ଝାମୁଯାତ୍ରା ସାରି ମନ୍ଦିରକୁ ଫେରିଲେ ରୁଦ୍ର କାଳୀ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଉଦଯାପିତ ହୋଇଯାଇଛି ଭକ୍ତି ଏବଂ ବିଶ୍ୱାସର ଗଣପର୍ବ ଦଣ୍ଡଯାତ୍ରା, ଏହି ବ୍ଳକ୍ ର ପ୍ରାୟ ଅଠରଟି ଗ୍ରାମରେ ଦଣ୍ଡ ଯାତ୍ରା ରହିଥିବା ବେଳେ ସେଥିମଧ୍ୟରୁ ଆଜି ଷୋହଳଟି ଗ୍ରାମରେ ମାସନ୍ତ ମେରୁ ଉଦଯାପିତ ହୋଇ ରୁଦ୍ର ଏବଂ କାଳୀ ନିଜ ମନ୍ଦିରକୁ ଫେରିଥିବା ବେଳେ ମାନସିକ ଧାରୀ ଦଣ୍ଡଭୂକ୍ତାମାନେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି, ସୋମବାର ବେଲଗୁଣ୍ଠା ବ୍ଳକ୍ ର ସିଂହମର୍ଦ୍ଦନ, ପାଲକଷଣ୍ଢା, ବେଲଗୁଣ୍ଠା, ବେଲଗୁଣ୍ଠା ଖଦାଳ ସାହି,କୋକଲୁଣ୍ଡା, ଆମ୍ବପୁଆ, ତନରଡ଼ା, ଘୁ.ନୂଆଗାଁ, ବାଣତୁମ୍ବ, ଜିଲିବା, ବାଲିଭାଗ, ଗୋବରା, ଡେଙ୍ଗାପଦର, ବଡବୋର୍ସିଙ୍ଗ,ଦହିମୁଣ୍ଡଳୀ,କୁଶପଲ୍ଲୀ ଆଦି ଗ୍ରାମରେ ଝାମୁଯାତ୍ରା ଅନୁଷ୍ଠିତ କରଯାଇ ଦଣ୍ଡଯାତ୍ରା ଉଦଯାପିତ ହୋଇଛି I ଆଜି ରୀତିନୀତି ମୁତାବକ ପ୍ରାତଃ ସମୟରୁ ବିଭିନ୍ନ ଗ୍ରାମର ଦଣ୍ଡୁଆ ମାନେ ଠାକୁରଙ୍କୁ ଧରି ଦଣ୍ଡଯାତ୍ରା ଥିବା ଗ୍ରାମକୁ ଫେରିଥିଲେ I ସେଠାରେ ଠାକୁରଙ୍କର ଦୈନନ୍ଦିନ ପୂଜାବିଧି କରାଯିବା ସହିତ ମଧ୍ୟାହ୍ନରେ ଧୂଳିଦଣ୍ଡ ଅନୁଷ୍ଠିତ ହୋଇଥିଲା I ଅପରାହ୍ଣରେ ପାଣିଦଣ୍ଡ ଏବଂ ନଗର ଭ୍ରମଣ ସରିବା ପରେ ମେରୁ ମଣ୍ଡପକୁ ଠାକୁର ବିଜେ କରିଥିଲେ I ସେଠାରେ ହୋମ ଅନୁଷ୍ଠିତ ହେବା ସହିତ କାଳିସୀଙ୍କୁ ସ୍ନାନ କରାଯିବା ପରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା I ପ୍ରଥା ପରମ୍ପରା ଅନୁସାରେ କାଳିସୀଙ୍କ ନାକରୁ ତିନି ଟୋପା ରକ୍ତ ଅଗ୍ନି କୁଣ୍ଡରେ ପଡ଼ିବା ପର୍ଯ୍ଯନ୍ତ ତାଙ୍କୁ ଅଗ୍ନି କୁଣ୍ଡ ଉପରେ ମେରୁ ଖୁଣ୍ଟ ଉପରେ ଝୁଲା ଯାଇଥିଲା I ଏହାପରେ ଝାମୁ ଖୁଣ୍ଟରେ ବନ୍ଧା ଯାଇଥିବା ଖଜୂରୀ ଏବଂ ଆମ୍ବକୁ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଫିଙ୍ଗା ଯାଇଥିଲା I ପ୍ରବଳ ଖରା ସତ୍ତ୍ୱେ ଝାମୁଯାତ୍ରା ଦେଖିବା ପାଇଁ ମେରୁମଣ୍ଡପ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବକୁ ମିଳିଥିଲା I ହରିବୋଲ,ହୁଳହୁଳି,ଜୟ ରୁଦ୍ରକାଳୀ ଧ୍ୱନି ସହିତ ଢୋଲ,ମହୁରୀ,ଗିନି ଶବ୍ଦରେ ମେରୁ ମଣ୍ଡପ ଗୁଡ଼ିକ ପ୍ରକମ୍ପିତ ହୋଇଥିଲା I ବିଶେଷ କରି ଝାମୁଯାତ୍ରା ପରେ ପ୍ରସାଦ ରୂପେ ଫୋପଡା ଯାଉଥିବା ଖଜୂରୀ ଏବଂ ଆମ୍ବ ଗୋଟାଇବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା I ସନ୍ଧ୍ୟାରେ ଆଳତୀ ଅନୁଷ୍ଠିତ ହେବା ପରେ ରାତିରେ ଚଳିତ ଦଣ୍ଡ ଯାତ୍ରାର ଅନ୍ତିମ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ମଙ୍ଗଳବାର ମହା ବିଷୁବ ସଂକ୍ରାନ୍ତିରେ ବ୍ଳକ୍ ର ଅନ୍ୟ ଦୁଇ ଗ୍ରାମ ଜାଲଖାଇ ଏବଂ ଇନ୍ଦନପୁର ଗ୍ରାମରେ ଝାମୁଯାତ୍ରା ଅନୁଷ୍ଠିତ ହେବ I ଝାମୁଯାତ୍ରାକୁ ଶୃଙ୍ଖଳିତ କରିବା ନିମନ୍ତେ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ଏବଂ ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ମେରୁ ମଣ୍ଡପ ଏବଂ ସାଂସ୍କୃତିକ ମଞ୍ଚ ନିକଟରେ ପୋଲିସ୍ ବାହିନୀ ମୁତୟନ ରହିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ