ବାତ୍ୟା ‘ଅର୍ଣ୍ଣବ’ ଚାଷୀଙ୍କ ପାଇଁ ଆଶୀର୍ବାଦ ପାଲଟିଲା

ହାଟଡିହି, (ଓ୍ବାଇଏନଏସ): ବାତ୍ୟା ଅର୍ଣ୍ଣବ କାହାପାଇଁ ଅଭିଶାପ ପାଲଟି ଥିବା ବେଳେ କାହାପାଇଁ ଆଶୀର୍ବାଦ ପାଲଟିଛି। ବର୍ଷା ଅଭାବରୁ ମରୁଡ଼ି ଆଶଙ୍କାରେ ଥିବା ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ହୋଇଥିବା ଲଗାଣ ବର୍ଷା। ଧାନ ଫସଲର ଥୋଡ଼ ବାହାରିବା ଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ପାଣି ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଥିବା ବେଳେ ଦୁଇଦିନର ବର୍ଷା ଚାଷଜମିକୁ ନୂଆ ଜୀବନ ଦେଇଛି। ଫଳରେ ଧାନ ଫସଲକୁ ବଞ୍ଚାଇବା ନେଇ ଚାଷୀଙ୍କ ମନରେ ଆଶା ସଞ୍ଚାର ହୋଇଛି। ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଦୀର୍ଘଦିନ ଧରି ବର୍ଷା ହୋଇନଥିବାରୁ ଚାଷଜମି ଶୁଖି ଫାଟି ଆଁ କରିଥିଲା। ବିଶେଷକରି ଧାନ ଥୋଡ଼ ବାହାରିବା ସମୟରେ ଜମିରେ ଜଳାଭାବ ଦେଖାଦେବାରୁ ଫସଲ ନଷ୍ଟ ହେବା ଆଶଙ୍କା ବଢ଼ିଯାଇଥିଲା। ବ୍ଲକର ଅକରୁଆ, ବଞ୍ଚୋ, ଶାସଙ୍ଗ, ପଞ୍ଚୁଗୋଛିଆ, ସୋସୋ, ହଦଗଡ଼, କେବାଲିପାଳ, ସମଣା ଭଳି ୮ଟି ପଞ୍ଚାୟତରେ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଉପୁଜିଥିବାରୁ ଚାଷୀମାନେ ଫସଲକୁ ବଞ୍ଚାଇବା ପାଇଁ ନାନା ଉଦ୍ୟମ କରୁଥିଲେ। କେତେକ ଚାଷୀ ପମ୍ପ ଯୋଗେ ଜମିକୁ ପାଣି ମଡ଼ାଉଥିବା ବେଳେ ଅନ୍ୟ କେତେକ ଜଳସେଚନ ସୁବିଧା ଯୋଗାଇଦେବା ଦାବିରେ ରାସ୍ତାରୋକ କରିବାକୁ ବାଧ୍ୟ ହୋଇଥିଲେ। ଏଭଳି ପରିସ୍ଥିତିରେ ଚାଷୀମାନେ ଆକାଶକୁ ଚାହିଁ ବର୍ଷାକୁ ଅପେକ୍ଷା କରି ରହିଥିଲେ। ତେବେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗତ ଦୁଇଦିନ ଧରି ହୋଇଥିବା ବର୍ଷା ଚାଷୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି। ଏହି ସମୟ ମଧ୍ୟରେ ହାଟଡିହି ବ୍ଲକ ଅଞ୍ଚଳରେ ମୋଟ ୧୦୨ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ବର୍ଷା ଯୋଗୁଁ ଶୁଖିଲା ପଡ଼ିଥିବା ଧାନ କିଆରିରେ ପାଣି ଜମିବା ସହ ଫସଲରେ ପୁନର୍ବାର ଆଶା ସଞ୍ଚାର ହୋଇଛି। ଦୀର୍ଘଦିନ ଧରି ବର୍ଷା ଅଭାବରୁ ଚିନ୍ତିତ ଥିବା ଚାଷୀଙ୍କ ମୁହଁରେ ଏବେ ଆଶାର ହସ ଫୁଟିଛି। ଏହି ବର୍ଷା ଧାନ ଫସଲ ପାଇଁ ବେଶ୍ ଉପକାରୀ ହେବ ବୋଲି ଚାଷୀମାନେ ଆଶା ବାନ୍ଧିଛନ୍ତି। ତେବେ ଧାନ ଅମଳ ପର୍ଯ୍ୟନ୍ତ ଏହି ବର୍ଷା ଫସଲକୁ କେତେ ମାତ୍ରାରେ ସହାୟକ ହେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ