ଶ୍ରମିକ ଦିବସରେ ଛତା ବଣ୍ଟନ ସହ ଆଇନ ସଚେତନତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ସ୍ଥିତ ଆର.ଏମ.ସି. କାର୍ଯ୍ୟାଳୟରେ ଗତକାଲି ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ପଦାଧିକାରୀଙ୍କ ମିଳିତ ସହଯୋଗରେ ଏକ ନିଆରା ଢଙ୍ଗରେ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ରାଉଳ ନୂତନ ଶ୍ରମ ଆଇନର ଉପକାରିତା ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ। ସେହିପରି ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଶ୍ରମିକମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ବ୍ୟବସ୍ଥା ଓ କ୍ଷତିପୂରଣ ବ୍ୟବସ୍ଥା ଉପରେ ସମସ୍ତଙ୍କୁ ସୂଚନା ଦେବା ସହ ଆଇଜେଏମ୍ ର ମାର୍କଣ୍ଡ ମିଶ୍ର ଉଦ୍ଧାର ହୋଇଥିବା ବେଠି ଶ୍ରମିକର ଦୁର୍ଦ୍ଦଶା ତଥା ସରକାରୀ ସହାୟତା ଉପରେ ବିଶେଷ ଆଲୋକପାତ କରିଥିଲେ। ସେହିପରି ଅନ୍ୟମାନଙ୍କ ମଧ୍ୟରେ ଆର.ଏମ୍. ସି.ର ପୂର୍ବତନ ସଚିବ ରେବତୀ ମୋହନ ରାଉତ, ଟ୍ରାଫିକ ଇନ୍ସପେକ୍ଟର ବାଲ୍ମିକୀ ପ୍ରଧାନ, ମୋଟର ଶ୍ରମିକ ସଂଘର ଅଧ୍ୟକ୍ଷ ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରମିକ ଦିବସରେ ନିଜର ବକ୍ତବ୍ୟ ରଖିଥିଲେ। ପରେ ଉପସ୍ଥିତ ଶ୍ରମିକମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯିବା ସହ ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡ଼ାଙ୍କ ସହଯୋଗରେ ଖରା ଦାଉରୁ ରକ୍ଷା ପାଇବା ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ହାତରେ ଉପସ୍ଥିତ ଜନସାଧାରଣଙ୍କୁ ଛତା ବଣ୍ଟନ କରାଯାଇଥିଲା।


