ଅର୍ନ୍ତଜାତୀୟ ଟିଲୋ କପ୍‌: ଜେପି ସ୍ପୋର୍ଟ୍ସକୁ ହରାଇ ଲାଇଟ୍‌ନିଂ ଲିଜେଣ୍ଡସ୍ ବିଜୟୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋସ୍ଥିତ ହନୁମାନ ଜୀଉ ମିନି ଷ୍ଟାଡିୟମ୍ ଠାରେ ଶୁକ୍ରବାର ଠାରୁ ଟିଲୋ ଆଥ୍‌ଲେଟିକ ଆସୋସିଏସନ୍ ପକ୍ଷରୁ ଆରମ୍ଭ ହୋଇଥିବା ୨୯ତମ ଅର୍ନ୍ତଜାତୀୟ ଟିଲୋ କପ୍‌ର ୨ୟ ମ୍ୟାଚ୍ ଜେପି ସ୍ପୋର୍ଟ୍ସ ଉତ୍ତର ପ୍ରଦେଶ ବନାମ ଲାଇଟ୍‌ନିଂ ଲିଜେଣ୍ଡସ୍ ଚଣ୍ଡିଗଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜେପି ସ୍ପୋର୍ଟ୍ସ ଉତ୍ତର ପ୍ରଦେଶକୁ ୫ ୱିକେଟ୍‌ରେ ହରାଇ ଲାଇଟ୍‌ନିଂ ଲିଜେଣ୍ଡସ୍ ଚଣ୍ଡିଗଡ ବିଜୟ ହାସଲ କରିଛି । ଟସ୍ ଜିତିି ଜେପି ସ୍ପୋର୍ଟ୍ସ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୧ ରନ୍ କରିଥିଲା । ଦଳ ପକ୍ଷରୁ ଘନଶ୍ୟାମ ଉପାଧ୍ୟାୟ ସର୍ବାଧିକ ୪୬ ବଲ୍‌ରେ ୭୪ ରନ୍ ଓ କିଶାନ ଗୁପ୍ତା ୫୩ ବଲରେ ୬୩ ରନ୍ କରିଥିଲେ । ପ୍ରତିପକ୍ଷ ଦଳର ଆକାଶଦୀପ ପଟେଲ ୪ ଓଭରରେ ୨୩ ରନ୍ ଦେଇ ୪ ୱିକେଟ୍ ନେଇଥିଲେ । ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିବା ଲାଇଟ୍‌ନିଂ ଲିଜେଣ୍ଡସ ୧୭.୫ ଓଭରରେ ୫ ୱିକେଟ୍ ହରାଇ ୧୮୪ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ନିଶାନ୍ତ କୁଶାୱ ୪୦ ବଲରେ ୭୧ ଓ ମାଧବ ପାଥଞ୍ଜା ୪୫ ବଲରେ ୩୩ ରନ୍ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ଦଳର ଶଶାଙ୍କ ଅଗସ୍ତି ୪ ଓଭରରେ ୩୩ ରନ ଦେଇ ୨ ୱିକେଟ୍ ନେଇଥିଲେ । ଖିମଜୀ ଜୁଏଲାରୀ ପ୍ରଦତ୍ତ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ନିଶାନ୍ତ କୁଶାୱଙ୍କୁ ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚ୍ ରେଫରୀ ଭାବେ ପୂର୍ଣ୍ଣେନ୍ଦୁ ଜେନା, ଅମ୍ପାୟର ଭାବେ ଲଲାଟ କେଶରୀ ନନ୍ଦ ଓ ରଞ୍ଜନ ମହାନ୍ତି, ଭାଷ୍ୟକାର ଭାବେ ସଞ୍ଜୟ ମଜୁମଦାର, ସୁକାନ୍ତ ବେହେରା, ଧନେଶ୍ୱର ଧଳ, ପ୍ରକାଶ ସ୍ୱାଇଁ ଓ ସ୍କୋରର ଭାବେ ମଳୟ କୁଅଁର, ଶଙ୍କର୍ଷଣ ଧଳ, ସନ୍ତୋଷ ଧଳ, ପ୍ରେମାନନ୍ଦ ବେହେରା, ପିଚ୍ କ୍ୟୁରେଟର ଭାବେ ମାଧବାନନ୍ଦ ବିଶ୍ୱାଳ, ଗୋବିନ୍ଦ ଧଳ, ସୁବ୍ରତ ପୃଷ୍ଟି, ରଶ୍ମି ସେନାପତି, ସୟଦ୍ ମଇଫୁଜ, ଶ୍ରୀକାନ୍ତ ରାଉତ ଦାୟୀତ୍ୱ ତୁଲାଇଥୁଲେ । ଆସୋସିଏସନ୍‌ର ସଭାପତି ଇଂ.ଲକିମାଷ୍ଟର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ଟାଟା ପାୱାର ଏସ.ଇ ଇଂ.ଗୌରହରି ମଣ୍ଡଳ, ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ପୁହାଣ, ଗୀତା ଇଞ୍ଜିନୟରିଂ କଲେଜର ଅଧ୍ୟକ୍ଷ ମନ୍ମଥ କୁମାର ରାଉଳ, ସରପଞ୍ଚ ସଂଗ୍ରାମ କେଶରୀ ଜେନା, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ସନାତନ ଲେଙ୍କା, ପ୍ରଶାନ୍ତ ପୃଷ୍ଟି, ରମାକାନ୍ତ ପାଣିଗ୍ରାହୀ, ସୁକାନ୍ତ ବେହେରା, ପୂର୍ଣ୍ଣେନ୍ଦୁ ଜେନା, ସୂଜତିକୃଷ୍ଣ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ