ଚୋରି ଅଭିଯୋଗରେ ଦୁଇ ଗିରଫ, ଚୋରି ସାମଗ୍ରୀ ଜବତ
ପୋଲସରା,(ଅନନ୍ତ କୁମାର ମହାରଣା) : ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ପୋଲସରା ଥାନା ପୋଲିସ ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇ ଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଦୀପକ କୁମାର ମିଶ୍ର ଓ ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏସଆଇ ବିମଲ କୁମାର କହଁର ଓ ଏଏସଆଇ ଦାମୋଦର ଦେହୁରୀ ଉପସ୍ଥିତ ଥିଲେ। ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ପୋଲସରା ଥାନା ଅନ୍ତର୍ଗତ ରାଣୀପଡା ହରିଜନ ସାହିର କବିରାଜ ବିଷୋୟୀ (୬୨) ଓ ରାଣୀପଡା ବିଦ୍ୟାଳୟ ସାହିର ଲକ୍ଷ୍ମୀକାନ୍ତ ମହାରଣା (୨୮)। ଏତଲା ପ୍ରକାରେ ପୋଲସରା ପାଟଣା ପଦର ସାହିର ଜଗନ୍ନାଥ ମହାରଣା ନିଜ ଘରେ ଚାବି ପକାଇ ବ୍ରହ୍ମପୁର ପୁଅ ପାଖକୁ ଯାଇଥିଲେ। ସେ ୯/୪/୨୫ ତାରିଖ ଦିନ ସନ୍ଧ୍ୟାରେ ଘରକୁ ଫେରି ଦେଖନ୍ତି ଯେ ଘରର ଚାବି ଭାଙ୍ଗି ଏକ ଶୋରସିଆ ମାଳି, ଏକ ଯୋଡ଼ା କାନଫୁଲ, ତିନି ଯୋଡା କାନ ରିଙ୍ଗ, ଏକ ଯୋଡ଼ା ନାକଫୁଲ , ନଗଦ ୬୫ ହଜାର ଟଙ୍କା ଓ ପ୍ରାୟ ୭ ଶହ ପୁରୁଣା ଗେଣ୍ଡୁ ମୁଦ୍ରା ଚୋରି ହୋଇଯାଇଛି।୧୧/୪/୨୫ ତାରିଖରେ ଅଭିଯୋଗ ପ୍ରକାରେ ପୋଲସରା ଥାନା କେସ ନଂ ୨୪୧/୨୫ ଏକ ମାମଲା ରୁଜୁ କରିଥିଲେ। ଆଇଆଇସି ଶ୍ରୀ ମାଝୀଙ୍କ ନିର୍ଦ୍ଦେଶ ପ୍ରକାରେ ସହକାରୀ ଉପ ଆରକ୍ଷୀ ନିରୀକ୍ଷକ ଦାମୋଦର ଦେହୁରୀ ଏହି ମାମଲାର ଅନୁସନ୍ଧାନ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ମାମଲାରେ କବିରାଜ ବିଷୋୟୀ ଓ ଲକ୍ଷ୍ମୀକାନ୍ତ ମହାରଣା ଦୁଇ ଜଣଙ୍କୁ ଗିରଫ କରିବା ସହ ସେ ଦୁହେଁ ୪/୪/୨୫ ତାରିଖ ପ୍ରାୟ ଘଣ୍ଟେ ରାତ୍ରରେ ଚୋରି କରିଥିବା ସ୍ୱୀକାର କରିବା ସହ ପୋଲିସ ସେ ଦୁହିଁଙ୍କ ଠାରୁ ୧୫ ହଜାର ଟଙ୍କା, ଏକ ସୁନା ମଙ୍ଗଳସୂତ୍ର ମାଳି, ତିନି ଯୋଡ଼ା ସୁନା କାନ ରିଙ୍ଗ, ଏକ ସୁନା ଶୋରିସିଆ ମାଳି, ଏକ ଯୋଡ଼ା ସୁନା କାନଫୁଲ, ଏକ ଯୋଡ଼ା ନାକଫୁଲ, ୪ ଯୋଡ଼ା ରୁପା ପାଉଁଚି, ଓ ୧୨୦ ଗୋଟି ପୁରୁଣା ଗେଣ୍ଡୁ ଟଙ୍କା ଜବତ କରିଥିଲେ। ମଦ ପିଆ ଓ ଜୁଆ ଖେଳରେ ଅବଶିଷ୍ଟ ଟଙ୍କା ବ୍ୟୟ କରିଥିବା ସେ ଦୁହେଁ ପ୍ରକାଶ କରିଥିଲେ। ୧୧/୨/୨୪ ତାରିଖ ଦିନ ରାତ୍ର ଦୁଇ ଘଣ୍ଟା ସମୟରେ ସେ ଦୁହେଁ ଶ୍ରଦ୍ଧାପୁର ଜଗନ୍ନାଥ ସାହିରେ ଚୋରି କରିଥିବା ମଧ୍ୟ ସ୍ୱୀକାର କରିଥିଲେ।