ବ୍ଲକ ପ୍ରଶାସନର ବାତ୍ୟା ମୁକାବିଲା ପ୍ରସ୍ତୁତ

ବନ୍ତ, (ଚାନ୍ଦିନୀ ମହାନ୍ତି): ବାତ୍ୟା କ୍ରମଶଃ ସ୍ଥଳ ଭାଗ ଆଡକୁ ମାଡି ଆସୁଥିବା ବେଳେ ଲୋକ ମାନଙ୍କ ମନରେ ଭୟର ବାତାବରଣ ଖେଳିଯାଉଛି । ଏହାର ମୁକାବିଲା ନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରିପେକ୍ଷୀରେ ବନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଥିବା ଦେଖାଯାଇଛି । ବ୍ଲକର ବାତ୍ୟା ଆଶ୍ରୟସ୍ଥଳ ଓ ବିଭିନ୍ନ ବିଦ୍ୟାଳୟକୁ ମିଶାଇ ମୋଟ ୬୮ଟି କେନ୍ଦ୍ରରେ ବିପନ୍ନ ଲୋକଙ୍କୁ ଥଇଥାନ କରିବା ନେଇ ପୂର୍ବ ପ୍ରସ୍ତୁତି ସରିଛି । ସେଥିମଧ୍ୟରୁ ବାତ୍ୟା ଆଶ୍ରୟସ୍ଥଳ ଓ ବିଦ୍ୟାଳୟକୁ ମିଶାଇ ୩୯ଟି କେନ୍ଦ୍ରରେ ୨୭ ଶହରୁ ଉର୍ଦ୍ଧ୍ୱ ଲୋକଙ୍କୁ ରଖାଯାଇଛି । ୨୬ଟି କେନ୍ଦ୍ରରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଟିଲୋ, ନିଳୋକ, ସେଣ୍ଢତୀରା, ବଡ ବର୍ଚ୍ଚିକୟାଁ, କାଦବରାଙ୍ଗ, ପୁରୁଷଣ୍ଢ, ଅଣିଜୋ, ଚାରିଗାଁ, ଗୋପିନାଥପୁର ଆଦି ପଞ୍ଚାୟତର ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଛି । ବିଭିନ୍ନ ଅସ୍ଥାୟୀ କେନ୍ଦ୍ର ଦାୟୀତ୍ୱରେ ନୋଡାଲ ଅଫିସର ମାନେ ରହିଛନ୍ତି । ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଜେନା, ବିଡିଓ ପ୍ରଦୀପ କୁମାର ସେଠୀ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଏବିଡିଓ ନିଶିକାନ୍ତ ଖୁଣ୍ଟିଆ ପ୍ରତ୍ୟେକ୍ଷ ଭାବେ କ୍ଷେତ୍ର ପରିଦର୍ଶନ କରି ସମସ୍ତ ତଦାରଖ କରୁଥିବା ଜଣାଯାଇଛି । ଅପରପକ୍ଷେ ସକାଳ ଠାରୁ ବ୍ଲକର ବିଭିନ୍ନ ସ୍ଥାନରେ ଝିପଝିପ ବର୍ଷା ସହିତ ହାଲକା ପବନ ବୋହୁଥିବା ଦେଖାଯାଇଛି । ଫଳରେ ଲୋକ ମାନେ ବାହାରକୁ ବାହାରୁ ନଥିବା ଦେଖାଯାଇଛି । ବହୁ ପଞ୍ଚାୟତରେ ସରପଞ୍ଚ ମାନେ ବିଭିନ୍ନ ଗ୍ରାମ ବୁଲି ଲୋକ ମାନଙ୍କୁ ଭୟଭୀତ ନହେବା ପାଇଁ କହିବା ସହିତ ଚାଳଛପର ଘରେ ରହୁଥିବା ଲୋକ ମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ଯିବା ପାଇଁ କହିଛନ୍ତି । ଏହି ଅବସରରେ ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା ନିଜ ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଲୋକ ମାନଙ୍କ ସମସ୍ୟା ବୁଝିବା ସହିତ ଚାଳଛପର ଘରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନେବାର ବ୍ୟବସ୍ଥା କରିଛନ୍ତି । ଏହି ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ୨ଟି ଆଶ୍ରୟ କେନ୍ଦ୍ର ଖୋଲା ଯାଇଥିଲେ ମଧ୍ୟ ସରପଞ୍ଚଙ୍କ ଉଦ୍ୟମରେ ଅତିରିକ୍ତ ଭାବେ ଆଉ ଏକ ଆଶ୍ରୟ କେନ୍ଦ୍ର ଖୋଲା ଯାଇ ଲୋକ ମାନଙ୍କୁ ରଖା ଯାଇଛି । ସମସ୍ତ କେନ୍ଦ୍ରର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ