ନିର୍ମାଣ ହୋଇପାରିଲାନି ନୂତନ ପୋଲ

ନାଉଗାଁ(ଓ୍ବାଇଏନଏସ):ବାଲିକୁଦା-ନାଉଗାଁ ରାସ୍ତା ପୂର୍ତ ବିଭାଗର ଜଗତସିଂହପୁର ବିଭାଜନ ଅଧିନରେ ରହିଛି। ଏହି ରାସ୍ତା ନାଉଗାଁ ବ୍ଲକର ମୁଖ୍ୟ ସଂଯୋଗକାରୀ ରାସ୍ତା। ସୂଚନା ଫଳକ ତଥ୍ୟ ଅନୁସାରେ, ଉକ୍ତ ରାସ୍ତାର ଉନ୍ନତିକରଣ ପାଇଁ ୫.୬୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ଏହି କାର୍ଯ୍ୟର ଶେଷ ୨୦୨୩ ଡିସେମ୍ବର ୩୧ ଥିଲା। କିନ୍ତୁ ନିଯୁକ୍ତ ଠିକାଦାର ଅବଧି ଶେଷର ଦେଢ ବର୍ଷ ପରେ ଅର୍ଥାତ ମେ’ ୨୦୨୫ରେ ଏହି ରାସ୍ତା କାର୍ଯ୍ୟ ଶେଷ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ରାସ୍ତାର ଛତିଆନା ନିକଟରେ ବାଉଁଶ ଯୋରି ନାଳ ପ୍ରବାହିତ ହେଉଛି। ଉକ୍ତ ନାଳଟି ରାସ୍ତାର ମଧ୍ୟ ଭାଗରେ ଥିଲା ବେଳେ ସେଠାରେ ବିଭାଗ ପକ୍ଷରୁ ଏକ ପୋଲ ନିର୍ମାଣ କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ପ୍ରାୟ ୩୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି ପୋଲ ନିର୍ମାଣ ହୋଇଥିଲା। ରାସ୍ତା ଉନ୍ନତିକରଣ ସମୟରେ ପୋଲ ନିର୍ମାଣ ପାଇଁ ଠିକାଦାର ପୋଲ ପାଶ୍ୱର୍ରେ ଏକ ଅସ୍ଥାୟୀ ରାସ୍ତା ମଧ୍ୟ ନିର୍ମାଣ କରିଥିଲେ। କିନ୍ତୁ ନୂତନ ପୋଲ ନିର୍ମାଣ ପରିବର୍ତେ ପୁରୁଣା ପୋଲ ଉପରେ ପିଚୁ କାର୍ଯ୍ୟ କରି ରାସ୍ତା କାର୍ଯ୍ୟକୁ ସାରି ଦିଆଯାଇଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି। ସେହିପରି ଉକ୍ତ ରାସ୍ତାର କଂଟୁଣିଆହାଟ ନିକଟରେ ନୂତନ ପୋଲ ନିର୍ମାଣ କରିବା ପରିବର୍ତେ ପୁରୁଣା ପୋଲର ଉଭୟ ପାଶ୍ୱର୍କୁ ସଂପ୍ରସାରଣ କରି ସଂପ୍ରସାରଣ ହୋଇଥିବା ଅଂଶରେ ଛାତ ପକାଇ କାର୍ଯ୍ୟ ଶେଷ କରାଯାଇଥିବା ଅଭିଯୋଗ ହେଉଛି। ପୁରୁଣା ପୋଲ ନିକଟରେ ନୂତନ ପୋଲ ନିର୍ମାନ କରା ନ ଗଲେ ପୁରୁଣା ପୋଲ କେତେବେଳେ ଯେ ଭୁଷୁଡି ପଡିବ ତାହା କହି ହେବ ନାହିଁ। ଉକ୍ତ ରାସ୍ତା ଦେଇ ଭାରିଯାନ ଓ ଅନ୍ୟାନ୍ୟ ଯାନ ଯାତାୟତ କରୁଥିବା ବେଳେ ପୋଲ ଭୁଷୁଡିଲେ ଯାନବାହନ ପ୍ରତି ବିପଦ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ରାସ୍ତା ସଂପ୍ରସାରଣ ସମୟରେ ଉକ୍ତ ପୋଲ ନୂତନ ଭାବେ ନିର୍ମାଣ କରାଯିବାର ପ୍ରସ୍ତାବ ଥିଲା କି ନାହିଁ ତାହା ଉପରେ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନେବାକୁ ଜନସାଧରାଣ ପ୍ରଶସାନ ନିକଟରେ ଦାବି କରିଛନ୍ତି। ଏବିଷୟରେ ବିଭାଗୀୟ ସହକାରୀ ଯନ୍ତ୍ରୀ ବଳରାମ ସ୍ୱାଇଁଙ୍କୁ ପଚାରିବାରେ ପୋଲ ନିର୍ମାଣ ପାଇଁ କୌଣସି ପ୍ରସ୍ତାବ ନଥିଲା ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ