ଶିକ୍ଷକଙ୍କୁ ଵିଦାୟ ସମ୍ଵର୍ଦ୍ଧନା

ଛତ୍ରପୁର,(ଓ୍ବାଇଏନଏସ):  ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ଵର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଜଣେ ପ୍ରିୟ ତଥା ବରିଷ୍ଠ ଶିକ୍ଷକ ଯୁଧିଷ୍ଠିର ବେହେରାଙ୍କ ପଦୋନ୍ନତି ଜନିତ ବିଦାୟ ଗ୍ରହଣ ଅବସରରେ ଏକ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷ ଧରି ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଶତାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରିଥିବା ଏହି ପୂଜ୍ୟ ଶିକ୍ଷକ ଯୁଧିଷ୍ଠିର ବେହେରାଙ୍କୁ ସମ୍ମାନ ଜଣାଇବା ପାଇଁ ବିଦ୍ୟାଳୟ ପକ୍ଷରୁ ଏହି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ବିଦାୟ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ l ଅତିଥି ରୂପେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ କାମରାଜୂ ମହାରଣା, ସରପଞ୍ଚ ବି. ସୁଦାମ, ପୂର୍ଵତନ ଶିକ୍ଷକ କୈଳାସ ବେହେରା,ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟ ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସଭାର ପ୍ରାରମ୍ଭରେ ଅତିଥି ଓ ସହକର୍ମୀମାନେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ, ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ବିକାଶ ଏବଂ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ତଥା ଆଦର୍ଶ ନାଗରିକ ଭାବେ ଗଢିତୋଳିବାରେ ତାଙ୍କର ନିଷ୍ଠାପର ଉଦ୍ୟମକୁ ସମସ୍ତେ ଗଭୀର ଭାବେ ସ୍ମରଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ପ୍ରିୟ ଗୁରୁଜୀଙ୍କ ସହ ବିତାଇଥିବା ସ୍ମୃତି ଚାରଣ କରି ଭକ୍ତି ଅର୍ପଣ କରିଥିଲେ, ଯାହା ପରିବେଶକୁ ବେଶ୍ ଭାବବିହ୍ୱଳ କରିଦେଇଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସହକର୍ମୀମାନେ ତାଙ୍କର ଶିକ୍ଷାଦାନ ଶୈଳୀ ଓ ସରଳ ଜୀବନଯାପନର ଉଚ୍ଚ ପ୍ରଶଂସା କରିବା ସହ ତାଙ୍କର ଆଗାମୀ ଦିନଗୁଡ଼ିକ ସୁଖମୟ ହେଉ ବୋଲି କାମନା କରିଥିଲେ। ଶେଷରେ, ଅବସରପ୍ରାପ୍ତ ଶିକ୍ଷକ ମହୋଦୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ନିଜର ଶିକ୍ଷକତା ଜୀବନର ଅନୁଭୂତି ବାଣ୍ଟିଥିଲେ ଏବଂ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସଦାସର୍ବଦା ଶୁଭେଚ୍ଛା ପ୍ରଦାନ କରିଥିଲେ। ବିଦ୍ୟାଳୟର ଜଣେ ବରିଷ୍ଠ ଶିକ୍ଷକଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯିବା ପରେ ଏହି ସଭାର ସାଙ୍ଗଠନିକ ସମାପ୍ତି ଘଟିଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ