ଅନଶନରେ ବସିଲେ ମା ଓ ପୁଅ: ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ
ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅନ୍ତର୍ଗତ ନାଉଗାଁ ଅଂଚଳର ରାସ୍ତା ପାଶ୍ୱର୍ରେ ଖାତା ନମ୍ବର-୧୦୨୫ ବାସନ୍ତୀ ମହାରଣା ଦୀର୍ଘ ୩୦ ବର୍ଷ ହେବ ବସବାସ କରି ଆସୁଛନ୍ତି। କିନ୍ତୁ ସରକାରଙ୍କ ବସୁନ୍ଧରା ଯୋଜନାରେ ସ୍ଥାନୀୟ ତହସିଲଦାର ତାଙ୍କୁ ଜମିପଟ୍ଟା ନ ଦେବାରୁ ବାସନ୍ତୀ ଓ ତାଙ୍କ ପୁଅ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଦ୍ୱିତୀୟ ଥର ପାଇଁ ଅନଶନରେ ବସି ରହିଥିଲେ। ଘଟଣାସ୍ଥଳରେ ଭାରାପ୍ରାପ୍ତ ତହସିଲଦାର ଅଜୟ ମହାନ୍ତି ପହଁଚି ଯଥାଶୀଘ୍ର ଜମି ପଟ୍ଟା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବାସନ୍ତୀ ଓ ତାଙ୍କ ପୁଅ ଅନଶନରୁ ଓହରିଥିବା ଜଣାଯାଇଛି। ଅଭିଯୋଗ ମୁତାବକ ବାସନ୍ତୀଙ୍କ ବାପ ଘର ଗଂଜାମ ଜିଲ୍ଲାରେ। ତାଙ୍କୁ ୧୮ ବର୍ଷ ବୟସ ହୋଇଥିବା ବେଳେ ସେ ଯାଜପୁର ଜିଲ୍ଲା ଯାଜପୁର ରୋଡସ୍ଥିତ ପଲାସିଆ ଗ୍ରାମର ଯୁବକ ସୁରେନ୍ଦ୍ର ମହାରଣାଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଶାଶୁ ଘର କିମ୍ବା ବାପ ଘର ଲୋକ ତାଙ୍କୁ ଘରେ ରଖି ନଥିଲେ। ତେଣୁ ସେ ତାଙ୍କ ସ୍ୱାମୀଙ୍କ ସହ ନାଉଗାଁ ଆସିଥିଲେ। ଏଠାରେ ସ୍ୱାମୀ କାମ ଧନ୍ଦା କରି ପରିବାର ପ୍ରତିପୋଷଣ କରୁଥିଲେ। ସ୍ୱାମୀଙ୍କ ସହ କିଛି ବର୍ଷ ରହିବା ପରେ ସୁରେନ୍ଦ୍ର ତାଙ୍କୁ ଛାଡି କେଉଁଆଡେ ପଳାଇ ଗଲେ। ଖୋଜା ଖୋଜି କରିବା ପରେ ସେ ତାଙ୍କୁ ପାଇ ନଥିଲେ। ବାଧ୍ୟ ହୋଇ ବାସନ୍ତୀ ମୂଲ ମଜୁରୀ ଲାଗି ଏଠାରେ ପଡି ରହିଛନ୍ତି। ବାସନ୍ତୀଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି। ଉକ୍ତ ବ୍ଳକରେ ତାଙ୍କର ରାସନ କାର୍ଡ, ଭୋଟର ପରିଚୟ ପତ୍ର,ଆଧାରକାର୍ଡ ଆଦି ରହିଛି। କିନ୍ତୁ ସରକାରଙ୍କ ବସୁନ୍ଧରା ଯୋଜନାରେ ବାରମ୍ବାର ଆବେଦନ କଲେ ମଧ୍ୟ ତାଙ୍କୁ ଜମିପଟା ଯୋଗାଇ ଦିଆଯାଉନାହିଁ। ଏସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହି। ଶାଶୁ ଘରକୁ ଆଦୌ ଯାଇ ନଥିବାରୁୁ ଶାଶୁଘର କେଉଁଠି ସେ ଦେଖିନାହାନ୍ତି। ପୁଅ ,ଝିଅ ବଡ ହେବା ପରେ ତାଙ୍କୁ କେଉଁ ଠାରେ ରଖିବି ଓ ସେମାନଙ୍କର ଭବିଷ୍ୟତ କ’ଣ ହେବ ତାହା ପାଇଁ ସେ ଚିନ୍ତିତ ଅଛନ୍ତି। ଗତ ମାର୍ଚ୍ଚ ୨ରେ ଜମିପଟ୍ଟାର ସମାଧାନ ନ ହେଲେ ଅପ୍ରେଲ ୨ରେ ଅନଶନରେ ବସିବା ପାଇଁ ପାଇଁ ଲିଖିତ ଭାବେ ଜଣାଇଥିଲେ। ଏହାର କୌଣସି ସମାଧାନ ନ ହେବାରୁ ଗତ ଅପ୍ରେଲ ୨ରେ ସେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବା ସହ ଏସଂକ୍ରାନ୍ତରେ ଲିଖିତ ଭାବେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଜଗତସିଂହପୁର, ତହସିଲଦାର,ମାନବାଧିକାର କମିଶନ ଆଦିଙ୍କୁ ଜଣାଇଥିଲେ।