ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଉତ୍କର୍ଷ ନିମାପଡ଼ା ୨.୦ ପାଳିତ ହେଉଥିବା ଅବସରରେ ନିମାପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ନିମାପଡ଼ା ଓ ଗୋପ ବ୍ଲକ ମିଶନ ଶକ୍ତି ପକ୍ଷରୁ ଏକ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଓଡ଼ିଶାର ପାରମ୍ପରିକ ପିଠାପଣା ଓ ସଂସ୍କୃତି ସାରା ବିଶ୍ୱ ରେ ଆମକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଏହି ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ନିମାପଡ଼ା ଓ ଗୋପ ବ୍ଲକ ସୁଭଦ୍ରାଶକ୍ତି ମିଶନ ଶକ୍ତି ବିଭାଗ ପକ୍ଷରୁ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଏବଂ ମେଳା ଅନୁଷ୍ଠିତ ହୋଇଥିଲା। ମେଳାରେ ଓଡ଼ିଶାର ପ୍ରସିଦ୍ଧ ଓ ପାରମ୍ପରିକ ପିଠାପଣା ପ୍ରଦର୍ଶିତ କରାଯାଇଥିଲା । ପ୍ରତିଯୋଗିତାରେ ନିମାପଡ଼ା ବ୍ଲକ ଅଧୀନ ୩୨ଟି ଗ୍ରାମପଞ୍ଚାୟତ ଓ ଏନ୍‌ଏସିର ମିଶନ ଶକ୍ତି ମହିଳା ଦଳ ଏବଂ ଗୋପ ବ୍ଲକର ୧୪ଟି ଗ୍ରାମପଞ୍ଚାୟତର ମହିଳା ଟିମ୍ ପକ୍ଷରୁ ପ୍ରାୟ ୪୦ଟି ଆକର୍ଷଣୀୟ ଷ୍ଟଲ୍ ଖୋଲାଯାଇଥିଲା। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସେଫ୍ ମାଷ୍ଟର ମଞ୍ଜୁ ଓଝା ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଅଞ୍ଜୁ ପ୍ରଧାନ , ପୁରୀ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଅଧିକାରିଣୀ ତନୁପ୍ରଭା ବେଉରା, ନିମାପଡ଼ା ତହସିଲଦାର ମନୋଜ କୁମାର ପ୍ରଧାନ ଏବଂ ବିଡିଓ ଡ. ଅଭିଜିତ ଷଡ଼ଙ୍ଗୀ ଯୋଗ ଦେଇଥିଲେ । ଆମ ପାରମ୍ପରିକ ପିଠାପଣା ପାଇଁ ଓଡ଼ିଶା ଆଜି ଗର୍ବିତ । ଏହି ହଜିଯାଉଥିବା ସ୍ୱାଦକୁ ଆଗାମୀ ପିଢ଼ି ପାଇଁ ବଞ୍ଚାଇ ରଖିବାରେ ମିଶନ ଶକ୍ତିର ମା’ମାନଙ୍କର ଏହି ପ୍ରୟାସ ପ୍ରଶଂସନୀୟ ବୋଲି ଅତିଥିମାନେ ମତ ପ୍ରକାଶ କରିବା ସହିତ ବିଭିନ୍ନ ଷ୍ଟଲ୍ ବୁଲି ଦେଖିବା ସହ ମା’ମାନଙ୍କ ହାତରନ୍ଧା ଭଳିକି ଭଳି ସୁଆଦିଆ ପିଠାର ସ୍ୱାଦ ପରଖି ଅତ୍ୟନ୍ତ ଖୁସି ବ୍ୟକ୍ତ କରି ଥିଲେ । କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ଶତାଧିକ ମହିଳା ଉପସ୍ଥିତ ରହି ନିଜର ରନ୍ଧନ କଳା ପ୍ରଦର୍ଶନ କରିଥିଲେ । ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଏବଂ ସେମାନଙ୍କ ଭିତରେ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ଦିଗରେ ‘ଉତ୍କର୍ଷ ନିମାପଡ଼ା ୨.୦’ ଏକ ବଡ଼ ମାଧ୍ୟମ ସାଜିଛି । ପାରମ୍ପରିକ ଖାଦ୍ୟକୁ କିପରି ନୂଆ ନୂଆ ଚିନ୍ତାଧାରାରେ ଉପସ୍ଥାପନା କରାଯାଇ ପାରିବ ତାହାକୁ ଉତ୍ସାହିତ କରାଯାଉଛି । ଓଡ଼ିଶାର ସେଲିବ୍ରିଟି ମାଷ୍ଟର ସେଫ ଅଞ୍ଜୁ ଓ ମଞ୍ଜୁ ଯିଏକି ପ୍ରତିଯୋଗିତାରେ ବିଚାରକ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ