ଆସ୍ଥା ଓ ବିଶ୍ୱାସର ପ୍ରତୀକ ଆସିକାର କରୁଣାମୟୀ ମାତା ବୈଷ୍ଣବୀ ଦେବୀଙ୍କ ପୀଠ

ଆସିକା  (ୱାଇଏନ୍‍ଏସ୍‍): ଆସିକା ପୌର ପରିଷଦ ଅନ୍ତର୍ଗତ ୧୦ ନମ୍ବର ୱାର୍ଡର ତାଲୁକା ରୋଡ ମୁଖ୍ୟରାସ୍ତା ପାଶ୍ୱର୍ରେ ଦୀର୍ଘ ବର୍ଷ ହେଲା ପୂଜା ପାଇ ଆସୁଥିବା କଲ୍ୟାଣମୟୀ ମା ବୈଷ୍ଣବୀ ଦେବୀଙ୍କ ପୀଠରେ ଏକ ଆଧ୍ୟାତ୍ମିକ ପରିବେଶରେ ନବରାତ୍ରୀ ପୂଜା ଚାଲୁ ରହିଥବା ଲକ୍ଷ୍ୟ କରାଯାଇଛି। ନବରାତ୍ର ପୂଜା ସମୟରେ ମା ବୈଷ୍ଣବୀ ଦେବୀଙ୍କୁ ଦର୍ଶନ କଲେ ଅଧିକ ପୂଣ୍ୟ ମିଳେ ବୋଲି ପରମ୍ପରା ଥିବା ଦୃଷ୍ଟିରୁ ଏହି ପୀଠରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଲାଗିଥାଏ । ମା ବୈଷ୍ଣବୀ ଦେବୀଙ୍କ ମହିମା ଯୁଗେ ଯୁଗେ ବର୍ଣ୍ଣନାତୀତ । ବର୍ଷକର ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ନବରାତ୍ରୀ ପୂଜାର ଏକ ସ୍ୱତନ୍ତ୍ରତା ରହିଛି । ନବରାତ୍ରୀ ଅବସରରେ ମା ବୈଷ୍ଣବୀ ଦେବୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ହୋମଯଜ୍ଞ ତଥା ବିଶେଷ ପୂଜାର୍ଚ୍ଚନା ଚାଲୁଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ସାଂଧ୍ୟ ଆଳତୀ ସମୟରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧିପାଇଥାଏ । ଶଙ୍ଖ ଧ୍ୱନୀ, ହୁଳହୁଳି ଓ ଘଣ୍ଟଢ଼ୋଲର ତାଳେ ତାଳେ ଶ୍ରଦ୍ଧାଳୁ ଭକ୍ତମାନେ ବିମୋହିତ ହୋଇ ପଡ଼ୁଥିଲା ବେଳେ ମନ୍ଦିର ଭିତରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ମା ବୈଷ୍ଣବୀ ଦେବୀ ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ଅନୁଷ୍ଠିତ ହେଉଥିବା ଏହି ନବରାତ୍ରୀ ପୂଜା କାର୍ଯ୍ୟକ୍ରମକୁ କିଭଳି ବିଧିବିଧାନ ଅନୁଯାୟୀ ସମାପ୍ତ କରାଯିବ ଓ ଭକ୍ତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଛି। ଆସିକାର ଅଧୀଷ୍ଠାତ୍ରୀ ଦେବୀ ମା ବୈଷ୍ଣୋଦେବୀଙ୍କ ମନ୍ଦିରର ମୁଖ୍ୟ ପରିଚାଳକ ଦୁଃଖୀଶ୍ୟାମ ଦାଶ ଓ ବିଦ୍ୱାନ ପଣ୍ଡିତ ରତ୍ନାକର ଦାଶ, ସୀତାରାମ ଦାଶ, ନେତ୍ରୋତ୍ସବ ତ୍ରିପାଠୀ ପ୍ରମୁଖ ପୂଜାର୍ଚ୍ଚନା କାର୍ଯ୍ୟରେ ନିୟୋଜିତ ଥିଲା ବେଳେ ସ୍ଥାନୀୟ ଅଞ୍ଚଳବାସୀ, ଆଧ୍ୟାତ୍ମିକପ୍ରେମୀ ଓ ଶ୍ରଦ୍ଧାଳୁ ଭକ୍ତ ଏହି ନବରାତ୍ରୀ ପୂଜା କାର୍ଯ୍ୟକ୍ରମକୁ ସୁପରିଚାଳନାରେ ସହଯୋଗ କରୁଥିବା ଲକ୍ଷ୍ୟ କରାଯାଇଛି। ଆଧ୍ୟାତ୍ମିକପ୍ରେମୀ ସନ୍ତୋଷ କୁମାର ପଣ୍ଡା କର୍ତ୍ତା ରୂପେ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରୁଥିବା ଦେଖିବାକୁ ମିଳୁଛି । ଆସ୍ଥା ଓ ବିଶ୍ୱାସର ପ୍ରତୀକ ଆସିକାର କଲ୍ୟାଣମୟୀ ମାତା ବୈଷ୍ଣବୀ ଦେବୀଙ୍କ ପୀଠରେ ନବରାତ୍ରୀ ପୂଜାର ଏକ ସ୍ୱତନ୍ତ୍ରତା ରହିଛି । ଜଗତ୍‍ ଜନନୀ ମା ବୈଷ୍ଣବୀ ଦେବୀଙ୍କ ପୀଠରେ ପ୍ରତିବର୍ଷ ନୀତିକାନ୍ତି ଅନୁଯାୟୀ ଉତ୍ସାହ ଓ ଉଦ୍ଦୀପନାର ସହ ନବରାତ୍ରୀ ପୂଜା ପାଳନ କରାଯାଉଛି । ଶକ୍ତି ସ୍ୱରୂପିଣୀ କରୁଣାମୟୀ ମାତା ବୈଷ୍ଣବୀ ଦେବୀଙ୍କ ମହିମା ଯୁଗେ ଯୁଗେ ବର୍ଣ୍ଣନାତୀତ । ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ଶ୍ରଦ୍ଧାଳୁ ଭକ୍ତ ନିଜର ମାନସିକ ପୂରଣ ପାଇଁ ଏହି ମା ବୈଷ୍ଣବୀ ଦେବୀଙ୍କ ପୀଠକୁ ଆସିଥାନ୍ତି । ଜଗତଜନନୀ ମା ବୈଷ୍ଣବୀ ଦେବୀ ପ୍ରସନ୍ନ ହେଲେ ପ୍ରତ୍ୟେକ କାର୍ଯ୍ୟ ସିଦ୍ଧ ହୁଏ ବୋଲି ବିଶ୍ୱାସ ରହିଛି । ଏଣୁ କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମା ବୈଷ୍ଣବୀ ଦେବୀଙ୍କ କରୁଣା ଲାଭ କରିବା ଉଦ୍ଦେଶ୍ୟରେ ଏହି ପୀଠକୁ ଆସିଥାନ୍ତି । ଶାରଦୀୟ ନବରାତ୍ରୀ ପୂଜାର ବୁଧବାର ଦ୍ୱିତୀୟ ଦିବସରେ ମା ବୈଷ୍ଣବୀ ଦେବୀଙ୍କୁ ବ୍ରହ୍ମଚାରିଣୀ ରୂପରେ ସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ