କେନ୍ଦ୍ର ସମବାୟ ବ୍ୟାଙ୍କରେ ଉତ୍କଳ ଳଗୌରବ ମଧୁସୂଦନ ଦାସ ଜନ୍ମତିଥି ପାଳନ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜନ୍ମତିଥି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ନିଜ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି । ମଂଚାସୀନ ଅତିଥିମାନେ ପ୍ରଥମେ ଉତ୍କଳ ଗୌରବ ମଧୁସୂଦନ ଦାସ ଫଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ପ୍ରଦାନ କରି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି କାନନ ବିହାରୀ ପହିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦୁଝର ଜିଲ୍ଲା ସମବାୟ ଉପଖଣ୍ଡର ଉପନିବନ୍ଧକ ଶୁଭ୍ରକାନ୍ତି ତୁଙ୍ଗ ମଧୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ସେ ନିଜ ବକ୍ତବ୍ୟରେ ବ୍ୟାଙ୍କ ତରଫରୁ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆର୍ଥିକ ସହାୟତା ପ୍ରଦାନରେ ଅଗ୍ରଣୀ ଭୂମିକାକୁ ପ୍ରଶଂସା ସହ ମହିଳାମାନଙ୍କ ସାମାଜିକ ତଥା ଆର୍ଥିକ ଉନ୍ନତି କେବଳ ନିଜେ ନିଜେ ଉତ୍ପାଦକ ସଂସ୍ଥା ଗଠନ ଓ ପରିଚାଳନା ଏବଂ ଋଣର ସଦ୍ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ବ୍ୟାଙ୍କର ସଭାପତି କାନନ ବିହାରୀ ପହି ଏହି ଅବସରରେ ମଧୁବାବୁଙ୍କ ଅନନ୍ୟ ଗୁଣଗାନ କରି ସେ ସମୟରେ ସମବାୟ ମାଧ୍ୟମରେ କିପରି ଦୁର୍ବଳ ବର୍ଗମାନଙ୍କ ଆର୍ଥିକ ତଥା ସହଭାଗିତା,ସହଯୋଗିତା ଉପଲବ୍ଧି କରି ସମବାୟ ସୋସାଇଟି ଗଠନ କରିଥିଲେ । ସରକାର ମହିଳାମାନଙ୍କ ଆର୍ଥିକ ଉନ୍ନତି ତଥା ସ୍ୱାବଲମ୍ବନ ପାଇଁ ଗୋଷ୍ଠୀ ମାଧ୍ୟମରେ ଋଣ ତଥା ରିହାତି ପ୍ରଦାନ କରୁ ଅଛନ୍ତି ତାହାର ଏକ ଚିତ୍ର ପ୍ରଦାନ କରିଥିଲେ । ସବୁ ମହିଳାମାନେ ଏହି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ନିଜର ଆୟ ବୃଦ୍ଧି ସହ ରାଜ୍ୟ ତଥା ଦେଶ ଅଭିବୃଦ୍ଧିରେ ସହାୟକ ହେବେ ବୋଲି ସେ ଆଶା ପୋଷଣ କରିଥିଲେ । ମଧୁସୂଦନ ଜୟନ୍ତୀ ପାଳନ ଅବସରରେ ବ୍ୟାଙ୍କ ର ସଭାପତି କାନନ ବିହାରୀ ପହି ଓ ଜିଲ୍ଲା ସମବାୟ ଖଣ୍ଡ ଉପନିବନ୍ଧକ ଶୁଭ୍ରକାନ୍ତି ତୁଙ୍ଗ ଦୁଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବର୍ଦ୍ଧିତ ୧୦ ଲକ୍ଷ ଟଙ୍କା ଲେଖାଏଁ ଋଣ ମଞ୍ଜୁରୀ ପତ୍ର ପ୍ରେରଣ କରିଥିଲେ । ବ୍ୟାଙ୍କର ସହକାରୀ ପରିଚାଳକ ଆଲୋକ ବଳ ଏହି ସଭାକୁ ସଂଯୋଜନା କରିଥିଲେ । ଦୁଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ନିଜର ଅନୁଭୂତି ଓ ସେମାନଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟପନ୍ଥା ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର କର୍ମଚାରୀ ତଥା ବ୍ୟାଙ୍କ ତରଫରୁ ଉପକୃତ ହୋଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ । ଶେଷରେ ବ୍ୟାଙ୍କର ପ୍ରକଳ୍ପ ଅଧିକାରୀ ରବି ନାରାୟଣ ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ ।