ଈଶାଣୀ ବୈଶାଖୀ ମହୋତ୍ସବର ତୃତୀୟ ସନ୍ଧ୍ୟା
ବାଲେଶ୍ୱର, (ସରୋଜ ପଣ୍ଡା): ମହିଳାମାନଙ୍କର ବିକାଶ ଗାଁ, ଗଣ୍ଡା, ଜିଲ୍ଲା, ରାଜ୍ୟ ସର୍ବୋପରି ପବିତ୍ର ଆମ ଦେଶ ଭାରତ ପାଇଁ ଦୃଷ୍ଟାନ୍ତ ସୃଷ୍ଟିକାରୀ ହେବ ଏବଂ ପରିଶେଷରେ ଭାରତୀୟ ନାରୀ ବିଶ୍ୱ ମାନଚିତ୍ରରେ ଇତିହାସ ହିଁ ସୃଷ୍ଟି କରିବ। ବାଲେଶ୍ୱରର ଈଶାଣୀ, ଚାଉଳିଆବର ଏକ ଐତିହାସିକ ପବିତ୍ର ମାଟି। ମହାତ୍ମାଙ୍କ ମାଟି। ଲୁଣମରା ଆନ୍ଦୋଳନର ସଂଗ୍ରାମୀ ମାଟି। ଏଇଠି ସର୍ଦ୍ଦାର ସୁରେନ୍ଦ୍ର ଦାସ, ରବୀନ୍ଦ୍ର ମୋହନ ଦାସ ଓ ପୂର୍ଣ୍ଣଚନ୍ଦ୍ର ଜୀଙ୍କ ଭଳି ସ୍ୱାଧୀନତା ଆନ୍ଦୋଳନର ସଂଗ୍ରାମୀ ଭାବରେ ସ୍ତୁତି ପାଲଟି ଯାଇଥିବାବେଳେ ଏ ଅଂଚଳର ଉତ୍ତରାଧିକାରୀମାନେ ଈଶାଣୀର ଏହି ବିଶାଳ ବୈଶାଖୀ ମହୋତ୍ସବ ପାଳନ କରିଆସୁଥିବା ଯୁବକ ଯୁବତୀମାନେ ଏପରି ସତ୍କର୍ମରେ ନିଜକୁ ନିୟୋଜିତ କରି ସାଂପ୍ରତିକ ସମୟର ଆଦର୍ଶ ପାଲଟିଛନ୍ତି। ଏ ମାଟି ୧୧ ବର୍ଷର ବାଘାଯତୀନ୍ର ଉତ୍ସବ। ଏ ମାଟି ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହର ଇତିହାସ ବୋଲି ଉପସ୍ଥିତ ସହସ୍ରାଧିକ ମହିଳା ମା’ ଭଉଣୀମାନଙ୍କୁ ଉଦ୍ବୁଦ୍ଧ କରିଥିଲେ। ତୃତୀୟ ସନ୍ଧ୍ୟାର ଉଦ୍ଘାଟିକା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ବୈଶାଖୀ ମାସର କର୍ମ ପୁଣ୍ୟ, ବିଧିବିଧାନ ପୁଣ୍ୟ ଏବଂ ୫ ଦିନିଆ ସାର୍ବଜନୀନ ବୈଶାଖୀ ମହୋତ୍ସବରେ ଦୀର୍ଘ ୧୧ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ନାରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସନ୍ଧ୍ୟା ପାଳନ କରିଆସୁଥିବା କର୍ମକର୍ତ୍ତାମାନଙ୍କର ଏକ ପୁଣ୍ୟ କର୍ମ ବୋଲି କହିଥିଲେ। ମୁଖ୍ୟବକ୍ତା କବି-କଥାକାର-ସଂପାଦିକା ଶ୍ରୀମତୀ ସୈରିନ୍ଧ୍ରୀ ସାହୁ ନିଜର ଉଚ୍ଛ୍ୱାସ ପରିପ୍ରକାଶ କରିଥିଲାବେଳେ ଆମ୍ଭେ ଶାସ୍ତ୍ରୀୟ ମାନ୍ୟତାର ଅଧିକାରୀ ସତ୍ତ୍ୱେ ବି କିଭଳି ଅଦ୍ୟାବଧି ନିର୍ଯ୍ୟାତିତ ହେଇଆସିଛୁ – ସେଥିପାଇଁ ଆମ ସମାଜ କିଭଳି ସଂକଟରେ ଅଛି ଚେତାବନୀ ଦେଇ ଏହି ଚଳନ୍ତି ସମାଜକୁ ସମ୍ମାନ ଦେବାପାଇଁ ‘ଯୁଗଶ୍ରୀ ଯୁଗନାରୀ’ର ସଂପାଦିକା ଶ୍ରୀମତୀ ମମତା ମହାପାତ୍ର ପ୍ରତି ନାରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଏକରେ ଏକ ମିଶିଲେ ଏଗାର ଏବଂ ଏଗାରରେ ଏକ ମିଶିଲେ ଶହେ ଏଗାର ହେବାର ରାସ୍ତା ଫିଟୁଥିବାବେଳେ ଆସନ୍ତୁ ଆଖିକୁ କ୍ୟାମେରା କରି ସମସ୍ତେ ଭଲ ଶିକ୍ଷାର ସଂବାଦ ରୁଣ୍ଡାଇ ସମାଜ ବଦଳାଇବା ପାଇଁ କନକ ଟି.ଭି.ର ବାଲେଶ୍ୱର ପ୍ରତିନିଧି ଅତିଥିବକ୍ତା ସୁମନା ପରିଡ଼ା, ଗୀତାଞ୍ଜଳି ସିଂହ ପ୍ରମୁଖ ଆହ୍ୱାନ ଦେଇଥିଲେ।
‘ବୈଶାଖୀ’ ମୁଖପତ୍ରର ପ୍ରକାଶିକା ଶ୍ରୀମତୀ ବାସନ୍ତୀ ପାତ୍ର ଏପରି ବିରଳ ସନ୍ଧ୍ୟାରେ ସ୍ୱାଗତ ସମ୍ଭାଷଣ ରଖିଥିଲା ବେଳେ ସମଗ୍ର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପସଭାନେତ୍ରୀ ସାରିକା କର ପୌରୋହିତ୍ୟ କରିଥିଲେ। ସୁଶ୍ରୀ ଆମ୍ରପଲ୍ଲୀ ପ୍ରଧାନ ପରିଶେଷରେ ଶେଷକଥା ଦ୍ୱାରା ସଭାସାଂଗ କରିଥିଲେ। ଏହି ମହିଳା ସନ୍ଧ୍ୟାରେ ସୁଶ୍ରୀ ନିର୍ଲିପ୍ତା କର ଓ ସାଥୀମାନେ ମଂଚପରିଚାଳନା ଓ ଅତିଥିମାନଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ। ଶେଷରେ ବିଭିନ୍ନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାର ଫଳାଫଳ ଅନୁସାରେ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା।


