ଜୟଦେବ ଜେନାଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ

ହାଟଡ଼ିହି, (ବିକାଶ ବିଶ୍ବାଳ): କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ ଦେଇଥିବା ଯୁବକକୁ କ୍ୟାପିଟାଲ ଥାନା ପୁଲିସ ନନ୍ଦିପଦା ଅଞ୍ଚଳରୁ ଗିରଫ କରିଛି । ସୂଚନା ଅନୁଯାଇ ଗତ ଫେବୃୟାରୀ ମାସ ୩ ତାରିଖ ଦିନ ପ୍ରାୟ ୧୨:୪୦ ସମୟରେ, ଶ୍ରୀଯୁକ୍ତ ଜେନାଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ଏକ ଧମକପୂର୍ଣ୍ଣ କଲ୍ ଆସିଥିଲା। ଉକ୍ତ କଲ୍ ରେ ଅଭିଯୁକ୍ତ ଜଣକ ଟିଭିରେ ଶ୍ରୀଯୁକ୍ତ ଜେନାଙ୍କ ଦ୍ୱାରା ଦିଆଯାଇଥିବା ବୟାନକୁ ବିରୋଧ କରିଥିଲେ ଏବଂ ତାଙ୍କ ଜୀବନ ବିପଦରେ  ଥିବା ନେଇ ଚେତାବନୀ ଦେଇଥିଲେ । ଶ୍ରୀଯୁକ୍ତ ଜେନା ଅଭିଯୁକ୍ତଙ୍କ ପରିଚୟ ପଚାରିବାରୁ ସେ କଲ୍ ଟିକୁ କାଟି ଦେଇଥିଲେ । ପୁନର୍ବାର ସେହିଦିନ ସନ୍ଧ୍ୟା ୭:୧୦ ସମୟରେ, ଅଭିଯୁକ୍ତ ଜଣଙ୍କ କଲ୍ କରି ହତ୍ୟା ଧମକ ଦେଇଥିଲେ ଓ ୫୦ ହଜାର ଟଙ୍କା ଦାବି କରିଥିଲେ। ଯାଞ୍ଚ ପରେ, ଅଭିଯୋଗକାରୀ ଉକ୍ତ ନମ୍ବରରୁ ଅନେକ ମିସ୍ଡ କଲ୍ ପାଇଥିଲେ ଏବଂ ଜଣେ ସାର୍ବଜନୀନ ରାଜନୈତିକ ବ୍ୟକ୍ତି ହୋଇଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଅନୁମାନ କରି ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଶ୍ରୀଯୁକ୍ତ ଜେନାଙ୍କ ଅଭିଯୋଗ ଆଧାରରେ କ୍ୟାପିଟାଲ ଥାନା ପୁଲିସ କେସ ନଂ-୪୨/୨୦୨୫ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୮(୩), ୩୫୧(୪) ରେ ଏକ ମାମଲା  ରୁଜ୍ଜୁ କରିଥିଲା । କ୍ୟାପିଟାଲ ଥାନା ପୁଲିସ୍ ତଦନ୍ତ କରିବାରେ ଅଭିଯୁକ୍ତ ସୋମନାଥ ଓରଫ କୁଳମଣି ସେନାପତି (୪୫) କୁ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ସହାୟତାରେ ସ୍ଥାନୀୟ ବସଷ୍ଟାଣ୍ତ ପାଖରୁ ଗିରଫ କରିଥିଲା ।  ପଚରାଉଚରା ସମୟରେ, ସେ ଉକ୍ତ ମୋବାଇଲ୍ ନମ୍ବର ବ୍ୟବହାର କରି ଧମକପୂର୍ଣ୍ଣ କଲ୍ କରିବା ଏବଂ ଟଙ୍କା ଦାବି କରିବା କଥା ସ୍ୱୀକାର କରିଥିଲେ । ପୁଲିସ୍ ର ସୂଚନା ଅନୁଯାଇ ଅଭିଯୁକ୍ତ ସୋମନାଥ ଓରଫ କୁଳମଣି ସେନାପତି ର ଘର କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଜମ୍ଭରା ଗ୍ରାମରେ । ଅଭିଯୁକ୍ତ ଜଣଙ୍କ ଅପରାଧ ପାଇଁ ବ୍ୟବହୃତ ମୋବାଇଲ୍ ଫୋନ୍ ଏବଂ ସିମ୍ ନଷ୍ଟ କରିଦେଇଥିଲେ। ପୁଲିସ ତାଙ୍କ ପାଖରୁ ସିମ୍ କାର୍ଡ ବିନା ଗୋଟିଏ ନୀଳ ରଙ୍ଗର ରେଡମି ସ୍ମାର୍ଟଫୋନ୍ ଜବତ କରିଛି । ଯାଞ୍ଚ ସମୟରେ, ଅଭିଯୁକ୍ତଙ୍କ ବିରୁଦ୍ଧରେ ପୂର୍ବରୁ ନନ୍ଦିପଦା ଥାନା ରେ ଏକ ଫୌଜଦାରୀ ମାମଲା ରୁଜୁ ହୋଇଥିବାର ପୁଲିସ୍ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ