ଯୌତୁକ ନିର୍ଯ୍ୟାତନା କାରଣରୁ ମହିଳାଙ୍କ ଆତ୍ମହତ୍ୟା : ଥାନାରେ ଏତଲା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଯୌତୁକ ନିର୍ଯ୍ୟାତନା କାରଣରୁ ମାନସିକ ଭାରସାମ୍ୟ ହରାଇ ଦିଗପହଣ୍ଡି ବଡବନ୍ଧ ସାହିର ଏ.ବାବା ରାଓ ଙ୍କ ଝିଅ ଏ.ସୋନାଲି ପାତ୍ର(୩୦) ରବିବାର ସକାଳେ ଘରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି।ଗତ ୨୦୧୯ ରେ ସୋନାଲି ଏରୋନେଟିକ ଇଞ୍ଜିନିୟର ଚାକିରି କରୁଥିବା ବ୍ରହ୍ମପୁର ବଡ଼ ବଜାର ଥାନା ପାଣିଗ୍ରାହୀ ପେଣ୍ଠ ଗଣପତି ନଗର ର ବଳରାମ ସୁବୁଦ୍ଧି ଙ୍କୁ ବିବାହ କରିଥିଲେ।ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଦାବି ପ୍ରକାରେ ବିବାହ ସମୟରେ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା।ବିବାହର କିଛିଦିନ ପରେ ଅଧିକା ଯୌତୁକ ପାଇଁ ସ୍ବାମୀ,ଶାଶୁ ଓ ଶ୍ବଶୁର ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେବା ରୁ ସେ ବ୍ରହ୍ମପୁର ଶାଶୁଘରୁ ଆସି ଦିଗପହଣ୍ଡି ବଡ଼ବନ୍ଧ ସାହି ସ୍ଥିତ ବାପଘରେ ରହୁଥିଲେ। ଶନିବାର ପରିବାର ଲୋକଙ୍କ ସହ ବିଳମ୍ବିତ ରାତି ଯାଏଁ ଦିଗପହଣ୍ଡି ରେ ଚାଲିଥିବା ଠାକୁରାଣୀ ଯାତ୍ରା ରେ ହସ ଖୁସିରେ ବୁଲି ଘରକୁ ଫେରିଥିଲେ। ରବିବାର ଭୋର ରେ ତାଙ୍କୁ ଅଚେତ ଅବସ୍ଥାରେ ପରିବାର ଲୋକେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସୋନାଲି ଙ୍କ ବାପା ଏନେଇ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୩୫୮/୨୫ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ନାଁ ରେ ମକଦ୍ଦମା ରୁଜୁ କରି ଥାନା ଏସ ଆଇ ସୋଫିଆ ମିଶ୍ର ଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି। ମୃତଦେହ କୁ ପୋଲିସ ଜବତ କରି ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।ଅପରାହ୍ନ ରେ ପୁରୀ ସ୍ଵର୍ଗଦ୍ଵାର ରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି।