ପୂଜା ପାଇଁ ଉତ୍ସବ ମୁଖର ପୁରପଲ୍ଲୀ ଶକ୍ତିପୀଠରେ ଚାଲିଛି ଜନ୍ତାଳ ଭୋଜି
ନିମାପଡ଼ା,(ସନ୍ତୋଷ ଦାଶ):ଶାରଦୀୟ ପାର୍ବଣ ପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପ୍ରାଚୀ ଉପତ୍ୟକା ଅଞ୍ଚଳ ର ପୁରପଲ୍ଲୀ।ପ୍ରତି ଗାଁ ରେ ପୂଜା ପାଉଥିବା ଗ୍ରାମ ଦେବତୀ ଓ ଦୂର୍ଗା, ଚାମୁଣ୍ଡା ମନ୍ଦିର
ମାନଙ୍କ ରେ ଗତ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଷୋଳ ପୂଜା ଆଜି ଶେଷ ହୋଇଛି। ଷୋଳ ପୂଜା ର ମହାଷ୍ଟମୀ ଓ ମହାନବମୀ ତିଥି ରେ ବିଭିନ୍ନ ସ୍ଥାନରେ ଗ୍ରାମବାସୀ ଙ୍କ ପକ୍ଷରୁ ଜନ୍ତାଳ ଭୋଜି ଅନୁଷ୍ଠିତ ହୋଇଛି। ଗ୍ରାମଦେବତୀ ମାନେ ଗ୍ରାମ ର ସୁରକ୍ଷା କର୍ତ୍ତି ବୋଲି ବିଶ୍ୱାସ
କରାଯାଉଥିବାରୁ ଗ୍ରାମ ର ମଙ୍ଗଳ ପାଇଁ ଓ ଗ୍ରାମ କୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା କରିବା ପାଇଁ ପାଇଁ ସମୁହ ଗ୍ରାମବାସୀ ମାନେ ଏହି ଷୋଳ ପୂଜା ର ଏକ ଦିନ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ସମୂହ ପଂକ୍ତି ଭୋଗ ମା ଙ୍କ ନିକଟରେ ଲାଗି କରି ସେହି ପ୍ରସାଦ କୁ ଏକତ୍ର ବସି ଭୋଜନ କରିଥାନ୍ତି। ଏହାକୁ ଜନ୍ତାଳ ଭୋଜି କୁହା ଯାଇଥାଏ। ଗାଁ ର ପରିବାର ପରିବାର ମଧ୍ୟରେ ମନୋମାଳିନ୍ୟ ଥିଲେ ମଧ୍ଯ ସମସ୍ତେ ଭେଦ ଭାବ, ରାଗରୋଷ ଭୁଲି ଏହି ଜନ୍ତାଳ ଭୋଜି ରେ ଏକତ୍ର ବସି ଭୋଜନ କରିଥାନ୍ତି।
ବିଭିନ୍ନ ସ୍ଥାନରେ ରହୁଥିବା ବ୍ୟକ୍ତି ମାନେ ଏହି ସମୟ ରେ ଗାଁ କୁ ଯାଇ ଏହା ଜନ୍ତାଳ ଭୋଜି ରେ ଯୋଗ ଦେଇଥାନ୍ତି। ଗ୍ରାମଦେବତୀ ଙ୍କ ପୀଠ ରେ ଜନ୍ତାଳ ଭୋଜି ଭାଇଚାରା ର ଏକ ଅପୂର୍ବ ନିଦର୍ଶନ ଭାବେ ରହି ଆସିଛି କାହିଁ କେତେ କାଳ ରୁ। ପ୍ରାୟ ଷଷ୍ଠ ଶତାବ୍ଦୀ ଠାରୁ ଓଡ଼ିଶା ର ପ୍ରତି ଗାଁ ର ଠାକୁରାଣୀ ଙ୍କ ନିକଟରେ ଷୋଳ ପୂଜା ଓ ଜନ୍ତାଳ ଭୋଜି ଗ୍ରାମ ର ଏକ ମୁଖ୍ୟ ଉତ୍ସବ ଭାବେ ପାଳିତ ହୋଇ ଆସୁଥିବା ଗବେଷକ ବ୍ରଜ ମୋହନ ମହାନ୍ତି ତାଙ୍କ ପୁସ୍ତକ ଓଡ଼ିଶା ର ଯାନିଯାତ୍ରା ପର୍ବ ପର୍ବାଣୀ ଓଷା ବ୍ରତ ରେ ପ୍ରକାଶ କରିଛନ୍ତି।ଶାରଦୀୟ ପାର୍ବଣ ପୂଜା ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି।