୭୫ ବର୍ଷ ହେଲା ଭଡା ଘରେ ଚାଲିଛି ଡାକ ଘର
ଗୁଣପୁର,(ୱାଇଏନଏସ): ଦେଶ ସ୍ବାଧୀନତାର ପ୍ରାୟ ୮୦ ବର୍ଷ ହେଲାଣି ଗୁଣପୁର ଉପଖଣ୍ଡ ସଦର ମହକୁମା ଗୁଣପୁରରେ ନିଜସ୍ୱ ଡାକ ଘର ନାହିଁ। ୭୫ ବର୍ଷ ହେଲା ଗଳି କନ୍ଧି ମଧ୍ୟରେ ଭଡାରେ ଚାଲିଛି ଗୁଣପୁର ଡାକ ଘର। ଏ ନେଇ ବାରମ୍ବାର ଖବର ପ୍ରସାରଣ ହେଲେ ମଧ୍ୟ ଡାକ ବିଭାଗର ଅଧିକାରୀ ମାନଙ୍କ ନିଦ ଭାଙ୍ଗୁନାହିଁ। ସେମାନଙ୍କ ଉଦାସୀନତା ମନଭାବ ଯୋଗୁ ଦୀର୍ଘବର୍ଷ ହେଲା ଭଡା ଘରେ ଚାଲୁଛି ଉପଡାକ ଘର। ପରିତାପର ବିଷୟ ବିଏସଏନଏଲ ଟେଲିଫୋନ ଭବନ ନିକଟରେ ଡାକ ଘରର ନିଜସ୍ୱ ପଟା ଜମି ରହିଛି। ପୋଷ୍ଟ ମାଷ୍ଟର ମାନଙ୍କ ଅବହେଳା ଓ ଦାୟିତ୍ୱ ହୀନତା ଯୋଗୁଁ ଉକ୍ତ ଜାଗା ଲୋକେ କବ୍ଜା କରିସାରିଲେଣି। ଏହାପରେ ମଧ୍ୟ ପୋଷ୍ଟାଲ ବାବୁ ମାନଙ୍କର ନିଦ ଭାଂଗିନାହିଁ। ପୋଷ୍ଟାଲ ଅଧିକାରୀଙ୍କ ଲିଖିତ ଅଭିଯୋଗ ନଥିଲେ ଆମେ କିଛି କରିପାରିବୁ ନାହିଁ ବୋଲି କହୁଛନ୍ତି ପ୍ରଶାସନ ଅଧିକାରୀ। ବାବୁ ମାନଙ୍କ ଅବହେଳା ଯୋଗୁଁ ଗୁଣପୁର ଜନ ସାଧାରଣଙ୍କ ସେବା ପାଇଁ ସ୍ଥାୟୀ ଡାକ ଘର ହୋଇପାରିନାହିଁ। ନିଜସ୍ୱ ନୂତନ କୋଠା ନିମନ୍ତେ ତହସିଲଦାରଙ୍କୁ ଜାଗା ଚିହ୍ନଟ ନିମନ୍ତେ ରାୟଗଡା ଜିଲ୍ଲାର ପୋଷ୍ଟାଲ ଅଧିକ୍ଷକ ଗୁଣପୁରର ପୂର୍ବ ଡାକ ନିରୀକ୍ଷକଙ୍କୁ ଏକ ଚିଠି ଦେଇଥିଲେ। କିନ୍ତୁ ଏହା ଉପରେ କୌଣସି ପଦେକ୍ଷପ ଗ୍ରହଣ କରାଯାଇନାହିଁ ବୋଲି ଜିଲ୍ଲା ପୋଷ୍ଟାଲ ନିରୀକ୍ଷକ ଗଣ ମାଧ୍ୟମକୁ ସଫେଇ ଦେଇଛନ୍ତି। ବର୍ତ୍ତମାନ କୁମୁଟି ସାହିରେ ଭଡାଘରେ ଚାଲିଥିବା ଉପ ଡାକ ଘରର ଅବସ୍ଥା ନ କହିଲେ ଭଲ। ସର୍ବଦା ଭିଡ଼ ରହୁଥିବା ଯୋଗୁ ଲୋକଙ୍କୁ ବସିବା କିମ୍ବା ଠିଆ ହେବା ପାଇଁ ଜାଗା ନାହିଁ। ଅପର ପକ୍ଷରେ ପାର୍କିଂ ସୁବିଧା ନଥିବାରୁ ଗାଡି ଗୁଡିକୁ ରାସ୍ତା ଅବରୋଧ କରି ରଖିବାକୁ ପଡୁଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଆଜି ଗୁଣପୁର ଡାକ ଘର କାର୍ଯ୍ୟ ସମୀକ୍ଷା କରିବା ପାଇଁ ରାୟଗଡାରୁ ଆସିଥିବା ନୂତନ ଡାକ ନିରୀକ୍ଷକ ଦୁର୍ଯ୍ୟୋଧନ ବାରିକ ଡାକ ଘରର ସମସ୍ତ ସମସ୍ୟା ସାମ୍ବାଦିକ ମାନଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ଅଧ୍ୟକ୍ଷକ ଶ୍ରୀ ବାରିକ ଗୁଣପୁର ଉପ ଡାକ ଘର ପୋଷ୍ଟ ମାଷ୍ଟର ଜିତେନ୍ଦ୍ର ପଣ୍ଡାଙ୍କୁ ଜାଗା ଚିହ୍ନଟ କରି ଜବର ଦଖଲ ଉଚ୍ଛେଦ ପାଇଁ ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଚିଠି ଲେଖିବା ପାଇଁ ନିର୍ଦେଶ ଦେଇଛନ୍ତି।


