ଆଜି ବିଶ୍ୱ ଷ୍ଟ୍ରୋକ୍‍ ଦିବସ

ଆସିକା (ୱାଇଏନ୍‍ଏସ୍‍) :ଅକ୍ଟୋବର ମାସ ୨୯ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ମସ୍ତିଷ୍କାଘାତ ଦିବସ (ବିଶ୍ୱ ଷ୍ଟ୍ରୋକ୍‍ ଡେ) । ବ୍ରେନ୍‍ ଷ୍ଟ୍ରୋକ୍‍ (ମସ୍ତିଷ୍କ ଆଘାତ) ବିଷୟରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସ ୨୯ ତାରିଖକୁ ବିଶ୍ୱ ଷ୍ଟ୍ରୋକ୍‍ ଦିବସ ରୂପେ ପାଳନ କରାଯାଇଆସୁଛି । ବିଶ୍ୱ ଷ୍ଟ୍ରୋକ୍‍ ଦିବସ ବା ବିଶ୍ୱ ମସ୍ତିଷ୍କାଘାତ ଦିବସ ପାଳନ ଅବସରରେ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର)ର ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇ କହିଛନ୍ତି ଯେ ଷ୍ଟ୍ରୋକ୍‍ ହେଉଛି ମସ୍ତିଷ୍କକୁ ସାଂଘାତିକ ଭାବରେ ଆକ୍ରାନ୍ତ କରିବା କାରଣ ଶରୀରର ସବୁ ଅଙ୍ଗ ତଥା କୋଷ ଭଳି ମସ୍ତିଷ୍କକୁ ମଧ୍ୟ ଆବଶ୍ୟକ ପଡିଥାଏ ଅକ୍ସିଜେନ୍‍ ଓ ପୁଷ୍ଟି । ଏହି ଅକ୍ସିଜେନ୍‍ ଓ ପୁଷ୍ଟି ମସ୍ତିଷ୍କର ସ୍ନାୟୁକୋଷ ଗୁଡିକୁ ଯୋଗାଇଥାଏ ରକ୍ତ । ସୁତରାଂ ମସ୍ତିଷ୍କକୁ ସଠିକ୍‍ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ରକ୍ତ ସଂଚାଳନ ଅବ୍ୟାହତ ରହିବା ଅପରିହାର୍ଯ୍ୟ । ମସ୍ତିଷ୍କକୁ ରକ୍ତ ସଂଚାଳନ ବ୍ୟାହାତ ହୋଇପଡିଲେ ମସ୍ତିଷ୍କର ସ୍ନାୟୁଗୁଡିକ ଅକ୍ସିଜେନ୍‍ ଏବଂ ପୁଷ୍ଟି ପାଇବାରୁ ବଞ୍ଚିତ ହେବା ସ୍ୱଭାବିକ । ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ଧମନୀର ଅଭ୍ୟନ୍ତରରେ ରକ୍ତ ଜମାଟ ବାନ୍ଧିଲେ ସ୍ନାୟୁକୋଷ ନିକଟକୁ ରକ୍ତ ସଂଚାଳନ ବାଧାପ୍ରାପ୍ତ ହୋଇଥାଏ ଓ ସ୍ନାୟୁକୋଷ ଗୁଡିକ ଆଶାନୁରୂପ ଅକ୍ଟିଜେନ୍‍ ପାଇପାରିନଥାଏ । ଏପରିକି ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ରକ୍ତନଳୀ ବି ହଠାତ୍‍ ଫାଟିଗଲେ ବି ସ୍ନାୟୁକୋଷ ନିକଟକୁ ରକ୍ତ ସଂଚାଳିନ ହୋଇପାରି ନଥାଏ । ଯାହାରି ଫଳରେ ମନୁଷ୍ୟର ମସ୍ତିଷ୍କରେ ଷ୍ଟ୍ରୋକ୍‍ ଲକ୍ଷ୍ୟଣ ଦେଖାଦେଇଥାଏ । ମସ୍ତିଷ୍କ ଆଘାତ ଦେଖାଦେବା ମାତ୍ରେ ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସାସେବା ଯୋଗାଇବା ନିତାନ୍ତ ଆବଶ୍ୟକ । ଉଚ୍ଚ ରକ୍ତଚାପ, ମଧୁମେହ, ହୃଦରୋଗ, ନିଶାଦ୍ରବ୍ୟ ସେବନ, ଆଳସ୍ୟ ଜୀବନଶୈଳୀ, ରକ୍ତରେ କେଲେଷ୍ଟ୍ରଲର ମାତ୍ରା ବେଶୀ ରହିଲେ ଷ୍ଟ୍ରୋକ୍‍ରେ ଆକ୍ରାନ୍ତ ହେବା ଯଥେଷ୍ଟ ସମ୍ଭାବନା ଥାଏ । ଏଥିରୁ ରକ୍ଷା ପାଇବା ପାଇଁ ନିୟମିତ ବ୍ୟାୟାମ କରିବା ସହିତ ଶରୀରର ଓଜନ ନିୟନ୍ତ୍ରଣ କରିବା ସାଙ୍ଗକୁ ବେଶୀ ତେଲ ଛଣାଛଣି ଖାଦ୍ୟ ନଖାଇବା, ସୁଷମ ସନ୍ତୁଳିତ ଖାଦ୍ୟ ଖାଇବା, ଧୁମପାନ ଏବଂ ନିଶାଦ୍ରବ୍ୟ ସେବନ ଠାରୁ ସଦାସର୍ବଦା ଦୂରେଇ ରହିବା, ରକ୍ତଚାପ ଏବଂ କେଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ । ଲୋକମାନଙ୍କୁ ଷ୍ଟ୍ରୋକ୍‍ର ପ୍ରାଥମିକ ଲକ୍ଷ୍ୟଣ ଯେପରିକି ମୁହଁ ବଙ୍କା ହୋଇଯିବା ଏବଂ ହାତ ଦୁର୍ବଳ ଲାଗିବା ଓ କଥାବାର୍ତ୍ତାରେ ଅସୁବିଧା ହେବା ବିଷୟରେ ସଚେତନ ସୃଷ୍ଟି କରିବା ଲାଗି ଏହି ଦିବସ ପାଳନ କରାଯାଉଥିଲା ବେଳେ ଷ୍ଟ୍ରୋକ୍‍ ଏକ ମେଡିକାଲ୍‍ ଜରୁରୀ ହୋଇଥିବାରୁ ରୋଗୀଙ୍କୁ ବିଳମ୍ବ ନକରି ଡାକ୍ତରଖାନା ନେବା, ଷ୍ଟ୍ରୋକ୍‍ ପରେ ପକ୍ଷାଘାତର ଶୀକାର ହେଉଥିବା ବ୍ୟକ୍ତିଙ୍କୁ ସଠିକ୍‍ ସମୟରେ ଫିଜିଓଥେରାପି ଏବଂ ମାନସିକସ୍ତରରେ ସହାୟତା ଯୋଗାଇଦେବା ନିତାନ୍ତ ଆବଶ୍ୟକ । ତେଣୁ ଭୟାବହ ମସ୍ତିଷ୍କାଘାତ ରୋଗର ଭୟାବହତା ସଂପର୍କରେ ଜନସାଧାରଣ ସଚେତନ ହେବା ନିତାନ୍ତ ଜରୁରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ