ଆଜି ଦେବସ୍ନାନ ପୂର୍ଣ୍ଣିମା : ବର୍ଷକରେ ଦିନଟିଏ ପ୍ରତ୍ୟକ୍ଷ ସ୍ନାନ କରନ୍ତି ଦାରୁଦିଅଁ
ଆସିକା (ୱାଇଏନ୍ଏସ୍) : ଆଜି ମହାପ୍ରଭୂଙ୍କ ସ୍ନାନଯାତ୍ରା । ସ୍ନାନମଣ୍ଡପରେ ଦିବ୍ୟସ୍ନାନ କରି ଦୁର୍ଲଭ ଗଜାନନ ବେଶରେ ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ରତ୍ନବେଦିରୁ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ପହଣ୍ଡିରେ ସ୍ନାନବେଦୀକୁ ଆଣିବେ ସେବାୟତ । ବର୍ଷତମାମ ମହାପ୍ରଭୂ ଜଗତସାଇଁ ମନ୍ତ୍ରସ୍ନାନ କରୁଥିବା ବେଳେ ସ୍ନାନପୂର୍ଣ୍ଣିମା ଦିନ ୧୦୮ ଗଡୁ ସୁବାସିତ ଅଭିମନ୍ତ୍ରିତ ପବିତ୍ର ଜଳରେ ସ୍ନାନ କରିବା ସହ ଗଜାନନ ବେଶରେ ଦର୍ଶନ ଦେବେ । ଦେବସ୍ନାନ ପୂର୍ଣ୍ଣିମା ଦିନ ସ୍ନାନମଣ୍ଡପରେ କାଳିଆ ସାଅନ୍ତଙ୍କୁ ନିଷ୍ଠାର ସହ ଭକ୍ତିପୁତ ହୃଦୟରେ ଦର୍ଶନ ସହ ପୂଜାର୍ଚ୍ଚନା କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ଲୋକକଥା ପ୍ରଚଳିତ ହୋଇଆସୁଛି । ଶ୍ରୀଜଗନ୍ନାଥଙ୍କ ଅନେକ ଉତ୍ସବ ଓ ନୀତିକାନ୍ତି ମଧ୍ୟରୁ ଦେବସ୍ନାନ ପୂର୍ଣ୍ଣିମା ଅନ୍ୟତମ । ଜ୍ୟେଷ୍ଟମାସ ପୂର୍ଣ୍ଣିମାକୁ ଦେବସ୍ନାନ ପୂର୍ଣ୍ଣିମା ଭାବେ ପାଳନ କରାଯାଇଥାଏ । ପରମ୍ପରା ଅନୁଯାୟୀ ଚତୁର୍ଦ୍ଧା ବିଗ୍ରହ ବର୍ଷରେ ଏହି ଗୋଟିଏ ଦେବସ୍ନାନ ପୂର୍ଣ୍ଣିମାରେ ପ୍ରତ୍ୟକ୍ଷ ସ୍ନାନ କରିଥାନ୍ତି । ତେଣୁ ଉକ୍ତ ଦିନକୁ ସ୍ନାନଯାତ୍ରା ବୋଲି କୁହାଯାଇଥାଏ । ସାଧାରଣତଃ ବର୍ଷକର ଥରୁଟିଏ ବିଶ୍ୱବ୍ରହ୍ମାଣ୍ଡର ତ୍ରାଣକର୍ତ୍ତା ଶ୍ରୀଜଗନ୍ନାଥ ଭଉଣୀ ଓ ଭାଇଙ୍କ ସହିତ ପାରମ୍ପରିକ ରୀତିରେ ବେଦଧ୍ୱନି ମଧ୍ୟରେ ସୁବାସିତ ଅଭିମନ୍ତ୍ରିତ ଜଳରେ ସ୍ନାନ କରିଥାନ୍ତି ଏବଂ ଅନ୍ୟ ସମୟରେ କାଳିଆ ସାଅନ୍ତଙ୍କୁ ମନ୍ତ୍ରସ୍ନାନ କରାଯାଇଥାଏ । ବର୍ଷର ବିଭିନ୍ନ ସମୟରେ ହେଉଥିବା ଏକାଧିକ ନୀତିକାନ୍ତି ମଧ୍ୟରୁ ଜଗତକର୍ତ୍ତା ମହାବାହୁଙ୍କ ସ୍ନାନଯାତ୍ରା ଅନ୍ୟତମ । ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ଚିନିଶିଳ୍ପ ନୁଆଗାଁ, ଆସିକା ପୌର ପରିଷଦର ଖମ୍ବେଶ୍ୱରୀପାଟଣା, ସୁନାମ୍ବ ସାହି ସମେତ ଆଖପାଖ ଅଞ୍ଚଳରେ ଥିବା ବହୁ ପୁରାତନ ଜଗନ୍ନାଥ ମନ୍ଦିର ଗୁଡିକରେ ସ୍ନାନମଣ୍ଡପ ରହିଥିଲା ବେଳେ ଶ୍ରୀ ବିଗ୍ରହମାନେ ଦେବସ୍ନାନ ପୂର୍ଣ୍ଣିମାରେ ଉକ୍ତ ମଣ୍ଡପରେ ସୁବାସିତ ଅଭିମନ୍ତ୍ରିତ ଜଳରେ ସ୍ନାନ କରୁଥିବାରୁ ସେଗୁଡିକୁ ସ୍ନାନମଣ୍ଡପ କୁହାଯାଇଥାଏ । ମହାପ୍ରଭୂ ଶ୍ରୀଜଗନ୍ନାଥ କୋଟି ଓଡିଆଙ୍କ ଆରାଧ୍ୟ ଦେବତା ହୋଇଥିଲା ବେଳେ ଅନନ୍ୟ ତାଙ୍କର ମାନବୀୟ ଲୀଳା । ଜଗତକର୍ତ୍ତା ମହାବାହୁ କାଳିଆ ସାଅନ୍ତ ନବଦିନାତ୍ମକ ଯାତ୍ରା ସମୟରେ ଅନେକ ଅଳଙ୍କାର ପରିଧାନ କରୁଥିଲା ବେଳେ ମସ୍ତକରେ ଟାହିଆ ମଧ୍ୟ ଶୋଭା ପାଇଥାଏ । ଶ୍ରୀ ବିଗ୍ରହମାନେ ସ୍ନାନଯାତ୍ରା, ପହଣ୍ଡି, ରଥଯାତ୍ରା, ବାହୁଡାଯାତ୍ରା ସମେତ ଆଡପ ମଣ୍ଡପ ଓ ନୀଳାଦ୍ରିବିଜେ ସମୟରେ ମସ୍ତକରେ ଟାହିଆ ପରିଧାନ କରିଥାନ୍ତି । ଏପରିକି ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପକୁ ପହଣ୍ଡିରେ ଆସିବା ଠାରୁ ଆରମ୍ଭ କରି ଅଣସପ ପିଣ୍ଡିକୁ ଯିବା ବେଳେ ମଧ୍ୟ ଅତିସୁନ୍ଦର ଟାହିଆ ପରିଧାନ କରିଥାନ୍ତି । ଆସନ୍ତାକାଲି ଅର୍ଥାତ୍ ସୋମବାର ପାଳିତ ହେବାକୁ ଥିବା ଦାରୁବ୍ରହ୍ମ ଚତୁର୍ଦ୍ଧାମୂର୍ତ୍ତୀଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଜଗନ୍ନାଥ ମନ୍ଦିର ଗୁଡିକ ଚଳଚଞ୍ଚଳ ଓ ଉତ୍ସବମୁଖର ହୋଇଉଠିଥିଲା ବେଳେ ଶ୍ରଦ୍ଧାଳୁ ଭକ୍ତ ଯଦି ଦୃଢ ବିଶ୍ୱାସର ସହ ଶ୍ରଦ୍ଧା, ଭକ୍ତି ଓ ନିଷ୍ଠାରେ ଜଗତକର୍ତ୍ତା କାଳିଆ ସାଅନ୍ତଙ୍କ ଶ୍ରୀଚରଣାରବିନ୍ଦରେ ନିଜକୁ ସମର୍ପି ଦେଇଥାଏ ତେବେ ନିଶ୍ଚିତ ଭାବେ ବିଭୂକୃପା ଲାଭ କରିବା ସାଙ୍ଗକୁ ମନୋବାଞ୍ଛା ପୂରଣ ହୋଇଥାଏ ବୋଲି ଶ୍ରଦ୍ଧାଳୁ ଭକ୍ତଙ୍କ ମହଲରେ ଲୋକପ୍ରଥା ପ୍ରଚଳିତ ଥିବା ଦେଖିବାକୁ ମିଳୁଛି ।


