାତ୍ର ତଥା ସହକର୍ମୀ ବିଦ୍ୟା ମନ୍ଦିରର ଗୁରୁଜୀ ମାନଙ୍କ ଗୁରୁ, ସାମ୍ବାଦିକ ଅନିଲ କୁମାର ମହାରଣା, ମାଣିତରା ହାଇ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ତଥା ବିଦ୍ୟା ମନ୍ଦିରର ପୂର୍ବତନ ଶିକ୍ଷକ ତ୍ରିନାଥ ଗୌଡ଼ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦିବାକର ସାମନ୍ତରାୟ ଅଧ୍ୟକ୍ଷତା କରିଥିବା ବେଳେ ଉପଦେଷ୍ଟା ସନକ କୁମାର ବିଶ୍ୱାଳ ଗୁରୁମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ପିତାମ୍ବର ପଣ୍ଡା, ଗୁରୁଜୀ ପ୍ରସନ୍ନ କୁମାର ବେହେରା ଓ ଗୁରୁମା ବୃନ୍ଦ ଶ୍ରେଷ୍ଟ ଗୁରୁ ଶ୍ରୀ ବିଶ୍ୱାଳ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ମହାରଣା ଓ ଶ୍ରୀ ଗୌଡ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ଓ ଶ୍ରୀ ସାମନ୍ତରାୟ ଙ୍କୁ ବନ୍ଦାପନା କରି ଗୁରୁପୂଜନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଗୁରୁ ଦିବସ ବିଷୟରେ ଭାଷଣ ପ୍ରଦାନ କରିଥିଲେ। ସମସ୍ତ ଗୁରୁମା ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ପୂର୍ବ ବର୍ଷ ଗୁଡ଼ିକ ପ୍ରକାରେ ମାଣିତରା ବ୍ରାଞ୍ଚ ପୋଷ୍ଟମାଷ୍ଟର ବିଭୂତି ଭୂଷଣ ଦାଶ ନିଜର ଗୁରୁ ଅନିଲ କୁମାର ମହାରଣାଙ୍କ ବାସଗୃହକୁ ଯାଇ ଗୁରୁ ଆଶୀର୍ବାଦ ଗ୍ରହଣ କରିବା ସହ ଉପହାର ପ୍ରଦାନ କରିଥିଲେ।


