ଆସନ୍ତା ୧୫ ତାରିଖରେ ହେବ ଛାତ୍ରସଂସଦ ନିର୍ବାଚନ

ଆସିକା (ୱାଇଏନ୍‍ଏସ୍‍) : ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଛାତ୍ରସଂସଦ ନିର୍ବାଚନ ପାଇଁ ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ ଏବଂ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଓ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପକ୍ଷରୁ ବୁଧବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡିଛି । ଛାତ୍ରସଂସଦ ନିର୍ବାଚନ ହେବାକୁ ଥିବା ଆସିକାର ୩ ମହାବିଦ୍ୟାଳୟରେ ଲିଙ୍ଗଡୋ କମିଶନ୍‍ଙ୍କ ନିୟମକୁ କଡାକଡି ଭାବେ ପାଳନ କରାଯାଉଥିବା ପରିଲକ୍ଷିତ ହେଉଛି । ଆସନ୍ତା ୯ ତାରିଖ ଦିନ ପୂର୍ବାହ୍ନ ୧୦ ଘଟିକାରୁ ଅପରାହ୍ନ ୧ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡିଛି । କ୍ୟାମ୍ପସ୍‍ରେ ଯେପରି ଅଣଛାତ୍ରଙ୍କ ପ୍ରବେଶ ଏବଂ ଅଯଥା ହସ୍ତକ୍ଷେପ ସାଙ୍ଗକୁ ବିଶୃଙ୍ଖଳ ପରିସ୍ଥିତି ନ ଉପୁଜେ ଓ ଶୈକ୍ଷିକ ବାତାବରଣ ବଜାୟ ରହିବ ତାହାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ଶିକ୍ଷାବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଲକ୍ଷ୍ୟ କରାଯାଉଛି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରସଂସଦ ନିର୍ବାଚନ ଘୋଷଣା ହେବା ପର ଠାରୁ କ୍ୟାମ୍ପସରେ ଉତ୍ସାହ ବଢିଥିବା ବେଳେ ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ସଂପନ୍ନ କରିବା ଲାଗି ଶିକ୍ଷାବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଛାତ୍ରସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ୍‍ ଚଳଚଞ୍ଚଳ ହୋଇଉଠିଥିଲା ବେଳେ ବୁଧବାର ଆସିକାର ୩ ମହାବିଦ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଛାତ୍ରସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପର୍ବ ଆରମ୍ଭ ହୋଇନଥିଲେ ବି ଆଶାୟୀ ଛାତ୍ରନେତାମାନେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ରଣନୀତି ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି । ଆଗାମୀ କିଛି ଦିନ ପରେ ଛାତ୍ରସଂସଦ ନିର୍ବାଚନକୁ ନେଇ ସୋସିଆଲ୍‍ ମିଡିଆରେ ବି ପ୍ରଚାର ଜୋରଦାର୍‍ ହେବା ସମ୍ଭାବନାକୁ ମଧ୍ୟ ଏଡାଇ ହେଉନାହିଁ । ଆଗାମୀ ଛାତ୍ରସଂସଦ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ଏବଂ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ବଜାୟ ରଖିବା ପାଇଁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି । ଆଗାମୀ ଛାତ୍ରସଂସଦ ନିର୍ବାଚନକୁ ନେଇ କେତେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି । ଆଶାୟୀ ଛାତ୍ରନେତା ଓ ଛାତ୍ରୀନେତ୍ରୀମାନେ କିଭଳି ଭୋଟରଙ୍କୁ ନିଜ ସପକ୍ଷରେ ଆଣିବେ ସେ ନେଇ ଏବେଠୁ ନିଜ ନିଜ ଶୁଭେଚ୍ଛୁ ଓ ସମର୍ଥକଙ୍କୁ ଧରି ନିର୍ବାଚନ ବୈତରଣୀ ପାର୍‍ ହେବାକୁ ଆଗେଇ ଆସିଥିବା ଦେଖିବାକୁ ମିଳୁଛି । ଛାତ୍ରସଂସଦ ନିର୍ବାଚନ ପାଇଁ ହାତରେ ଖୁବ୍‍ କମ୍‍ ସମୟ ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆକସ୍ମିକ ଭାବେ ଛାତ୍ରସଂସଦ ନିର୍ବାଚନ ଘୋଷଣା କରାଯିବା ପରେ କେତେକ ସଂଗଠନକୁ ପ୍ରାର୍ଥୀ ଚୟନ ଚିନ୍ତା ଘାରିଥିବା ଆଲୋଚିତ ହେଉଛି । ଆଗାମୀ ଛାତ୍ରସଂସଦ ନିର୍ବାଚନରେ ଆସିକାର ୩ ମହାବିଦ୍ୟାଳୟରୁ କେଉଁ ପଦବୀ ପାଇଁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ବିଭିନ୍ନ ସଂଗଠନର ତୁଙ୍ଗ ନେତାମାନଙ୍କ ମଧ୍ୟରେ ଚାଲିଛି ଆଲୋଚନା ଓ ରୁଦ୍ଧଦ୍ୱାର ବୈଠକ । ଛାତ୍ରସଂସଦ ନିର୍ବାଚନ ପାଇଁ ବିଗୁଲ୍‍ ବାଜିସାରିଛି । ଏବେ କଲେଜ କ୍ୟାମ୍ପସ୍‍ ଯେତିକି ସରଗରମ ହୋଇଉଠିଛି ଆସିକା ରାଜନୀତି ମଧ୍ୟ ଦିନକୁ ଦିନ ସେତିକି ଉଷ୍ମ ହେବାରେ ଲାଗିଛି । ବିଭିନ୍ନ ସଂଗଠନ ନିଜର ସମର୍ଥିତ ପ୍ରାର୍ଥୀଙ୍କୁ ଆଗାମୀ ଛାତ୍ରସଂସଦ ନିର୍ବାଚନରେ ବିଜୟୀ କରି ଆଣି ସମ୍ମାନ ବଞ୍ଚାଇବାକୁ ଏବେଠୁ ପ୍ରାଣମୁର୍ଛା କସରତ ଆରମ୍ଭ କରିଦେଇଛନ୍ତି । ବିଜୁ ଛାତ୍ରଜନତା ଦଳ ପାଇଁ ଆଗାମୀ ଛାତ୍ରସଂସଦ ନିିର୍ବାଚନ ବଡ ପରୀକ୍ଷା ଓ ସମ୍ମାନର କଥା ବୋଲି କେତେକ ମହଲରେ ଚର୍ଚ୍ଚା ହେଉଛି । ଅତୀତରେ ବିଜେଡି ସରକାର ସମୟରେ ଛାତ୍ରସଂସଦ ନିର୍ବାଚନରେ ବହୁବାର ବିଜେଡି ସମର୍ଥିତ ପ୍ରାର୍ଥୀମାନେ ବାଜିମାତ୍‍ କରୁଥିଲେ । ଏବେ ଦଳ କ୍ଷମତାରେ ନଥିବାରୁ ଛାତ୍ରସଂସଦ ନିର୍ବାଚନର ଫଳାଫଳ ବିଜେଡି ପାଇଁ ଏକ ବଡ ସମ୍ମାନ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ମତ ପ୍ରକାଶ ପାଉଛି । ଦୀର୍ଘ ପ୍ରାୟ ୮ ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ବି ଦେଖାଦେଇଛି ଓ କଲେଜରେ ଛାତ୍ର ରାଜନୀତି ସରଗରମ ହେବାରେ ଲାଗିଛି । ଛାତ୍ରସଂସଦ ନିର୍ବାଚନ ପାଇଁ ବୁଧବାର ମହାବିଦ୍ୟାଳୟ ଗୁଡିକ ପକ୍ଷରୁ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆରମ୍ଭ ହୋଇଯାଇଛି ନିର୍ବାଚନୀ ପ୍ରକ୍ରିୟା । କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସହ ଭଲ ସଂପର୍କ ଥିବା ଓ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁଥିବା ଆଶାୟୀଙ୍କୁ ନେଇ ମଇଦାନକୁ ଛାଡିବାକୁ କେତେକ ସଂଗଠନ ପ୍ରସ୍ତୁତି ଚଳାଇଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ