କେ.ବାଲିପାଳର ଗ୍ରାମର ବିଭିନ୍ନ କାମ ଅଟକି ଥିବାରୁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ କେ.ବାଲିପାଳ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାମ ଅଟକି ଥିବାରୁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ।  ନିକଟରେ ସରକାର ବସୁନ୍ଧରା ଯୋଜନାରେ ସମସ୍ତ ଘରଡିହ ବିହୀନ ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କୁ ଘରଡିହ ପଟ୍ଟା ପ୍ରଦାନ କରିବା ପାଇଁ ସରକାରଙ୍କ ତରଫରୁ ସର୍ଭେ କାର୍ଯ୍ୟ କରାଯାଇ ଥିଲା । ଏହି ସର୍ଭେରେ କେ.ବାଲିପାଳ ଗ୍ରାମର ୧୨୬ ପରିବାର ସଂପୂର୍ଣ୍ଣ ଭୂମିହୀନ ଅନୁସୂଚିତ ଜନଜାତି ପରିବାର ଚିହ୍ନଟ ହୋଇଥିଲେ । ତହସିଲଦାର ହାଟଡିହି ଏବଂ ଆର.ଆଇ ପଢିଆରପଲ୍ଲୀ ଗାଁ ସ୍ତରରେ ସମସ୍ତ କାର୍ଯ୍ୟ ସମାପ୍ତ କରି ସାରିଛନ୍ତି । କିନ୍ତୁ କେ.ବାଲିପାଳ ଗ୍ରାମବାସୀ ବସବାସ କରୁଥିବା ପ୍ଲଟ ଗୁଡିକ ଜଳାଶୟ କିସମ୍ ହୋଇଥିବାରୁ ଏହା ଜଳ ସମ୍ପଦ ବିଭାଗର ଜଳମଗ୍ନ ସୀମା ଚିହ୍ନଟ କରିବାପାଇଁ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି ।ପ୍ରକାଶ ଥାଉ କି ୧୯୬୫-୭୦ ମସିହାରେ ହଦଗଡ ଡ଼୍ୟାମ ବନ୍ଦ ନିର୍ମାଣ ସମୟରେ ଏହି କେ.ବାଲିପାଳ ଗ୍ରାମର ୪୧୯୦ ଏକର ଜମି ଜଳମଗ୍ନ ହେବ ବୋଲି ସରକାରୀ ରେକର୍ଡ ତଥ୍ୟରେ ଉଲ୍ଲେଖ ରହିଛି। ମାତ୍ର ଡ଼୍ୟାମ ନିର୍ମାଣ ହେବାର ୫୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ଅଞ୍ଚଳ ଜଳମଗ୍ନ ହେଉ ନାହିଁ। ଜଳ ସମ୍ପଦ ବିଭାଗ ଆବଶ୍ୟକତାରୁ ଅଧିକ ଅଞ୍ଚଳ ନେଇଥିବାରୁ ଗ୍ରାମବାସୀଙ୍କ ଦୁଃଖର ଅନ୍ତ ହେଉ ନାହିଁ ବୋଲି ଗ୍ରାମବାସୀ ମାନେ କହିଛନ୍ତି।  ସରକାରଙ୍କ ନିୟମ ଅନୁସାରେ ଯେ କୌଣସି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ହୋଇଥାଏ ପାଞ୍ଚ ବର୍ଷ ଭିତରେ ତାହା ବ୍ୟବହାର ନହେଲେ ତାହା ପୂର୍ବ ଅବସ୍ଥାକୁ ଫେରି ଆସେ ବୋଲି ଜଙ୍ଗଲ ଅଧିକାର ଆଇନ ରେ ଉଲେଖ ଥିଲେ ବି ତାହା କାର୍ଯ୍ୟକାରୀ ହେଉନି ବୋଲି ବୁଦ୍ଧିରାମ ପୂର୍ତ୍ତି, ଶ୍ରୀରାମ ପୂର୍ତ୍ତି, ସୁମା ମହାକୁଡ଼, ସାଧ ହୋ, କାଣ୍ଡେ ହେମ୍ରମ ପ୍ରମୁଖ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ