ସରିବାକୁ ବସିଲାଣି ଅକ୍ଟୋବର ମାସ, କେବେ ମିଳିବ ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ସାଇକେଲ୍ କ୍ରୟ ପାଇଁ ଅର୍ଥରାଶି?
ଆସିକା (ୱାଇଏନ୍ଏସ୍) : ଚଳିତ ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭକୁ ୬ ମାସ ବିତିଗଲାଣି । ଅକ୍ଟୋବର ମାସ ଶେଷ ହେବାକୁ ଆଉମାତ୍ର ଦୁଇ ଦିନ ବାକିଥିବା ବେଳେ ଓଡିଶା ସରକାର କାର୍ଯ୍ୟକାରୀ କରିଥିବା ଗଙ୍ଗାଧର ମେହେର ଶିକ୍ଷାମାନକ ବୃଦ୍ଧି ଯୋଜନାରେ ଆସିକା ଅଞ୍ଚଳରେ ଥିବା ୩୨ଟି ସରକାରୀ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ପ୍ରାୟ ୧୯୬୯ ଜଣ ଛାତ୍ରଛାତ୍ରୀ ସାଇକେଲ କ୍ରୟ ପାଇଁ ଅର୍ଥରାଶି ପାଇବାରୁ ବଞ୍ଚିତ ହୋଇଆସିଥିବା ଜଣାପଡିଛି । ଅକ୍ଟୋବର ମାସ ଶେଷ ହେବାକୁ ବସିଥିବା ବେଳେ ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ସାଇକେଲ କ୍ରୟ ପାଇଁ କେବେ ଅର୍ଥରାଶି ମିଳିବ ତାହାରି ଉତ୍ତର କାହାରି ପାଖରେ ନାହିଁ । ଗତ ୨୦୨୪-୨୫ ଶିକ୍ଷାବର୍ଷରେ ଆସିକା ଅଞ୍ଚଳର ୩୨ଟି ହାଇସ୍କୁଲର ୧୯୬୫ ଜଣ ଏବଂ ୨୦୨୫-୨୬ ଶିକ୍ଷାବର୍ଷରେ ଆସିକା ଅଞ୍ଚଳର ୩୨ ଟି ହାଇସ୍କୁଲର ୨୦୫୧ ଜଣ ଛାତ୍ରଛାତ୍ରୀ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ଗଙ୍ଗାଧର ମେହେର ଶିକ୍ଷାମାନକ ବୃଦ୍ଧି ଯୋଜନାରେ ଉପକୃତ ହୋଇଥିଲେ । ଓଡିଶା ସରକାର ଗଙ୍ଗାଧର ମେହେର ଶିକ୍ଷାମାନକ ବୃଦ୍ଧି ଯୋଜନା (ଜିଏମ୍ଏସ୍ଏମ୍ୱାଇ) ଅଧିନରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ସାଇକେଲ ଯୋଗାଇବା ପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି (ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍) ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରିଆସୁଛନ୍ତି । ଉଚ୍ଚ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷାପାଇଁ ପ୍ରୋତ୍ସାହିତ କରିବା ଏବଂ ଡ୍ରପ୍ଆଉଟ୍ ହାର ହ୍ରାସ କରିବା ଓ ଗ୍ରାମାଞ୍ଚଳର ବିଦ୍ୟାର୍ଥୀମାନେ ଯେପରି ସହଜରେ ଓ ଠିକ୍ ସମୟରେ ବିଦ୍ୟାଳୟ ପହଞ୍ଚିପାରିବେ, ଦୈନିକ ଉପସ୍ଥାନ ବୃଦ୍ଧି, ଗରିବ ଶ୍ରେଣୀର ଅଭିଭାବକମାନଙ୍କ ଉପରେ ନିଜର ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଯାତାୟତର ଖର୍ଚ୍ଚ କମାଇବା ଲକ୍ଷ୍ୟରେ ତତ୍କାଳନୀ ସରକାର ସମୟରେ ଗତ ୨୦୧୭ ମସିହା ସେପ୍ଟେମ୍ବର ମାସ ୫ ତାରିଖ ଗୁରୁଦିବସରେ ଓଡିଶା ସରକାରଙ୍କ ପକ୍ଷରୁ ଶିକ୍ଷାମାନକ ବୃଦ୍ଧି ଯୋଜନା ଘୋଷଣା କରାଯାଇଥିଲା । ଆସିକା ଅଞ୍ଚଳରେ ଥିବା ୩୨ଟି ହାଇସ୍କୁଲରେ ନବମ ଶ୍ରେଣୀରେ ଅଧ୍ୟୟନରତ ଥିବା ପ୍ରାୟ ୧୯୬୯ ଜଣ ଛାତ୍ରଛାତ୍ରୀ ବର୍ତ୍ତମାନ ସୁଦ୍ଧା ଗଙ୍ଗାଧର ମେହେର ଶିକ୍ଷାମାନକ ବୃଦ୍ଧି ଯୋଜନାରେ ସାଇକେଲ କ୍ରୟ ପାଇଁ ସରକାର ଯୋଗାଇ ଦେଉଥିବା ୩୫୦୦ ଟଙ୍କା ଲେଖାଏଁ ଅର୍ଥରାଶି ପାଇବାରୁ ବଞ୍ଚିତ ହୋଇଆସିଥିବା ଜଣାପଡିଛି । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ତଥା ଶିକ୍ଷାବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଗଙ୍ଗାଧର ମେହେର ଶିକ୍ଷାମାନକ ବୃଦ୍ଧି ଯୋଜନାରେ ଯୋଗ୍ୟ ବିବେଚିତ ନବମ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ସାଇକେଲ୍ କ୍ରୟ ସକାଶେ ଆବଶ୍ୟକୀୟ ଅର୍ଥରାଶି ଯୋଗାଇଦେବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।


