ବିଦ୍ରୋହୀ ବିଜେଡି ବିଧାୟକଙ୍କ ପାଇଁ ବଢ଼ିଲା ଅଡ଼ୁଆ, ୫ ଜଣଙ୍କୁ ହାଇକୋର୍ଟଙ୍କ ନୋଟିସ୍

କଟକ, (ଓ୍ବାଇଏନଏସ): ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ ବିଜୁ ଜନତା ଦଳ (ବିଜେଡି)ରେ ଦେଖାଦେଇଥିବା ଆଭ୍ୟନ୍ତରୀଣ ବିବାଦ ଏବେ ଆଇନଗତ ଲଢ଼େଇର ରୂପ ନେଇଛି। ଦଳର ବିଦ୍ରୋହୀ ବିଧାୟକଙ୍କ ସଭ୍ୟପଦ ରଦ୍ଦ ସମ୍ପର୍କିତ ମାମଲାରେ ଗୁରୁବାର ହାଇକୋର୍ଟ ପାଞ୍ଚ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରିବା ସହ ସେମାନଙ୍କଠାରୁ ଜବାବ ତଲବ କରିଛନ୍ତି। ଆସନ୍ତା ଜାନୁଆରୀ ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ହାଇକୋର୍ଟଙ୍କ ନୋଟିସ୍ ପାଇଥିବା ବିଧାୟକମାନେ ହେଲେ ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ସନାତନ ମହାକୁଡ଼, ସୌଭିକ ବିଶ୍ୱାଳ ଓ ଚକ୍ରମଣୀ କହଁର। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ବାଚସ୍ପତିଙ୍କ ନିକଟରେ ସାନି ଆବେଦନ କରିବାର ବୈଧତା ପ୍ରସଙ୍ଗ ମୁଖ୍ୟତଃ ଉଠିଥିଲା। ବାଚସ୍ପତିଙ୍କ ପକ୍ଷରୁ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରି ଆଡ୍‌ଭୋକେଟ୍ ଜେନେରାଲ କହିଥିଲେ ଯେ, ବିଧାୟକଙ୍କ ସଭ୍ୟପଦ ରଦ୍ଦ ସମ୍ପର୍କରେ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶ ନ୍ୟାୟିକ ପ୍ରକ୍ରିୟାର ଏକ ଅଂଶ। ତେଣୁ ଉକ୍ତ ନିର୍ଦ୍ଦେଶର ପୁନର୍ବିଚାର କରିବା ପାଇଁ କୌଣସି ବ୍ୟବସ୍ଥା ନଥିବା ସେ ଯୁକ୍ତି ରଖିଥିଲେ। ଏହି ପ୍ରସଙ୍ଗକୁ ବିଚାରକୁ ନେଇ ହାଇକୋର୍ଟ ସମ୍ପୃକ୍ତ ପାଞ୍ଚ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି। ତେବେ ଏହି ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିବାକୁ ଥିବାରୁ ଆଗାମୀ ଶୁଣାଣି ଉପରେ ରାଜନୈତିକ ମହଲର ନଜର ରହିଛି। ସୂଚନାନୁସାରେ, ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ ବିଜେଡିରେ ବିବାଦ ତୀବ୍ର ହୋଇଥିଲା। ଦଳର ଆଠ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା ଅଭିଯୋଗ ପରେ ସେମାନଙ୍କ ସଭ୍ୟପଦ ରଦ୍ଦ କରିବାକୁ ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲା ବିଜେଡି। କିନ୍ତୁ ବାଚସ୍ପତି ବୈଷୟିକ କାରଣ ଦର୍ଶାଇ ଉକ୍ତ ଆବେଦନକୁ ଖାରଜ କରିଥିଲେ। ଏହାପରେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବିଜେଡି ପକ୍ଷରୁ ହାଇକୋର୍ଟରେ ମାମଲା ଦାଏର କରାଯାଇଥିଲା। ଅନ୍ୟପକ୍ଷରେ, ଆବେଦନକାରୀଙ୍କ ଯୁକ୍ତି ହେଉଛି ଯେ, ସେମାନେ କେବଳ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗରେ ନ୍ୟାୟାଳୟର ହସ୍ତକ୍ଷେପ ଲୋଡ଼ିଛନ୍ତି। ଏହି ଆବେଦନକୁ ହାଇକୋର୍ଟ ଗ୍ରହଣ କରିଥିବାରୁ ଆଗାମୀ ଶୁଣାଣିରେ ମାମଲା କେଉଁ ଦିଗକୁ ଗତି କରୁଛି, ତାହା ସ୍ପଷ୍ଟ ହେବ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ