ଅସ୍ତରଙ୍ଗ-କାକଟପୁରରେ ହଜାର ଏକର ଜମି ଜଳମଗ୍ନ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଲଗାଣ ବର୍ଷା ସହ ଦ୍ୱିତୀୟ ଲଘୁଚାପର ପ୍ରଭାବରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଅଞ୍ଚଳର ଚାଷ ଜମି ଜଳମଗ୍ନ ହୋଇଯାଇଛି। ଠିକ୍ ତଳି ରୁଆ ସମୟରେ ଏଭଳି ବର୍ଷା ଯୋଗୁଁ ହଜାର ହଜାର ଚାଷୀଙ୍କ ମୁଣ୍ଡରେ ହାତ।କାକଟପୁର ନିର୍ବାଚନ ମଣ୍ଡଳୀ ଅଧୀନ କନ୍ତିମଳା ସେତୁ ଦେଇ ପ୍ରବାହିତ ଜଳ କଜଳପାତିଆ, ସନ୍ତରସ, ସମା, କୋତାଙ୍ଗ ସହ ବଙ୍କୁରୀ ଅଞ୍ଚଳରେ ବ୍ୟାପକ ପ୍ରଭାବ ପକାଇଛି। ସେହିପରି ଅସ୍ତରଙ୍ଗ ବ୍ଲକ ଅଧୀନ ଦେବୀ ନଦୀର ଜଳସ୍ତର ବୃଦ୍ଧି ସହ ବର୍ଷା ଜଳ ଯୋଗୁଁ ଭଉଁରୀଆ ନିକଟ ବରାଙ୍ଗ, ଝାଡଲିଙ୍ଗ, ଅସ୍ତରଙ୍ଗ, ଆଳଙ୍ଗପୁର ପ୍ରମୁଖ ଅଞ୍ଚଳର ବିଭିନ୍ନ ଚାଷ ଜମିରେ ତଳି ବୁଡିକି ରହିଛି।ଚାଷୀ ବଳରାମ ବିଶ୍ୱାଳ ଅଭିଯୋଗ କରିଛନ୍ତି କିଛି ଦିନ ହେବ ଆମେ ଧାନ ତଳି ପକାଇଥିଲୁ। ଲଘୁଚାପ ଜନିତ ବର୍ଷା ଯୋଗୁଁ ତଳିଘେରାରେ ପାଣି ଜମିରହିଛି। ତଳି ଗଜା ହେବ କି ନାହିଁ ସେ ନେଇ ଆମେ ଆଶଙ୍କାରେ ଅଛୁ। ଯେଉଁ ଚାଷୀମାନେ ପ୍ରଥମ ଲଘୁଚାପ ପୂର୍ବରୁ ତଳି ପକାଇଥିଲେ, ସେମାନଙ୍କର ଗଛ ହୋଇଥିଲେ ମଧ୍ୟ ତାହା ଏବେ ପାଣି ଭିତରେ ରହିଛି। ଅଧିକ ଦିନ ପାଣିରେ ରହିଲେ ତଳି ହଳଦିଆ ହୋଇ ନଷ୍ଟ ହୋଇଯିବ।ଆଉ ଯେଉଁ ମାନେ ବର୍ଷା ସମୟରେ ପରେ ଧାନ ଗଜା କରି ତଳି ପକାଇଥିଲେ, ସେମାନେ ସମ୍ପୂର୍ଣ୍ଣ ନିରାଶ। ଦ୍ୱିତୀୟ ଲଘୁଚାପ ବର୍ଷାରେ ତଳି ଘେରା ବୁଡିଯାଇଥିବାରୁ ସମସ୍ତ ଗଜା ଧାନ ନଷ୍ଟ ହୋଇଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି। ଚାଷୀମାନେ ବାହାର ବଜାରରୁ ଚଢା ଦରରେ ଅଧିକ ଅମଳକ୍ଷମ ବିହନ କିଣି ତଳି ପକାଇଥିଲେ। ବର୍ତମାନ ଧାନ ବିହନ ଗଜା ନ ହେଲେ ପୁଣି କେଉଁଠୁ ବିହନ ଯୋଗାଡ଼ କରି ତଳି ପକାଇବା ସମ୍ଭବ ନୁହେଁ ବୋଲି ଅନେକ ଚାଷୀ ପ୍ରକାଶ କରିଛନ୍ତି। କାରଣ ଋତୁ ହାତରୁ ବାହାରି ସାରିଛି। ଚାଷୀମାନେ କହିଛନ୍ତି, ଜଳବାୟୁ ପରିବର୍ତନ ଯୋଗୁଁ କେତେବେଳେ ପ୍ରବଳ ବର୍ଷା ତ କେତେବେଳେ ପ୍ରବଳ ଖରା ହେବା ଯୋଗୁଁ ଚାଷ କରିବାକୁ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଠିକ୍ ସମୟରେ ବର୍ଷା ନ ହେବା ଏବଂ ହଠାତ୍ ଲଗାଣ ବର୍ଷା ହେବା ଯୋଗୁଁ ତଳି ପର୍ଯ୍ୟାୟ ସମ୍ପୂର୍ଣ୍ଣ ବିଫଳ ହେଉଛି। କ୍ଷତିଗ୍ରସ୍ତ ଚାଷୀମାନେ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ନିକଟରେ ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ମାଗଣାରେ ବିହନ ଓ ଋଣ ସୁବିଧା ଯୋଗାଇ ଦେଲେ ହିଁ ସେମାନେ ପୁଣି ଥରେ ତଳି ପକାଇପାରିବେ। ସ୍ଥାନୀୟ କୃଷି ଅଧିକାରୀଙ୍କ ସୂଚନା ଅନୁସାରେ, ପାଣି ଶୁଖିବା ପରେ ମାଟି ପରୀକ୍ଷା କରି ଚାଷୀଙ୍କୁ ପରାମର୍ଶ ଦିଆଯିବ। ତେବେ ସେ ପର୍ଯ୍ୟନ୍ତ ଚାଷୀଙ୍କ ଆଖିରେ ଲୁହ ଶୁଖୁନି। ଅସ୍ତରଙ୍ଗ କାକଟପୁର ପ୍ରମାଣ କଲା ପ୍ରକୃତିର ମାଡ଼ ଆଗରେ ଚାଷୀ କେତେ ଅସହାୟ।


