ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଜିଲ୍ଲାପରିଷଦ ସଭାପତିଙ୍କୁ ସାକ୍ଷାତକାର
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ଓ କୃଷି ଗବେଷଣା କ୍ଷେତ୍ର ପ୍ରତିଷ୍ଠା ପାଇଁ ଗଠିତ କ୍ରିୟାନୁଷ୍ଠାନ ସମିତି ପକ୍ଷରୁ ସଭାପତି ଡ. କେଶବ ଚରଣ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ବାଲେଶ୍ୱର ଜିଲ୍ଲା ପରିଷଦର ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଜିଲ୍ଲାବାସୀଙ୍କର ଏହି ଦାବିପୂରଣ ଦିଗରେ ସହାୟତା ପାଇଁ ଅନୁରୋଧ କରିଥିଲେ । ଗତ ଦୁଇବର୍ଷ ପୂର୍ବରୁ ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜିଲ୍ଲା ପରିଷଦ ବୈଠକରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା । କିନ୍ତୁ ଅଦ୍ୟାବଧି ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଘଟଣା ସଂପର୍କରେ ପ୍ରତିନିଧିମାନେ ଶ୍ରୀ ପ୍ରଧାନଙ୍କୁ ଅବଗତ କରାଇଥିଲେ ।ଜିଲ୍ଲାର ସମସ୍ତ ବ୍ଲକ୍ ଓ ପଞ୍ଚାୟତ ବୈଠକରେ ଏହି ଦାବି ଉପରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଇ ନୂତନ ସରକାରଙ୍କୁ ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠାପାଇଁ ଅବଗତ କରାଇବେ ବୋଲି ଶ୍ରୀ ପ୍ରଧାନ ପ୍ରତିନିଧିମାନଙ୍କୁ ପ୍ରତିଶୃତି ଦେଇଥିବାର ଜଣାଯାଇଛି । ଯୁବବର୍ଗ କୃଷି ପ୍ରତି ବିମୁଖ ହେଉଥିବାବେଳେ ଜିଲ୍ଲାରେ କୃଷି ମହାବିଦ୍ୟାଳୟ ଓ ଗବେଷଣାକ୍ଷେତ୍ର ପ୍ରତିଷ୍ଠା ହେଲେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ବିଭିନ୍ନ କୃଷିଜାତ ସମାଗ୍ରୀ ଉତ୍ପାଦନ ହୋଇପାରିବ ଓ କୃଷକମାନେ ଲାଭବାନ ହୋଇପାରିବେ ବୋଲି ସମିତିର ପ୍ରତିନିଧିମାନେ ପ୍ରକାଶ କରିଛନ୍ତି । ଏହି ସାକ୍ଷାତ ଆଲୋଚନାରେ ସମିତିର ସଂପାଦକ ଅଭୟ କୁମାର ମିଶ୍ରଙ୍କ ସମେତ ନିରଞ୍ଜନ ପରିଡ଼ା, ପ୍ରଫୁଲ୍ଲ କୁମାର ଦାସ ଓ ଭାସ୍କର ଚନ୍ଦ୍ର ପାଢ଼ି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।