ବିଶିଷ୍ଟ ପାଲା ଗାୟକ ଉପେନ୍ଦ୍ର ନାଥ ମିଶ୍ରଙ୍କୁ ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ): ବିଶିଷ୍ଟ ପାଲା ଗାୟକ ଉତ୍କଳ ଗୌରବ ଉପେନ୍ଦ୍ର ନାଥ ମିଶ୍ରଙ୍କୁ ଓଡିଶା ସରକାରଙ୍କ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଶ୍ରୀଯୁକ୍ତ ମିଶ୍ର ତାଙ୍କ ଜୀବନ କାଳ ଭିତରେ ପାଲା ଗୁରୁ ହିସାବରେ ୫୦ରୁ ଉର୍ଦ୍ଧ ପାଲା ଗାୟକ କରିବାରେ ସଫଳତା ହାସଲ କରିଛନ୍ତି। ସେ ହରିଚନ୍ଦନପୁର ବ୍ଲକ ଗଣ୍ଡଡିହା ଗ୍ରାମରେ ଦୀର୍ଘ ବର୍ଷ ହେଲା ରହି ଆସୁଥିବା ବେଳେ ଏବେ ନିଜ ଜନ୍ମସ୍ଥାନ ହାଟଡିହି ବ୍ଲକ ନସିରପୁର ଗ୍ରାମରେ ରହୁଛନ୍ତି। ୭୦ବର୍ଷ ବୟସ ଅତିକ୍ରମ କରିଥିଲେ ମଧ୍ୟ ପାଲା ଜଗତରେ ରହି ଗାୟକ ସୃଷ୍ଟି କରିବାର ପ୍ରୟାସ ଜାରି ରଖିଛନ୍ତି। ସରକାରଙ୍କ ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଭଞ୍ଜକଳା ମଣ୍ଡପ ଠାରେ ସମ୍ବର୍ଦ୍ଧିତ ହେବାପରେ ତାଙ୍କ ଛାତ୍ର ଛାତ୍ରୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ଶୁଭେଛାର ସୁଅ ଛୁଟିଛି। ତାଙ୍କ ପାଖରେ ୫୦ ବର୍ଷର ପାଲା ଗାଇବାର ଅଭିଜ୍ଞତା ଥିବା ବେଳେ ସେ ଶୁନାମଧନ୍ୟ ଗାୟକ ପରମାନନ୍ଦ ଶରଣ ଙ୍କ ଠାରୁ ପାଲା ଶିକ୍ଷା କରିଥିଲେ। ସେ ପୂର୍ବରୁ ବ୍ଲକ, ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ସମ୍ବର୍ଦ୍ଧିତ ହୋଇଥିଲେ।


