କାଠଯୋଡ଼ିକୁ ଡେଇଁପଡ଼ିଲେ ଗୋରୁ ବୋଝେଇ ଗାଡ଼ିର ଚାଳ
କଟକ (ଓ୍ବାଇଏନଏସ): ଗୋରୁ ବୋଝେଇ ଗାଡ଼ିକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି। ପିଛା କରୁଥିବା କିଛି ଯୁବକଙ୍କୁ ଦେଖି ଗାଡ଼ି ଛାଡ଼ି କାଠଯୋଡ଼ି ନଦୀକୁ ଡେଇଁପଡ଼ିଲେ ଚାଳକ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ବିଡ଼ାନାସୀ ଅଗ୍ନିଶମ ବାହିନୀ। ଦୀର୍ଘ ଚେଷ୍ଟା ପରେ ଚାଳକଙ୍କୁ ନଦୀରୁ ସୁରକ୍ଷିତ ଉଦ୍ଧାର କରାଯାଇ ପୋଲିସର ଜିମା ଦିଆଯାଇଛି। ସୂଚନା ଅନୁଯାୟୀ, ଗୋରୁ ବୋଝେଇ ଗାଡ଼ିଟି ରାସ୍ତାରେ ଯାଉଥିବା ବେଳେ କିଛି ଯୁବକ ଏହାକୁ ଅଟକାଇବା ପାଇଁ ପିଛା କରିଥିଲେ। ଏହି ସମୟରେ ଚାଳକ ହଠାତ୍ ଗାଡ଼ି ଛାଡ଼ି କାଠଯୋଡ଼ି ନଦୀକୁ ଡେଇଁପଡ଼ିଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।ଖବର ପାଇ ବିଡ଼ାନାସୀ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ନଦୀରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଦ୍ଧାର ହୋଇଥିବା ଚାଳକଙ୍କ ନାମ ଶେଖ୍ ଅବଦୁଲ ଶାହାଜାନ ବୋଲି ଜଣାପଡ଼ିଛି। ପରେ ତାଙ୍କୁ ପୋଲିସର ଜିମା ଦିଆଯାଇଥିଲା। ତେବେ ଚାଳକ କାହିଁକି ନଦୀକୁ ଡେଇଁଲେ, ଗାଡ଼ିରେ ଥିବା ଗୋରୁମାନଙ୍କୁ କେଉଁଠାକୁ ନିଆଯାଉଥିଲା ଏବଂ ଘଟଣାର ପ୍ରକୃତ କାରଣ କ’ଣ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହି ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରହିଛି।


