ଆଜି ବିଶ୍ୱ ଧରିତ୍ରୀ ଦିବସ
ଆସିକା (ୱାଇଏନ୍ଏସ୍): ଆଜି ଅର୍ଥାତ୍ ଏପ୍ରିଲ ମାସ ୨୨ ତାରିଖରେ ପାଳିତ ହେଉଛି ବିଶ୍ୱ ଧରିତ୍ରୀ ଦିବସ । ପରିବେଶର ସୁରକ୍ଷା ଏବଂ ପ୍ରଦୂଷଣ ହ୍ରାସ ଓ ଜଳବାୟୁ ପରିବର୍ତ୍ତନ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତ୍ୟେକ ବର୍ଷ ଏପ୍ରିଲ ମାସ ୨୨ ତାରିଖକୁ ବିଶ୍ୱ ଧରିତ୍ରୀ ଦିବସ ରୂପେ ପାଳନ କରାଯାଇଥାଏ । ଏହି ଦିବସରେ ଜଳବାୟୁ ପରିବର୍ତ୍ତନର ସମସ୍ୟା, ଶକ୍ତି ସଂରକ୍ଷଣ, ଖାଦ୍ୟ ଦ୍ରବ୍ୟ ଓ କୃଷି ଉତ୍ପାଦନ ବୃଦ୍ଧି, ଜୈବ ବିବିଧତାର ସୁରକ୍ଷା ସାଙ୍ଗକୁ ପରିଷ୍କାର ପରିଚ୍ଛନ୍ନତା ଓ ସୁସ୍ଥ ବାତାବରଣ ଉପରେ ଗୁରୁତ୍ୱାରୋପ କରାଯାଇଥାଏ । ପରିବେଶ ସୁରକ୍ଷା ଏବଂ ସଚେତନତା ସୃଷ୍ଟି ପାଇଁ ବିଶ୍ୱ ଧରିତ୍ରୀ ଦିବସ ପାଳନର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ବୋଲି ଆସିକା ଅଞ୍ଚଳର ବରିଷ୍ଠ ପରିବେଶବିତ୍ ଗୁଣ୍ଡିଚା ମହାରଣା ସୂଚନା ପ୍ରଦାନ କରିକହିଛନ୍ତି ଯେ ଦିନକୁ ଦିନ ଜଳ, ସ୍ଥଳ ଓ ବାୟୁମଣ୍ଡଳ ଅତିମାତ୍ରାରେ ପ୍ରଦୂଷିତ ହେବାରେ ଲାଗିଛି । ଏଣୁ ପୃଥିବୀକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଗଛ ଲଗାଇ ଧରିତ୍ରୀକୁ ସୁରକ୍ଷା ଦେବା ଓ ପ୍ରାକୃତିକ ସଂପଦର ସୁରକ୍ଷା କରିବା ସାଙ୍ଗକୁ ରାସାୟନିକ ସାର ଓ ପୋକମରା ଔଷଧର ବହୁଳ ବ୍ୟବହାରକୁ ନିୟନ୍ତ୍ରଣ କରିବା ସାଂପ୍ରତିକ ପରିସ୍ଥିତିରେ ଅତ୍ୟନ୍ତ ଜରୁରୀ ହୋଇପଡିଛି । ଜଳବାୟୁରେ ଅସ୍ୱାଭାବିକତା, ବର୍ଷାର ଅନିୟମିତତା, ବାୟୁମଣ୍ଡଳରେ ଉତ୍ତାପ ବୃଦ୍ଧି ଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ସତର୍କ ଓ ସଚେତନ ହେବା ଆବଶ୍ୟକ ହୋଇଥିଲା ବେଳେ ପ୍ଳାଷ୍ଟିକ ବ୍ୟବହାରକୁ କମାଇବା ଓ ପରିବେଶକୁ ସଦାସର୍ବଦା ସଫାସୁତରା ରଖିବା ସାଙ୍ଗକୁ ଅଧିକରୁ ଅଧିକ ଗଛ ଲଗାଇ ଧରିତ୍ରୀକୁ ସବୁଜିମାରେ ପରିଣତ କରିବା ସହ ଜଙ୍ଗଲ, ଜଳ ଓ ପ୍ରାକୃତିକ ସଂପଦର ସୁରକ୍ଷା ପାଇଁ ଆଗେଇ ଆସିବାକୁ ସେ ଆହ୍ୱାନ କରିଥିବା ଜଣାପଡିଛି । ବିଶ୍ୱ ଧରିତ୍ରୀ ଦିବସ ପାଳନ ଅବସରରେ ଚଳିତବର୍ଷର ସନ୍ଦେଶ ହେଉଛି ଆମ ଶକ୍ତି, ଆମ ପୃଥିବୀ । ପରିବେଶକୁ ସୁରକ୍ଷିତ ରଖିବା ପାଇଁ ୧୯୭୦ ମସିହା ଠାରୁ ଆଜି ପର୍ଯ୍ୟନ୍ତ ପ୍ରତିବର୍ଷ ଏପ୍ରିଲ ମାସ ୨୨ ତାରିଖକୁ ବିଶ୍ୱ ଧରିତ୍ରୀ ଦିବସ ରୂପେ ପାଳନ କରାଯାଇଆସୁଛି । ଆସିକା ଅଞ୍ଚଳର ଜଣାଶୁଣା ପରିବେଶପ୍ରେମୀ ଗୁଣ୍ଡିଚା ମହାରଣା ବୃତ୍ତିରେ ଜଣେ ଅଭିଜ୍ଞ ବାଇକ୍ ମେକାନିକ୍ ହୋଇଥିଲେ ବି ଅଧିକରୁ ଅଧିକ ଚାରାରୋପଣ କରି ପରିବେଶ ପ୍ରତି ତାଙ୍କର ଅତୁଟ ସମର୍ପଣ ମନୋଭାବ ନିଶ୍ଚିତ ଭାବେ ଆଗାମୀ ଯୁବପିଢୀ ପାଇଁ ପ୍ରେରଣାର ଉତ୍ସ ହୋଇରହିବ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଇଥିବା ଦେଖିବାକୁ ମିଳୁଛି ।


