ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପ ନିର୍ଦେଶକ ବସନ୍ତ ପ୍ରଧାନଙ୍କ ଗୁଣପୁର ପରିଦର୍ଶନ
ଗୁଣପୁର (ୱାଇ ଏନ ଏସ): ସୂଚନା ଓ ଲୋକ ସମ୍ପର୍କ ବିଭାଗର ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ ଗୁଣପୁର ଗସ୍ତ କରିଥିଲେ । ଏହି ଅବସରରେ ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରି କାର୍ଯ୍ୟ ପ୍ରଣାଳୀ ତଦାରଖ କରିଥିଲେ । ପାଠାଗାରରେ ଥିବା ବହି, ଖବର କାଗଜ, ସଭ୍ୟ ସଭ୍ୟାଙ୍କ ସଦସ୍ୟତା ଇତ୍ୟାଦି ଯାଞ୍ଚ କରିଥିଲେ । ପାଠାଗାରର ସଜସଜ୍ଜା, ବିଭିନ୍ନ ପ୍ରତିଯୋଗିତା ନିମନ୍ତେ ଯୁବ ବର୍ଗଙ୍କୁ ପରୀକ୍ଷା ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଉପ ନିର୍ଦ୍ଦେଶକ ଅନୁଧ୍ୟାନ କରିଥିଲେ । ପ୍ରତିଦିନ ପାଠାଗାରକୁ ଆସୁଥିବା ପାଠକ ଓ ବିଭିନ୍ନ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି କରୁଥିବା ଯୁବ ସମାଜ ପାଠାଗାରକୁ ଆସି ପ୍ରସ୍ତୁତି ଚଲାଇବା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ( ନେଟ, ଏସି) ପ୍ରସ୍ତୁତ କରିବା ନିମନ୍ତେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉପ ନିର୍ଦ୍ଦେଶକଙ୍କ ଏହି ଗସ୍ତ ସମୟରେ ଗୁଣପୁରର ବରିଷ୍ଠ ସାମ୍ବାଦିକ କେ ସମେଶ୍ବର ରାଓ,ରାଧାକୃଷ୍ଣ ପଟନାୟକ ପ୍ରମୁଖ ସାକ୍ଷାତ କରି ପାଠାଗାର ନିକଟରେ ସଭାଗୃହ ନିର୍ମାଣ କରିବା, ସାମ୍ବାଦିକଙ୍କ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନା ଉପରେ ଆଲୋଚନା କରିଥିଲେ । ପରେ ଉପ ନିର୍ଦ୍ଦେଶକ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ସହ ସାକ୍ଷାତ କରି ସୂଚନା କେନ୍ଦ୍ରର ଆବଶ୍ୟକ ସୁବିଧା ଯୋଗାଇ ଦେବା ନିମନ୍ତେ ଅନୁରୋଧ କରିଥିଲେ । ଉପ ନିର୍ଦ୍ଦେଶକଙ୍କ ଗସ୍ତ ସମୟରେ ରାୟଗଡା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ରାୟଗଡ଼ ସୂଚନା କେନ୍ଦ୍ର ଗ୍ରନ୍ଥାଗାରିକ ଡ଼ମ୍ବରୁଧର ପଣ୍ଡା, ଅନନ୍ତ ପାତ୍ର, ସୋମନାଥ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।


