ସ୍ୱାଗତଂ କରୁଣାମୟୀ ମା ଦୁର୍ଗା: ଆସିକା ସମବାୟ ଚିନିଶିଳ୍ପ ଲିଃ ପକ୍ଷରୁ ପାର୍ବଣ ପ୍ରସ୍ତୁତି

ଆସିକା (ୱାଇଏନ୍‍ଏସ୍‍): ଧରାପୃଷ୍ଟକୁ ଆସିବେ ଦୁର୍ଗତୀ ନାଶିନୀ ମା ଦୁର୍ଗା। ମା’ ଦୁର୍ଗାଙ୍କୁ ସ୍ୱାଗତ କରିବା ପାଇଁ ଶ୍ରଦ୍ଧାଳୁ ଓ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ମଧ୍ୟରେ ଦେଖାଦେଇଛି ନାହିଁ ନଥିବା ତପ୍ତରତା। ଶ୍ରଦ୍ଧାଳୁ ଭକ୍ତ ବିଭିନ୍ନ ରୂପରେ ମା ଙ୍କୁ ପୂଜା କରିଥାଏ। ରୂପ ଅର୍ଥ ପୁରାଣରେ ବର୍ଣ୍ଣିତ ମା ଙ୍କ ବିଭିନ୍ନ ଅବତାର। କିଏ କେଉଁ ପ୍ରକାରେ ମା ଙ୍କ କରୁଣା ଭିକ୍ଷା କରୁଛି ତାହା ନିର୍ଣ୍ଣୟ କରିବା କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ସଭିଙ୍କ ପ୍ରତି ମା ଙ୍କ ଆର୍ଶୀବାଦ ରହିଛି। ମା ଦୁର୍ଗାଙ୍କ ଶାରଦୀୟ ପୂଜା ଆରମ୍ଭ ହୋଇଯାଇଛି। ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଦୁର୍ଗା ମେଢ ପ୍ରସ୍ତୁତି ଜୋରଦାର ଲାଗିଛି। ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଶାରଦୀୟ ଦୁର୍ଗା ପୂଜାକୁ ମହା ଆଡମ୍ବର ସହକାରେ ପାଳନ କରିବା ଲାଗି ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି। ୧୯୬୪ ମସିହା ରୁ ୨୦୨୫ମସିହା । ଦୀର୍ଘ ୬୨ ବର୍ଷ ଧରି ଆସିକା ଅଞ୍ଚଳର ଅନ୍ୟତମ ପ୍ରମୁଖ ପୂଜା ମଣ୍ଡପ ଭାବେ ସର୍ବଦା ସ୍ଥାନ ପାଇ ଆସିଛି ସମବାୟ ଚିନିଶିଳ୍ପର ଦୁର୍ଗାମେଢ । ଗତ ୧୯୬୩ ମସିହାରେ ଆସିକା ସମବାୟ ଚିନିଶିଳ୍ପ ସ୍ଥାପିତ ହୋଇଥିଲା ବେଳେ ସମ୍ଭବତଃ ୧୯୬୪ ମସିହାରୁ ଆରମ୍ଭ ହୋଇଥିଲା ଶାରଦୀୟ ଦୁର୍ଗାପୂଜା । ଶାରଦୀୟ ଦୁର୍ଗା ପୂଜାର କିଛି ଦିନ ପୂର୍ବରୁ ବିଧିବିଧାନ ଅନୁଯାୟୀ ଜଗତଜନନୀ ମା ଦୁର୍ଗାଙ୍କ ପ୍ରତିମା ନିର୍ମାଣ କାର୍ଯ୍ୟ ଅଭିଜ୍ଞ ମୂର୍ତ୍ତି କାରିଗରଙ୍କ ଦ୍ୱାରା ଆରମ୍ଭ କରାଯାଇଥାଏ । ଦୀର୍ଘ ପ୍ରାୟ ୬୨ବର୍ଷ ଧରି ଶାରଦୀୟ ଦୁର୍ଗାପୂଜା ଅବସରରେ ନୂତନ ଶୈଳୀରେ ଆକର୍ଷଣୀୟ ମୂର୍ତ୍ତି ନିର୍ମାଣ ସାଙ୍ଗକୁ ସୁଉଚ୍ଚ ତୋରଣ ଓ ସାଜସଜ୍ଜାକୁ ଗୁରୁତ୍ୱ ଦେଇ ଆସୁଛି ଆସିକା ସମବାୟ ଚିନିଶିଳ୍ପ ଦୁର୍ଗାପୂଜା କମିଟି । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶିଳ୍ପାନୁଷ୍ଠାନର ସଂପାଦକ ସନ୍ତୋଷ କୁମାର ମଲିକ, କମିଟିର ସଦସ୍ୟ ଚିତ୍ତଚିନ୍ମୟ ରଂଜନ ନାୟକ, ଶ୍ରୀନିବାସ ମହାପାତ୍ର, କେଦାରନାଥ ସାହୁ, ବଳରାମ ସୁବୁଦ୍ଧି, ଅନିଲ୍‍ କୁମାର ଦାଶ, ପ୍ରଶାନ୍ତ କୁମାର କର, ଅରୁଣ କୁମାର ପାତ୍ର, କୃଷ୍ଣଚନ୍ଦ୍ର ଲେଙ୍କା, ବାଇଧର ନାହାକ, ରାମପ୍ରସାଦ ଶତପଥୀ, ଅକ୍ଷୟ କୁମାର ସ୍ୱାଇଁ, ପ୍ରଦୀପ କୁମାର ପାଢୀ, ଜଗଦୀଶ ପାତ୍ର, ଦୁଷ୍ମନ୍ତ ପାଢୀ, ରାଧାମାଧବ ନାହାକ, ଜ୍ୟୋତିର୍ମୟ ରାଉତ, ଧ୍ରୁବଚରଣ ସାହୁ, ଚିରଞ୍ଜିବୀ ମହାନ୍ତି, କାମେଶ୍ୱର ବେହେରା, ଦିଲୀପ କୁମାର ସ୍ୱାଇଁ, ଶ୍ରୀପାଳି ସୁନ୍ଦର ଦାଶ, ଦାମୋଦର ସିୟଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ନେଇ ଗଠିତ କର୍ମକର୍ତ୍ତାଙ୍କ ସହଯୋଗରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ରୀତିନୀତି ଅନୁଯାୟୀ ଚଳିତବର୍ଷ ଶାରଦୀୟ ଦୁର୍ଗାପୂଜାକୁ ମହାଆଡମ୍ବର ସହକାରେ ପାଳନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଦୈନିକ ଶହଶହ ଶ୍ରଦ୍ଧାଳୁ ଭକ୍ତ ସମବାୟ ଚିନିଶିଳ୍ପର ସ୍ଥାୟୀ ପୂଜା ମଣ୍ଡପକୁ ଆସି ଜଗତ୍‌ଜନନୀ ମା ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିବେ ବୋଲି ଜଣାପଡିଛି। ଆସିକା ସମବାୟ ଚିନିଶିଳ୍ପ ଲିଃ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ସଂପନ୍ନ କରିବା ଲାଗି ବ୍ୟାପକ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳୁଛି । ଆଉମାତ୍ର ହାତ ଗଣତି କିଛି ଦିନ ପରେ ଆସିକା ସମବାୟ ଚିନିଶିଳ୍ପର ସ୍ଥାୟୀ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ଆରାଧନା ହେବ । ଏଣୁ ପୂଜାମଣ୍ଡପ ପାଇଁ କଲିକତାର ଅଭିଜ୍ଞ ମୂର୍ତ୍ତୀ କାରିଗରମାନଙ୍କ ଦ୍ୱାରା ମୂର୍ତ୍ତୀ ନିର୍ମାଣ ସହ ସାଜସଜ୍ଜା ଓ ତୋରଣ ତିଆରି କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲୁ ରହିଥିବା ଦେଖିବାକୁ ମିଳୁଛି । ଆସିକା ସମବାୟ ଚିନିଶିଳ୍ପର ଦୁର୍ଗାପୂଜା ମଣ୍ଡପ ସୁନ୍ଦର ତୋରଣ ଓ ଆଲୋକ ମାଳାରେ ଝଲସି ଉଠିବ । ଘଣ୍ଟ ମୃଦଙ୍ଗ ବାଦନ ସାଙ୍ଗକୁ ଦଶଭୁଜାଙ୍କ ଶ୍ଳୋକ ଉଚ୍ଚାରଣରେ ପ୍ରକମ୍ପିତ ହେବ ପୂଜାମଣ୍ଡପ । ଦୁର୍ଗାପୂଜା ପାଇଁ ଏବେଠୁ ଚଳଚଞ୍ଚଳ ହୋଇ ପଡିଲାଣି ସମବାୟ ଚିନିଶିଳ୍ପର ପୂଜାମଣ୍ଡପ । ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଜାକ୍‌ଜକମରେ ଦୁର୍ଗାପୂଜା ପାଳନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଆସୁଛନ୍ତି ଜଗତଜନନୀ ମା କାତ୍ୟାୟନୀ । ଅଭିଜ୍ଞ କାରିଗର ମାନଙ୍କୁ ନେଇ ଦୃତ ଗତିରେ ସମବାୟ ଚିନିିଶିଳ୍ପର ପୂଜାମଣ୍ଡପରେ ଚାଲିଛି ମାଦୁର୍ଗାଙ୍କ ମହିଷାମର୍ଦ୍ଦନୀ ଅବତାରର ନିର୍ମାଣ କାର୍ଯ୍ୟ। ଆସିକା ସମବାୟ ଚିନିଶିଳ୍ପର ପୂଜା ମଣ୍ଡପରେ ବିଧିବିଧାନ ଅନୂଯାୟୀ ପୂଜାପାଠ ଉପରେ ସର୍ବଧିକ ଗୁରୁତ୍ୱ ଦିଆଯାଉଥିବା ଲକ୍ଷ୍ୟ କରାଯାଇଛି। ଆସିକା ସହର ତଥା ଏହାର ଆଖପାଖ ବିଭିନ୍ନ ଅଞ୍ଚଳରେ ହେଉଥିବା ସାର୍ବଜନୀନ ଦୁର୍ଗା ପୂଜା ମଧ୍ୟରୁ ଆସିକା ସମବାୟ ଚିନିଶିଳ୍ପର ପୂଜା ଦୀର୍ଘ ବର୍ଷ ହେଲା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ଆସୁଥିବା ଦେଖିବାକୁ ମିଳୁଛି। ମା’ଦୁର୍ଗାଙ୍କ ଶାରଦୀୟ ପୂଜା ପାଇଁ ସମବାୟ ଚିନିଶିଳ୍ପ ପରିସର ବର୍ତ୍ତମାନ ଠାରୁ ଚଳ ଚଞ୍ଚଳ ହୋଇ ଉଠୁଥିଲା ବେଳେ ଚଳିତ ବର୍ଷ ମାଙ୍କ ପୂଜାର୍ଚ୍ଚନା ଠାରୁ ଆରମ୍ଭ କରି ଭସାଣି ଉତ୍ସବ ମଧ୍ୟ ରୀତିନୀତି ଅନୁଯାୟୀ ସମ୍ପର୍ଣ୍ଣ କରିବା ଲାଗି ପ୍ରସ୍ତୁତି ଚାଲିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ