5 ଲକ୍ଷ ଲୁଟ ମାମଲା: 2 ଅନ୍ତଃରାଜ୍ୟ ଲୁଟେରା ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଆଦଶ ଥାନାର ଆଇଆଇସି ପ୍ରଶାନ୍ତ କୁମାର ଭୂପତିଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ 5 ଲକ୍ଷ ଲୁଟ ମାମଲାର 2 ଘଣ୍ଟାରେ ସଫଳ ପର୍ଦାଫାଶ ହୋଇପାରିଛି. ଏଥିସହ ଲୁଟ ହୋଇଥିବା 5 ଲକ୍ଷ ଟଙ୍କା ଉଦ୍ଧାର ହେବା ସହ 2 ଜଣ ଅନ୍ତଃରାଜ୍ୟ ଲୁଟେରା ଗିରଫ ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟଶାଖା ସମ୍ମୁଖରୁ ଗତ ଶନିବାର ମଧ୍ୟାହ୍ନରେ ସାଇଲଡ଼ା ଗ୍ରାମର ଏମ୍.ସୂରିୟା ରାଓଙ୍କ ପାଖରୁ ୫ ଲକ୍ଷ ଟଙ୍କା ଲୁଟିନେଇ ଲୁଟେରାମାନେ ଚମ୍ପଟ ମାରିଥିଲେ। ପାରଳା ଥାନା ଆଇଆଇସି ପ୍ରଶାନ୍ତ କୁମାର ଭୂପତିଙ୍କ କାର୍ଯ୍ୟଦକ୍ଷତା ଓ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ଵରୂପ ନାକାବନ୍ଦୀ, ସିସିଟିଭି ଫୁଟେଜ୍ ଯାଞ୍ଚ ଓ ବିଭିନ୍ନ ସ୍ଥାନରେ ଚଢ଼ଉ ମାଧ୍ୟମରେ ମାତ୍ର ୪୦ ମିନିଟ୍ ପରେ ଦୁଇଜଣଙ୍କୁ କାବୁ କରିବାରେ ସଫଳ ହେବା ସହ ସେମାନଙ୍କଠୁ ଲୁଟ୍ ଟଙ୍କା ଜବତ କରିବା କରିବାରେ ସକ୍ଷମ ହୋଇଥିଲା। ଏଥିରେ ସମ୍ପୃକ୍ତ ଦୁଇ ଲୁଟେରା ଆନ୍ଧ୍ରପ୍ରଦେଶର ନେଲୋର୍ ଜିଲ୍ଲା ଶ୍ରୀପୋଜିଶ୍ରୀରାମୁଲୁର ପେଟଲା ଦେବଧାନମ ଓରଫ ଦେବା (୪୦) ଏବଂ ଗୋଟି ସଲମାନ (୫୪)କୁ ଗିରଫ କରି ଗତକାଲି ଅପରାହ୍ନରେ ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରାଯାଇଛି। ଉଭୟ ଆନ୍ଧ୍ରପ୍ରଦେଶରେ ପ୍ରଦେଶରେ ସକ୍ରିୟ ଏକ ଅନ୍ତଃରାଜ୍ୟ ଅପରାଧୀ ଗ୍ୟାଙ୍ଗ୍ର ସଦସ୍ୟ । ସେମାନଙ୍କ ପାଖରୁ ୫ ଲକ୍ଷ ଟଙ୍କା, ବ୍ୟାଙ୍କ ପାସ୍ବୁକ୍, ଚେକ୍ବୁକ୍ ଏବଂ ଅପରାଧରେ ବ୍ୟବହୃତ ବାଇକ୍ ଜବତ ହୋଇଛି। ପଚରାଉଚରା ବେଳେ ସେମାନେ ବ୍ୟାଙ୍କରୁ ବହୁ ପରିମାଣର ନଗଦ ଉଠାଉଥିବା ଗ୍ରାହକଙ୍କୁ ଟାର୍ଗେଟ କରୁଥିବା ସ୍ବୀକାର କରିଛନ୍ତି। ତେବେ ଗ୍ୟାଙ୍ଗର ଅନ୍ୟ ଦୁଇ ସଦସ୍ୟ ଫେରାର ଥିବା ବେଳେ ସେମାନଙ୍କୁ ଧରିବାକୁ ଏକ ସ୍ବତନ୍ତ୍ର ଟିମ୍ ଗଠିତ ହୋଇଛି।ଅନ୍ୟପକ୍ଷରେ ଗିରଫ ଦୁଇ ଅଭିଯୁକ୍ତ ଓଡ଼ିଶାର ୫ ପୁଲିସ ଜିଲ୍ଲା ବଲାଙ୍ଗୀର, କଳାହାଣ୍ଡି, ଗଞ୍ଜାମ, ବ୍ରହ୍ମପୁର ଓ ଗଜପତିରେ ଘଟିଥିବା ଏକାଧିକ ଲୁଟ୍ ଏବଂ ଚୋରି ମାମଲାରେ ସଂପୃକ୍ତ । ସେମାନେ ପୁଲିସର ୱାଣ୍ଟେଡ୍ ତାଲିକାରେ ରହିଛନ୍ତି। ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ଗ୍ରାହକଙ୍କୁ ପିଛା କରି ଡିକି ଭାଙ୍ଗି ନଗଦ ଚୋରି, ବ୍ୟାଗ୍ ଝାମ୍ପି ନେବା ଏବଂ ସୁନା ମଙ୍ଗଳସୂତ୍ର ଛିନ୍ତାଇ ଭଳି ୧୧ଟି ଆପରାଧିକ ମାମଲାରେ ସେମାନଙ୍କ ସମ୍ପୃକ୍ତି ରହିଛି।


