ଅଗ୍ନିକାଣ୍ଡରେ ୨ ଗାଈ ଜିବନ୍ତ ଦଗ୍ଧ, ୨ ଗୁରୁତର
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) : ନାଉଗାଁ ତହସିଲ ଅନ୍ତର୍ଗତ କୋରୁଅ ପଂଚାୟତର କୋରୁଅ ଗ୍ରାମରେ ରମେଶ ଭୋଇଙ୍କ ଗୁହାଳରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ଟି ଗାଈ ଜୀବନ୍ତ ଦଗ୍ଧ ହେବା ସହ ଗୋଟିଏ ଗାଈ ଓ ବାଛୁରୀ ଗୁରୁତର ହୋଇଥିବା ଜଣାଯାଇଛି । ଅଗ୍ନିକାଣ୍ଡ କିପରି ଘଟିଲା ତାହା ଜଣାପଡି ନଥିବା ବେଳେ ଉପରେ ଯାଇଥିବା ଏଲଟି କେବଲୁରୁ ନିଆଁ ଝୁଲ ଖସି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଖବର ପାଇ ନାଉଗାଁ ଅଗ୍ନିଶମ କେନ୍ଦ୍ରରୁ ଦମକଳ ଗାଡି ଆସି ପହଂଚିବା ପରେ ନିଆଁକୁ ଆୟତ କରିବା ବେଳକୁ ଗୁହାଳ ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା । ରମେଶ ଜଣେ ଦଳିତ ଶ୍ରେଣୀର ଲୋକ ହୋଇଥିବା ବେଳେ ଗାଈ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କର ଆର୍ଥୀକ ଅବସ୍ଥା ସ୍ୱଚ୍ଛଳ ନଥିବା ବେଳେ ଅଗ୍ନିକାଣ୍ଡ ଘଟି ଗାଈ ପୋଡି ହୋଇ ଯିବାରୁ ସେ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଘଟଣା ସ୍ଥଳକୁ ତହସିଲ କାର୍ଯ୍ୟାଳୟରୁ ରାଜସ୍ୱ ନିରୀକ୍ଷକ ସୁପରଭାଇଜର କାଳନ୍ଦୀ ବେହେରା ଓ ରାଜସ୍ୱ ନିରୀକ୍ଷକ ସୁରେନ୍ଦ୍ର ନାଥ ନାୟକ ଯାଇଥିବା ବେଳେ ନାଉଗାଁ ପଶୁ ଚିକିତ୍ସକ ଯାଇ ତଦନ୍ତ କରି ଫେରିଛନ୍ତି । ରମେଶଙ୍କୁ ଯଥା ଶୀଘ୍ର ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ଦାବି କରାଯାଇଛି ।