ଅସମ୍ପୂର୍ଣ୍ଣ ପ୍ରକଳ୍ପ ଶେଷ ପାଇଁ ଡିଏଫଓଙ୍କୁ ଭେଟିଲେ ବିଧାୟକଙ୍କ ସମେତ ଗ୍ରାମବାସୀ

ହାଟଡିହି (ଚିତ୍ତ ରଞ୍ଜନ ଦାଶ): ଗ୍ରାମ୍ୟ ଉନ୍ନୟନ ବିଭାଗର ଅବହେଳା ଯୋଗୁଁ କେ.ବାଲିପାଳ ପଞ୍ଚାୟତ ବାସୀ ହନ୍ତସନ୍ତ ହେଉଛନ୍ତି। ଅଟକି ଯାଇଥିବା ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ବନଖଣ୍ଡ ଅଧିକାରୀଙ୍କୁ ଭେଟିଛନ୍ତି  ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି , ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଓ କେ.ବାଲିପାଳ ଗ୍ରାମ ପଞ୍ଚାୟତର ଯୁବଗୋଷ୍ଠୀ  । ଯୁବଗୋଷ୍ଠୀ ଙ୍କ ଅଭିଯୋଗ ଅନୁଯାଇ ଛତ୍ରାଘାଟି ୦/୦୦୦କି.ମି.ଠାରୁ ବାଲିପାଳ ପର୍ଯ୍ୟନ୍ତ ୧୦/୧୮୬କି.ମି ରାସ୍ତା  ୨୦୨୨-୨୩ ମସିହାରେ ଡିଏ.ଏମ୍.ଏଫ୍ ଅନୁଦାନ ମଞ୍ଜୁର ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟ ହୋଇ ପାରିନି। ଗତ ସେପ୍ଟେମ୍ବର ମାସ ୨୨ତାରିଖ ରେ ହାଟଡିହି ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଗ୍ରାମବାସୀ ମାନେ ଜିଲ୍ଲାପାଳ ଙ୍କୁ ଭେଟି ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କ ପ୍ରଶ୍ନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ମାନେ ପରିବେଶ ମଞ୍ଜୁରୀ ପାଇଁ  ଆବେଦନ ହୋଇଛି ଜଙ୍ଗଲ ବିଭାଗ ଅନୁମତି ମିଳିଲେ କାର୍ଯ୍ୟ ଆରମ୍ଭ ହେବ ବୋଲି ମିଥ୍ୟା କହି ଥିଲେ। କିନ୍ତୁ ଡ଼ିଏଫ ଓ ଙ୍କୁ ଭେଟିବାରୁ ସେପରି କିଛି ଆବେଦନ ଆସିନଥିବା କହିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗର ଏପରି ମିଥ୍ୟା ଉତ୍ତରକୁ ନେଇ ଯୁବଗୋଷ୍ଠୀ ଅସନ୍ତୋଷ ପ୍ରକାଶ କରିଥିଲେ।   ଅନ୍ୟ ପକ୍ଷରେ ମୟୁରନଚା ନାଳରେ ୫ବର୍ଷ ତଳେ ବନବିଭାଗ ଦ୍ୱାରା ନିର୍ମାଣ କରାଯାଇ ଥିବା ପୋଲ ଗତବର୍ଷ ବର୍ଷା ଋତୁରେ ଗୋଟିଏ ପଟ କାନ୍ଥ ଭୁଶୁଡ଼ି ପଡିଥିଲା। ଏହାକୁ ଗ୍ରାମବାସୀ ପୂର୍ବତନ ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଜୁନ୍ ମାସ ପୂର୍ବରୁ ପୋଲର ପୁନଃ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବାର ପ୍ରତିଶ୍ରୁତି ଦେଇଥିଲେ। ଏହା କାର୍ଯ୍ୟକ୍ଷମ ନ ହେବାରୁ ଏ ବର୍ଷ ବର୍ଷା ଋତୁରେ ଅଧିକ ନଷ୍ଟ ହୋଇଥିବାରୁ କେ.ବାଲିପାଳ ଗ୍ରାମର ରେସନ୍ ହିତାଧିକାରୀଙ୍କ ଚାଉଳ ବୋଝେଇ ଗାଡ଼ି ଗାଁକୁ ଆସି ପାରି ନଥିବାରୁ ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସର ରେସନ୍ ଚାଉଳ ପାଇପାରି ନ ଥିବା ଗ୍ରାମବାସୀ ମାନେ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏ ସମ୍ପର୍କରେ ବିଧାୟକ ଓ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ଡ଼ିଏଫଓ ଙ୍କ ସହିତ  ଆଲୋଚନା କରିଥିଲେ।  ବନଖଣ୍ଡ ଅଧିକାରୀ ୧୦ ଦିନ ଭିତରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶ୍ଵସନା ଦେଇଥିଲେ।  ବିଧାୟକଙ୍କ ସହିତ ବାଲିପାଳ ଗ୍ରାମର  ବୁଦ୍ଧିରାମ ପୂର୍ତ୍ତି, ରାଉତ ହୋ,ସିଙ୍ଗିରାଇ ପୂର୍ତ୍ତି ,ସୁକୁରାମ ହେମ୍ବ୍ରମ୍,ସାମୁ ପୂର୍ତ୍ତି,ନାରଣ ସୋରେନ୍,ବୁଧୁ ମହାକୁଡ,ସିଙ୍ଗିରାଇ ହେମ୍ବ୍ରମ୍ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ