ଟିକରପଡା ଗୋଷ୍ଠୀ ସଂଘର୍ଷ ମାମଲା : ୨ ଜଣଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ କେ . ନୂଆଗାଁ ଥାନା ଅର୍ନ୍ତଗତ ସହଦେବ ଟିକରପଡା ଗ୍ରାମରେ ଗତ ୫ ତାରିଖ କାର୍ତ୍ତିକ ପୂର୍ଣିମା ସକାଳୁ ରାଜନୈତିକ ଛକାପଞ୍ଝାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷ ମାମଲା ରେ ପୋଲିସ ବୁଧବାର ୨ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତ ଦ୍ବୟ ହେଲେ ସ୍ଥାନୀୟ ସରପଞ୍ଚ ପ୍ରିୟଙ୍କା ନାୟକଙ୍କ ସ୍ବାମୀ ଶ୍ୟାମ ନାୟକ ଏବଂ ଅପର ଗୋଷ୍ଠୀର କାଳୁ ଗୈାଡ । ଗତ ପଞ୍ଚାୟତ ନିର୍ବାଚନ ପରେ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଉଭୟ ସରପଞ୍ଚ ଗୋଷ୍ଠୀ ଓ ବିଜେପି ଭୀଷ୍ମଗିରି ମଣ୍ଡଳ ସଦସ୍ୟ ମନୋଜ କୁମାର ସାହୁଙ୍କ ଗୋଷ୍ଠୀ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ପଞ୍ଚାୟତର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ଅନିୟମିତତା ହେଉଥିବା ନେଇ ମନୋଜ ଗୋଷ୍ଠୀ ଲଗାତାର ଅଭିଯୋଗ କରି ଆସୁଥିବା ବେଳେ ବିଜେଡ଼ି ସରକାର ସମୟରେ ମନୋଜ କରିଥିବା ବ୍ୟାଙ୍କ ଘର ପ୍ରକଳ୍ପ ସମ୍ପୂର୍ଣ୍ଣ ନକରି ବିଲ୍ ପାସ୍ କରିବାକୁ ଚାହୁଁଥିଲେ । ତେବେ ମନୋଜଙ୍କ ବିରୋଧରେ ସରପଞ୍ଚ ଗୋଷ୍ଠୀ ଅଭିଯୋଗ କରି ବିଲ୍ ବନ୍ଦ କରାଇବାରେ ସଫଳ ହୋଇଥିଲେ। ଯାହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ଏହି ଛକାପଞ୍ଝା କାର୍ତ୍ତିକ ପୂର୍ଣିମା ଦିନ ଉଗ୍ରରୂପ ନେଇଥିଲା । ସରପଞ୍ଚ ଗୋଷ୍ଠୀ ଗୋକର୍ଣ୍ଣେଶ୍ବର ମନ୍ଦିର ପୁନଃ ନିର୍ମାଣ କରିଥିବା ବେଳେ ମନୋଜ ସେହି ମନ୍ଦିରର ଫଟୋ ଉଠାଇବା ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ହୋଇଥିଲା । ଏଥିରେ ସରପଞ୍ଚ ଙ୍କ ସ୍ବାମୀ ଶ୍ୟାମ ସମେତ ମନୋଜ ଏବଂ ତାଙ୍କ ଗୋଷ୍ଠୀର କାଳୁ ସମେତ ଦୁଇ ସମର୍ଥକ ଆହତ ହୋଇଥିଲେ । ପୋଲିସ ଖବରପାଇ ଗ୍ରାମରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଉଭୟ ମନୋଜ ଓ ଶ୍ୟାମ ଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲ କୁ ଚିକିତ୍ସା ନିମନ୍ତେ ପଠାଯାଇଥିଲା । ଘଟଣା ଦିନ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା । ଏତଲାକୁ ଭିତ୍ତିକରି ପୋଲିସ ପୃଥକ କେସ୍ ନଂ ୩୮୩/୨୫ ଓ ୩୮୪/୨୫ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲା । ତେବେ ବ୍ରହ୍ମପୁରରୁ ମେଡିକାଲରେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିବା ଶ୍ୟାମ ଓ କାଳୁ ଙ୍କୁ ପୋଲିସ ଗିରଫ କରିବା ସହ ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ବେଳେ ମନୋଜ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧିନ ରହିଥିବା ଥାନା ଅଧିକାରୀ କିଶୋର ଚନ୍ଦ୍ର ସାମଲ କହିଛନ୍ତି ।


