ଜଳଛତ୍ର ନାମରେ ଜାଲ୍ କାଗଜପତ୍ର କରି ଶ୍ରମିକଙ୍କ ଟଙ୍କା ହଡ଼ପ : ଥାନାରେ ଏତଲା ଦେଲା ବିଜେପି ଯୁବମୋର୍ଚ୍ଚା
କୋଣାର୍କ(ଗଣେଶ ଚନ୍ଦ୍ର ବେହେରା): କାକଟପୁର ବ୍ଲକରେ ଜଳଛତ୍ର ନାମରେ ଆର୍ଥିକ କେଲେଙ୍କାରୀ ସାମ୍ନାକୁ ଆସିଛି। ଖରାଦିନେ ପଞ୍ଚାୟତ ତରଫରୁ ପଥଚାରୀଙ୍କ ଶୋଷ ମେଣ୍ଟାଇବା ପାଇଁ ବିଭିନ୍ନ ସ୍ଥାନରେ ହୋଇଥିବା ଜଳଛତ୍ରରେ ପାଣି ଦେବା ପାଇଁ ଶ୍ରମିକ ନିୟୋଜିତ ହୋଇଥିଲେ। ତେବେ ସେମାନଙ୍କୁ ୩ ବର୍ଷ ହେବ ମଜୁରୀ ଦିଆଯାଇ ନାହିଁ। କିନ୍ତୁ ଅର୍ଥ ଉଠାଣ ହୋଇଥିବା ଜଣା ପଡ଼ିଛି। ଜାଲ କାଗଜପତ୍ର ମାଧ୍ୟମରେ ଅର୍ଥ ଉଠାଣ ହୋଇଥିବା ଜଣାପଡିଛି। ଆଜି ଏ ସମ୍ପର୍କରେ ବିଜେପି ଯୁବମୋର୍ଚ୍ଚା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଘଟଣା ସମ୍ପର୍କରେ କାକଟପୁର ବିଡ଼ିଓଙ୍କୁ ଅବଗତ କରାଯିବା ସହିତ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ସେହିପରି ଏ ସମ୍ପର୍କରେ କାକଟପୁର ଥାନାରେ ବିଜେପି ଯୁବମୋର୍ଚ୍ଚା ଅଭିଯୋଗ କରିବା ସହ ଜାଲ କାଗଜପତ୍ର ପ୍ରସ୍ତୁତି, ଟଙ୍କା ଆତ୍ମସାତ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଘଟଣାରୁ ପ୍ରକାଶ, ୨୦୨୩ ମସିହାରୁ ଆଜି ପର୍ଯ୍ୟନ୍ତ କାକଟପୁର ବ୍ଲକର ୧୬ଟି ପଞ୍ଚାୟତରେ ପ୍ରତିବର୍ଷ ଖରାଦିନେ ଜଳଛତ୍ରରେ ବ୍ୟବସ୍ଥା ହୁଏ। ପାଣି ଦେବା ପାଇଁ ଏଥିରେ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା। ଗୋଟିଏ ଜଳଛତ୍ର କେନ୍ଦ୍ର ପାଇଁ ଦୈନିକ ମଜୁରୀ ବାବଦକୁ ୨୨୦ ଟଙ୍କା ପ୍ରଦାନ କରାଯାଏ। କିନ୍ତୁ, ଅଧିକାଂଶ ଗ୍ରାମପଞ୍ଚାୟତରେ ଜଳଛତ୍ର କେନ୍ଦ୍ରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କର ମଜୁରୀ ଅର୍ଥକୁ ସମ୍ପୃକ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଜାଲ୍ କାଗଜପତ୍ର ପ୍ରସ୍ତୁତ କରିଛନ୍ତି। ଶ୍ରମିକଙ୍କୁ ମଜୁରୀ ପ୍ରଦାନ ନାଁରେ ଗତ ୩ ବର୍ଷ ମଧ୍ୟରେ ଲକ୍ଷାଧିକ ଟଙ୍କା ଉଠାଇଥିଲେ ମଧ୍ୟ ଏହି ଟଙ୍କା ସେମାନଙ୍କୁ ପ୍ରଦାନ ନକରି ଆତ୍ମସାତ୍ କରିଛନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାଇ କାକଟପୁର ବ୍ଲକ୍ ଅନ୍ତର୍ଗତ ଓଥକା ପଞ୍ଚାୟତରେ ୨୦୨୩ ମସିହା ଅପ୍ରେଲ୍ ୧ରୁ ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ମୋଟ୍ ୭୪ ଦିନ ପଞ୍ଚାୟତର ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଜଳଛତ୍ର କେନ୍ଦ୍ର ଖୋଲାଯାଇଥିଲା। ଏହି ଜଳଛତ୍ର ପାଇଁ ଦୈନିକ ମଜୁରୀ ବାବଦକୁ ୨୨୦ ଟଙ୍କା ହିସାବରେ ୭୪ ଦିନ ପାଇଁ କେନ୍ଦ୍ର ପିଛା ୧୬ ହଜାର ୨୮୦ ଟଙ୍କା ଓ ୩ଟି କେନ୍ଦ୍ର ପାଇଁ ୩ ଜଣ ଶ୍ରମିକଙ୍କ ମଜୁରି ବାବଦକୁ ମୋଟ୍ ୪୮ ହଜାର ୮୪୦ ଟଙ୍କା ଉଠାଣ କରାଯାଇଥିଲା। ସେହିପରି ୩ଗୋଟି କେନ୍ଦ୍ରକୁ ୩ଟି ବ୍ୟାନର ବାବଦକୁ ମୋଟ୍ ୧୧୬୦ ଟଙ୍କା ପ୍ରଦାନ କରାଯାଇଥିଲା। ଜଳଛତ୍ର କେନ୍ଦ୍ରରେ ଶ୍ରମିକଙ୍କୁ ମଜୁରୀ ପ୍ରଦାନ ନିମନ୍ତେ ପ୍ରତିବର୍ଷ ଅର୍ଥ ଉଠାଯାଇଥିଲେ ମଧ୍ୟ କେଉଁଠି ଶ୍ରମିକଙ୍କୁ ଆଦୌ ଟଙ୍କାଟିଏ ପ୍ରଦାନ କରାଯାଇନାହିଁ ତ କେଉ଼ଠି ହଜାରେ ଟଙ୍କା ପ୍ରଦାନ କରାଯାଇଛି। ମିଳିଥିବା ସୂଚନା ଅନୁଯାଇ ୨୦୨୩ରେ ୭୪ ଦିନ ଜଳଛତ୍ର କେନ୍ଦ୍ରରେ ଥଣ୍ତା ପାନୀୟ ଜଳ ବାଣ୍ଟିଥିବା ଦର୍ଶାଇ ମଜୁରୀ ବାବଦକୁ ସନ୍ତୋଷ କୁମାର ମୁଦୁଲିଙ୍କ ନାଁରେ ୧୬ ହଜାର ୨୨୦ ଟଙ୍କା ଉଠାଯାଇଛି। ଏଥି ନିମନ୍ତେ ସନ୍ତୋଷଙ୍କୁ ମାତ୍ର ୧ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। କିନ୍ତୁ, ତାଙ୍କର ଦସ୍ତଖତକୁ ଜାଲିଆତି କରି ସେ ଟଙ୍କା ଗ୍ରହଣ କରିଥିବା ଦର୍ଶାଇ ଓଥକା ପଞ୍ଚାୟତର ସରପଞ୍ଚ କୁନିଲତା କାଣ୍ତି ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଦାନନ୍ଦ ବେହେରା ଏହି ଅର୍ଥକୁ ଆତ୍ମସାତ୍ କରିଛନ୍ତି। ସନ୍ତୋଷ ଗତ ୩ ବର୍ଷ ଧରି ( ୨୦୨୩, ୨୦୨୪ ଓ ୨୦୨୫ ମସିହା ) ଜଳଛତ୍ର ପାଇଁ ମଜୁରୀ ବାବଦକୁ ଏପର୍ଯ୍ୟନ୍ତ ମାତ୍ର ୨ ହଜାର ଟଙ୍କା ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି। ସେହିପରି ରାମଚନ୍ଦ୍ର କାଣ୍ତି ୨୦୨୨ ମସିହାରେ ଜଳଛତ୍ର କେନ୍ଦ୍ରରେ ଶ୍ରମିକ ଭାବେ କାର୍ଯ୍ୟ କରିଥିଲେ ମଧ୍ୟ ତାଙ୍କୁ ଟଙ୍କାଟିଏ ମଧ୍ୟ ପ୍ରଦାନ କରାଯାଇନାହିଁ। ଏହି ପଞ୍ଚାୟତର ଶବର କାଣ୍ତି ଓ ପତିତପାବନ ଷଡ଼ଙ୍ଗୀ ୨୦୨୩ ଓ ୨୦୨୪ ମସିହାରେ ଶ୍ରମିକ ଭାବେ କାର୍ଯ୍ୟ କରିଥିବା ଦର୍ଶାଇ ଅର୍ଥ ଉଠାଯାଇଥିଲେ ମଧ୍ୟ ଶବରଙ୍କୁ ଆଦୌ ଅର୍ଥ ପ୍ରଦାନ କରାଯାଇ ନଥିବା ବେଳେ ପତିତପାବନଙ୍କୁ ୨ ବର୍ଷ ପାଇଁ ମୋଟ ୨ ହଜାର ଟଙ୍କା ପ୍ରଦାନ କରାଯାଇଛି। କିନ୍ତୁ, ଏହି ଶ୍ରମିକମାନଙ୍କ ଦସ୍ତଖତକୁ ଜାଲିଆତି କରି ସେମାନେ ଟଙ୍କା ଗ୍ରହଣ କରିଥିବା ଦର୍ଶାଇ ଓଥକା ପଞ୍ଚାୟତର ସରପଞ୍ଚ କୁନିଲତା କାଣ୍ତି ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଦାନନ୍ଦ ବେହେରା ଏହି ଅର୍ଥକୁ ଆତ୍ମସାତ୍ କରିଛନ୍ତି। ସରକାରୀ କାଗଜପତ୍ରକୁ ଜାଲିଆତି କରି ଅର୍ଥକୁ ମିଳିମିଶି ଆତ୍ମସାତ୍ କରିଥିବା ଓ ଶ୍ରମିକଙ୍କ ନାଁରେ ମଜୁରୀ ଅର୍ଥ ଉଠାଣ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ଯୁବମୋର୍ଚ୍ଚା ଦାବି କରିଛି। ଘଟଣା ସମ୍ପର୍କରେ ପୁରୀ ଉପଜିଲ୍ଲାପାଳ, ପୁରୀ ଜିଲ୍ଲାପାଳ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଜେପି ଜିଲ୍ଲା ଯୁବମୋର୍ଚାର ସଂଯୋଜକ ଇଂ ପ୍ରିୟବ୍ରତ ବିଶ୍ୱାଳ, ଉପସ୍ଥିତ ଥିଲେ ରାଜ୍ୟ ଯୁବମୋର୍ଚାର ରଜନୀ ରଞ୍ଜନ ମଲିକ, ଲଳିତ କୁମାର ରଥ, ସୁବ୍ରତ ସ୍ୱାଇଁ, କାଳନ୍ଦୀ ଦୀକ୍ଷିତ, ଜ୍ୟୋତି ବିନାୟକ ପ୍ରଧାନ, ଶିବଶଙ୍କର ସାହୁ, ବାପି ସ୍ୱାଇଁ, ଲିକୁ ଲେଙ୍କା, ନ୍ୟାୟବ୍ରତ ମୁଦୁଲି ଓ ଆଦିତ୍ୟ ରାଉତ ଦାବି କରିଛନ୍ତି।