ଆମ ଓଷା-ଉପାସରେ ବାଲିତୃତୀୟା

ବିପିନ ବିହାରୀ ମହାନ୍ତି

ବର୍ଷସାରା ହିନ୍ଦୁ ପରମ୍ପରାରେ ପୂଜା ପାର୍ବଣସହ ବ୍ରତ, ଓଷା ଓ ଉପାସ ଲାଗିରହିଛି । ଏଗୁଡିକ ସବୁ ନିର୍ଦ୍ଧିଷ୍ଟ ଦେବ ବା ଦେବୀଙ୍କୁ କେନ୍ଦ୍ରକରି ବିଭକ୍ତିକରଣ ହୋଇଛି । କିଛି ବିଷ୍ଣୁଙ୍କୁ ନେଇତ, କିଛି ଶକ୍ତି ବା ଦୁର୍ଗାଙ୍କୁ ନେଇ ଏବଂ ଆଉକିଛି ଶିବଙ୍କୁ ନେଇ । ଏମିତି ନା ନା ବ୍ରତ, ଓଷା, ଉପବାସ ବା ଯାନିଯାତ୍ରା ଅଛି । ଏ ଦୃଷ୍ଟିରୁ ବାଲିତୃତୀୟା ଏକ ଶିବଙ୍କୁ ଆଧାର କରି ଓଷା ବା ବ୍ରତ ।
ଭାଦ୍ରବମାସ ଶୁକ୍ଳପକ୍ଷ ତୃତୀୟା ଦିନ ଏହି ବ୍ରତ ପାଳନ କରାଯାଏ । ଏହା ଉଭୟ ଅବିବାହିତା ଯୁବତୀ ଏବଂ ବିବାହିତା ନାରୀମାନଙ୍କର ଏକ ଶେଷ୍ଠବ୍ରତ । ଅବିବାହିତା ଯୁବତୀମାନେ ମନଲାଖି ବରଟିଏ ପାଇବା ଆଶାରେ ଶିବଙ୍କୁ ପୂଜା କଲାବେଳେ, ସଧବା ନାରୀମାନେ ସ୍ୱାମୀ ଏବଂ ସନ୍ତାନ ମାନଙ୍କର ମଙ୍ଗଳ ମନସୀ ଏ ବ୍ରତ ପାଳନ କରନ୍ତି ।
ଶାସ୍ତ୍ରକୁହେ ପର୍ବତରାଜ ହିମାଳୟ ତାଙ୍କ ପୁତ୍ରୀ ପାର୍ବତୀଙ୍କୁ ବିଷ୍ଣଙ୍କୁ ବିବାହ ଦେବାକୁ ନିଶ୍ଚିନ୍ତ କରିଥିଲେ ଅଥଚ ପାର୍ବତୀ ଶିବଙ୍କୁ ସ୍ୱାମୀ ରୂପେ ପାଇବାକୁ ଇଛୁକଥିଲେ ଏବଂ ଏଥିପାଇଁ ଶିବଙ୍କର ଆବାଲ୍ୟ ପୂଜାରିଣୀଥିଲେ । କିନ୍ତୁ ଦୁଃଖ ଏଇଯେ ସେ ତାଙ୍କ ମନକଥା ସେତେବେଳର ସାମାଜିକ ଲଜ୍ଜା ଓ କଟକଣା ବସତଃ କାହା ଆଗରେ ପ୍ରକାଶ କରିପାରୁନଥିଲେ । ଏଣେ ବିଷ୍ଣୁଙ୍କ ସହିତ ତାଙ୍କ ବିବାହର ଦିବସଟି ପାଖେଇ ଆସୁଥାଏ । ସେ ଏବେ କରିବେ କ’ଣ? ସେ ସିଦ୍ଧାନ୍ତ ନେଲେ ଯେ ଜଙ୍ଗଲକୁ ଖସିଯିବେ । ତେଣିକି ଯାହାହେବ ଦେଖାଯିବ । ସେ ତାହାହିଁ କଲେ । ଜଣେ ବିଶ୍ୱସ୍ତା ସଖୀ ସହ ବନସ୍ତକୁ ଚାଲିଗଲେ ଏବଂ ଗୋଟିଏ ନଦୀ ତଟରେ ନଦୀର ଜଳତଳୁ ଓଦା ସରସର ବାଲି ଆଣି ଶିବଙ୍କର ମୂର୍ତ୍ତିଟିଏ ସ୍ଥାପନ କଲେ ତଥା ଗଭୀର ଏବଂ କଠିନ ତପସ୍ୟାରେ ଶିବ ସୁମରି ମଜ୍ଜି ରହିଲେ । ଶେଷରେ ଶିବ ତାଙ୍କର ଆକୁଳ ନିବେଦନ ଶ୍ରବଣ କଲେ ଏବଂ ତାଙ୍କୁ ପତ୍ନୀ ରୂପେ ଗ୍ରହଣ କଲେ । ଏହାଥିଲା ସେଦିନ ଭାଦ୍ରବ ଶୁକ୍ଳପକ୍ଷ ତୃତୀୟା । ବାଲିରେ ଶିବ ପୂଜି ଶିବଙ୍କୁ ପାଇଥିବାରୁ ଏହି ଦିବଶଟି ମଧ୍ୟ ସେବେଠାରୁ ବାଲିତୃତୀୟାରୂପେ ପାଳିତ ହୋଇଆସୁଅଛି । ଏଥିରୁ ନିଶ୍ଚିତ ହେଲା ଯେ ପାର୍ବତୀ ଶିବ ପୂଜାର ଫଳ ପାଇଲେ । ଅତଏବ ବିଶ୍ୱାସ ହେଲାଯେ ଶିବଙ୍କୁ ପୂଜାକଲେ ବାଞ୍ଛିତ ଫଳ ମିଳେ । ଏହି ବିଶ୍ୱାସରେ ଉଭୟ ଯୁବତୀ ଝିଅ ଏବଂ ବିବାହିତା ମହିଳାମାନେ ଭିନ୍ନ ଭିନ୍ନ ଉଦ୍ଦେଶ୍ୟରଖି ଶିବପୂଜା ସେବେଠୁ କରନ୍ତି ।
ଏହି ବ୍ରତରେ ବ୍ରତୀମାନେ ବ୍ରତଦିନ ନିର୍ଜଳ ଉପବାସ କରନ୍ତି । ଯେଉଁମାନେ ଭୋକ ବିକଳ ସହିନପାରନ୍ତି, ବିଶେଷକରି ଝିଅମାନେ ପୂର୍ବଦିନ ରାତି ପାହିଲା ପୂର୍ବରୁ ପାହାନ୍ତିଆକୁ ବକ୍ତେ ମାରି ନିଅନ୍ତି । ସେଦିନ ସକାଳୁ ସ୍ନାନସାରି ଶୁଚିମନ୍ତହୋଇ ସେମାନେ ସଂଧ୍ୟା ଯାଏ ଅପେକ୍ଷା କରନ୍ତି । ପୁନଶ୍ଚ ସଂଧ୍ୟାବେଳେ ହଳଦୀ ଓ ତେଲ ମାଖି ଗାଧୋଇ ନିମନ୍ତେ ନଦୀ ବା ଜଳାଶୟକୁ ଗମନ କରନ୍ତି । ଗାଧୋଇ ପାଧୋଇ ପାର୍ବତୀଙ୍କପରି ପାଣିତଳୁ ପାଣି ସରସର ଓଦାବାଲି ଆଣି ଶିବ ଗଢ଼ନ୍ତି । ଏଥୁଅନ୍ତେ ସେ ମୂର୍ତ୍ତିକୁ ଶିବଲାଗି ଫୁଲ ଯଥା ଅରଖ, କନିଅର,ଦୁଦୁରା ବା ଶମୀ ଫୁଲ ଦ୍ୱାରା ପୂଜାକରନ୍ତି । ଜଳାଶ୍ରୟ ପାଖେ ପୂଜାପରେ ସେମାନେ ସେଠୁ କିଛି ଓଦାବାଲି ଧରି ଘରକୁ ଫେରନ୍ତି ଏବଂ ଘରୁକ ଆଣିଥିବା ବାଲିରେ ଅନୁରୂପ ଶିବ ମୂର୍ତ୍ତିକରି ତାଙ୍କଠି ଖୀରୀ, ଖଇ, ଚୂଡାଘଷା ଇତ୍ୟାଦି ଭୋଗକରନ୍ତି; କିନ୍ତୁ ଭୋଗ ଖାଆନ୍ତି ନାହିଁ । ବିସ୍ୱାଶ ଯେ ସେଦିନ କିଛି ଖାଇଲେ କି ଜଳ ଛୁଇଁଲେ ପୂଜା ମାରାପଡ଼େ । ସେ ନର୍କକୁ ଯାଏ । ତାକୁ ମଧ୍ୟ ବୈଧବ୍ୟ ଯନ୍ତ୍ରଣା ଭୋଗିବାକୁ ହୁଏ । ଏଣୁ ଓଷାଦିନ ସକାଳଠାରୁ ତା’ପରଦିନ ସକାଳଯାଏ ଖାଦ୍ୟ ପାନୀୟ ସଂପୂର୍ଣ୍ଣ ନିଷେଧ ।
ବିଧବାମାନଙ୍କୁ ଏପୂଜା ମନା । ସହଜେ ବିଧବାମାନେ ଶିବପୂଜା ବା ଲିଙ୍ଗପୂଜା କରନ୍ତି ନାହିଁ । ଏହା ତାଙ୍କ ପାଇଁ ଏକ ଅପରାଧ ।
ବାଲିତୃତୀୟା ବ୍ରତଟି ବିଜ୍ଞାନ ଅସମ୍ମତ ନୁହେଁ । ଏଥିରେ ବ୍ୟବହୃତ ଗାଧୁଆକୁ ହଳଦୀ ଓ ତେଲ ଚର୍ମରୋଗ ନିବାରକ ଏବଂ ଉପାସ ସହଜରେ ସ୍ୱାସ୍ଥ୍ୟ ପ୍ରଦାୟକ । ଶରୀରକୁ ପରବର୍ତ୍ତୀ ସମୟପାଇଁ କାର୍ଯ୍ୟକ୍ଷମ କରିବାରେ ଉପବାସ କରିବା ଜରୁରୀ ଅଟେ । ଏଥିପାଇଁ ଧର୍ମ ଧାରଣାରେ ମାସକୁ ଦୁଇଥର ଏକାଦଶୀ ଉପବାସ ଅଛି । ଧର୍ମ-ବିଜ୍ଞାନ ରହିତ ନୁହେଁ

 

ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,

ବିକାଶ ନଗର, ଜଟଣୀ,

ଖୋର୍ଦ୍ଧା ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ