ବନ୍ୟା ଅଞ୍ଚଳ ବୁଲି ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଓ ରୋଗ ନିୟନ୍ତ୍ରଣ ବ୍ୟବସ୍ଥାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଧାମନଗର (ଓ୍ବାଇଏନଏସ): ଧାମନଗର ବନ୍ୟା ପାଣି ଛାଡ଼ିବା ପରେ ସମ୍ଭାବ୍ୟ ଜଳବାହିତ ରୋଗର ମୁକାବିଲା,ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ସ୍ୱାସ୍ଥ୍ୟ ସେବାର ବାସ୍ତବ ସ୍ଥିତିର ସମୀକ୍ଷା ପାଇଁ ଗୁରୁବାର ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଧାମନଗର ବ୍ଲକ ଏବଂ ଏନ ଏ ସି ର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି। ଧାମନଗର ବଡ଼ବଜାରରେ ପହଞ୍ଚିବା ପରେ ସ୍ଥାନୀୟ ଜନପ୍ରତିନିଧି ଓ ବିଜେପି ନେତା ଓ କର୍ମୀମାନେ ମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ କରିଥିଲେ। ଏନ୍‌ଏସିର ଅଧିନ ୧୦ ନମ୍ବର ୱାର୍ଡ ସମେତ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଟ୍ୟୁବୱେଲ ହାଡଲ ଚଳାଇ ନିଜେ ପାଣି ପିଇପାଣିର ନମୁନା ପରଖିଥିଲେ। ପରେ ସେ ଲୋକଙ୍କ ସହ ସିଧାସଳଖ କଥା ହୋଇ ସେମାନଙ୍କ ସମସ୍ୟା ବୁଝିଥିଲେ। ବନ୍ୟା ପାଣି ଛାଡ଼ିବା ପରେ ପାନୀୟ ଜଳର ଗୁଣବତ୍ତା,ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ଏବଂ ସଂକ୍ରାମକ ରୋଗ ନିୟନ୍ତ୍ରଣର ବାସ୍ତବ ସ୍ଥିତି ସମ୍ପର୍କରେ ଅଧିକାରୀଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ। ଏହାପରେ ମନ୍ତ୍ରୀ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ ସେଠାରେ ମେଡିକାଲ ଅଫିସର ଡାକ୍ତର ମନ୍ମୟ ସିଂହାର ମନ୍ତ୍ରୀଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ।ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସେବାର ସମୀକ୍ଷା ବୈଠକ କରିଥିଲେ। ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଜଳବାହିତ ରୋଗ ରୋକିବା ଜରୁରୀକାଳୀନ ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ସ୍ୱାସ୍ଥ୍ୟ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ କହିଥିଲେ ଯେ,ବନ୍ୟା ସମୟରେ ସରକାରଙ୍କ ସମନ୍ୱିତ ପଦକ୍ଷେପ ଯୋଗୁଁ କୌଣସି ଜନହାନି ଘଟିନାହିଁ। ବିଶେଷକରି ଅପହଞ୍ଚ ଅଞ୍ଚଳରେ ଉଦ୍ଧାର ଓ ଚିକିତ୍ସା ସେବା ପହଞ୍ଚାଇବାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ସେ କହିଥିଲେ। ସେହିପରି ବନ୍ୟା ସମୟରେ ଆଶାକର୍ମୀ, ଏଏନ୍‌ଏମ୍‌, ଡାକ୍ତର ଏବଂ ମେଡିକାଲ ଟିମ୍‌ର ନିଷ୍ଠାପର ସେବାକୁ ଭୂୟସୀ ପ୍ରଶଂସା କରିଥିଲେ। ୧୭ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସଫଳ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ।ବନ୍ୟା ପରେ ଦୂଷିତ ପାଣି ଯୋଗୁଁ କୌଣସି ସଂକ୍ରାମକ ରୋଗ ନ ବ୍ୟାପିବା ପାଇଁ ସମସ୍ତ ନଳକୂପ ଓ ଟ୍ୟୁବୱେଲରେ ବିଶୋଧନକାରୀ ଔଷଧ ପ୍ରୟୋଗ,ନିୟମିତ ପାଣି ପରୀକ୍ଷା ଏବଂ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ସେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଲୋକମାନଙ୍କୁ ଫୁଟା ପାଣି ପିଇବା, ପରିଷ୍କାର-ପରିଚ୍ଛନ୍ନତା ରକ୍ଷା କରିବା ଏବଂ ସାମାନ୍ୟ ଅସୁସ୍ଥତା ଦେଖାଦେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଧାମନଗର ପରେ ମନ୍ତ୍ରୀ ଧୁଷୁରୀ ଏରିଆ ହସ୍ପିଟାଲ ପରିଦର୍ଶନ କରି ସେଠାରେ ଥିବା ଭିତ୍ତିଭୂମିଗତ ଓ ଚିକିତ୍ସା ସମ୍ବନ୍ଧୀୟ ସମସ୍ୟାର ସମୀକ୍ଷା କରିଥିଲେ। ହସ୍ପିଟାଲରେ ରୋଗୀ ସେବାକୁ ଆହୁରି ଉନ୍ନତ କରିବା, ଆବଶ୍ୟକ ଜନବଳ ଓ ଚିକିତ୍ସା ସାମଗ୍ରୀର ଉପଲବ୍ଧତା ସୁନିଶ୍ଚିତ କରିବା ସହ ସମସ୍ୟାର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ପଦକ୍ଷେପ ନେବାକୁ କହିଥିଲେ।ଗସ୍ତରେ ସ୍ୱାସ୍ଥ୍ୟ ବିଭାଗର ଡାଇରେକ୍ଟର ଡା.ନୀଳକଣ୍ଠ ମିଶ୍ର, ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ,ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରମୋଦ କୁମାର ପ୍ରହରାଜ,ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ,ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା. ମନ୍ମୟ ସାମନ୍ତସିଂହାର,ତହସିଲଦାର ଜ୍ଞାନରଞ୍ଜନ ସାହୁ,ବିଡିଓ ବନବିହାରୀ ଦିନ୍ଦା,ଡାକ୍ତର ମାଝ ମାଝୀ,ସୁବ୍ରତ ବରାଳ,ହିମାଂଶୁ ନାଥ,ରାକେଶ ଦାସ,ଦିବ୍ୟଜ୍ଞାନ ନାୟକ,ଆୟୁଷ ଡାକ୍ତର ଶ୍ରୀମାଧବ ସେଠୀଙ୍କ ସହ ସମସ୍ତ ଷ୍ଟାଫନର୍ସ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଧାମନଗର ଏବଂ ଧୁଷୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ