ବେଆଇନ ଭାବେ ମାଟି ତାଡି ନେଉଥିବା ବେଳେ ତହସିଲ ପକ୍ଷରୁ ଚଢାଉ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅନ୍ତର୍ଗତ ନାଉଗାଁ ସାଧୁଗୋସ୍ୱାମୀ ଗହିରରୁ ବେଆଇନ ଭାବେ ମାଟି ଖୋଳାଯାଉଥିବା ବେଳେ ନାଉଗାଁ ତହସିଲ ଓ ଥାନା ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା। ଚଢାଉ ସମୟରେ ପୋକଲିନ ଚାଳକ ଫେରାର ହୋଇଯାଇଥିବା ବେଳେ ହାଇୱାକୁ ଜବତ କରାଯାଇ ଥାନାକୁ ଅଣାଯାଇଛି। ପୋକଲିନ ଚାଳକ ନଥିବାରୁ ପୋଲିସ ପୋକଲିନକୁ ଘଟଣାସ୍ଥଳରେ ଜଗି ରହିଛି। ମାଟି ମାଫିଆମାନେ ପୋକଲିନ ସାହାର୍ଯ୍ୟରେ ମାଟି ଖୋଳି ହାଇୱା ମାଧ୍ୟମରେ ମାଟି ଚୋରା ଚାଲାଣ କରୁଥିବା ଜଣାଯାଇଛି। ତହସିଲ ପକ୍ଷରୁ ଅଭିଯୋଗ ପରେ ମାମାଲା ରୁଜୁ କରାଯିବ ବୋଲି ଥାନାଧିକାରୀ ଦେବାଶୀଷ ପଣ୍ଡା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଉକ୍ତ ତହସିଲ ଅଂଚଳରେ ମାଟି ମାଫିଆମାନେ ସକ୍ରିୟ ହୋଇଥିବାରୁ ବିଭିନ୍ନ ସରକାରୀ ସ୍ଥାନରୁ ମାଟି ଉଠାଇ ମନଇଚ୍ଛା ବିକ୍ରି କରୁଛନ୍ତି। କିଛିଦିନ ତଳେ ମାଟି ମାଫିଆମାନେ ତିରୁଣା ପ୍ରାଥମିକ ବିଦ୍ୟାଳୟ ନିକଟରୁ ବେଆଇନ ଭାବେ ମାଟି ଉତୋଳନ କରାଯାଉଥିବା ବେଳେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା ଚଢାଉ କରାଯାଇ ଗୋଟିଏ ଟ୍ରାକ୍ଟର ଓ ଜେସିବ ଜବତ କରାଯାଇଥିଲା। ସେହିପରି ଅରଖକୁଦ ଗ୍ରାମ ନିକଟସ୍ଥ ନଦୀ ପଠାରୁ ମାଟି ମାଫିଆମାନେ ମାଟି ଖୋଳି ବିକ୍ରି କରୁଥିବା ସ୍ଥାନୀୟ ଗ୍ରାମବାସୀ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ।


