ଅଙ୍ଗନ୍ନବାଡ଼ି କର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ପାଇଁ ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନ୍ନବାଡ଼ି ୱାର୍କସ ଆସୋସିଏସନର ରାଜ୍ୟସ୍ତରୀୟ ସମ୍ମିଳନୀ ଭୁବନେଶ୍ୱର ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଭାରତୀୟ ମଜଦୁର ସଂଘର ଅଖିଳ ଭାରତୀୟ ସଭାପତି ଶ୍ରୀ ହିରଣ୍ମୟ ପାଣ୍ଡ୍ୟା ଯୋଗଦାନ କରି ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ । କରୋନା ମହାମାରୀ ସମୟରେ ଦେଶର ବିକାଶ କ୍ଷେତ୍ରରେ ଅଙ୍ଗନ୍ନବାଡ଼ି କର୍ମଚାରୀମାନଙ୍କ କର୍ତ୍ତବ୍ୟକୁ ପ୍ରଶଂସା କରିଥିଲେ । ସେମାନଙ୍କର ଚାକିରୀରର ସ୍ଥାୟିତ୍ୱ, ସାମାଜିକ ସୁରକ୍ଷା, କେନ୍ଦ୍ର ଓ ରାଜ୍ୟ ସରକାର ଯୋଗାଇ ଦେବାପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ । ଅନ୍ୟତମ ଅତିଥି ରୂପେ ଭାରତୀୟ ମଜଦୁର ସଂଘର କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ ଗଣେଶ ପ୍ରସାଦ ମିଶ୍ର, ଭାରତୀୟ ମଜଦୁର ସଂଘ ରାଜ୍ୟ ସଭାପତି ଶ୍ରୀ ପୃଥ୍ୱୀରାଜ ପଣ୍ଡା, ସାଧାରଣ ସମ୍ପାଦକ ବିନୟ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ । ସଂଘର ସଭାନେତ୍ରୀ କୁମାରୀ ସୌଦାମିନୀ ଦାସ ସମ୍ମିଳନୀରେ ଅଧ୍ୟକ୍ଷତା କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ସୁୁମିତା ମହାପାତ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ସମ୍ମିଳନୀରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହିତ ହୋଇଥିଲା । ପ୍ରସ୍ତାବଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଅଙ୍ଗନ୍ନବାଡ଼ି କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା କରିବା, ଦୁଇବର୍ଷ ତଳେ କେନ୍ଦ୍ର ସରକାର ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ଦ୍ୱାରା ଦୁର୍ଘଟଣାଜନିତ ମୃତ୍ୟୁ ହେଲେ ୪ ଲକ୍ଷ ଓ ସାଧାରଣ ମୃତ୍ୟୁରେ ୨ ଲକ୍ଷ ଟଙ୍କା ପ୍ରଦାନ କରିବା ତାହା ରାଜ୍ୟରେ କାର୍ଯ୍ୟକାରୀ କରାଯାଉ, କେନ୍ଦ୍ର ସରକାର ଘୋଷଣା କରିଥିବା ଆୟୁଷ୍ମାନ ଭାରତ ଯୋଜନାରେ ସ୍ୱାସ୍ଥ୍ୟ ଚିକିତ୍ସା ସମ୍ବନ୍ଧୀୟ ୫ ଲକ୍ଷ ଟଙ୍କା ସମସ୍ତ ଅଙ୍ଗନ୍ନବାଡ଼ି କର୍ମଚାରୀଙ୍କ ପାଇଁ କାର୍ଯ୍ୟକାରୀ କରାଯାଉ, ଅଙ୍ଗନ୍ନବାଡ଼ି କର୍ମଚାରୀମାନଙ୍କ ପାଇଁ ପେନସନ ଯୋଜନାର ବୟସସୀମା ୪୦ ବର୍ଷ ପରିବର୍ତ୍ତେ ୬୦ ବର୍ଷକୁ ବୃଦ୍ଧି କରାଯାଉ, ରାଜ୍ୟ ସରକାର ଅଙ୍ଗନ୍ନବାଡ଼ି କର୍ମଚାରୀମାନଙ୍କ ପାଇଁ ଘୋଷଣା କରିଥିବା ଅବସର ବୟସସୀମା ୬୨ବର୍ଷକୁ କଡ଼ାକଡ଼ି ଭାବରେ ଲାଗୁ କରାଯାଉ, ଅନ୍ୟ ରାଜ୍ୟ ପରି ଅଙ୍ଗନ୍ନବାଡ଼ି କର୍ମଚାରୀମାନଙ୍କୁ ବେତନ ବୃଦ୍ଧି କରାଯାଉ, ମିନି ଅଙ୍ଗନ୍ନବାଡ଼ି କର୍ମୀମାନଙ୍କୁ ଅଙ୍ଗନ୍ନବାଡ଼ି କର୍ମୀର ମାନ୍ୟତା ଦେବା ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ, ଯେଉଁର୍ ଅଙ୍ଗନ୍ନବାଡ଼ି କର୍ମଚାରୀମାନେ ଅବସର ଗ୍ରହଣ କରିଛନ୍ତି ସେମାନଙ୍କୁ ଏକକାଳୀନ ୫ ଲକ୍ଷ ଟଙ୍କା ସହିତ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଉ । ଆଗାମୀ ଦିନରେ ରାଜ୍ୟ, କେନ୍ଦ୍ର ସରକାର ଦାବିଗୁଡ଼ିକ ପୂରଣ ନକରିଲେ ବ୍ଲକ, ଜିଲ୍ଲା, ରାଜ୍ୟ ଓ କେନ୍ଦ୍ରସ୍ତରରେ ଆନ୍ଦୋଳନ କରାଯିବା ପାଇଁ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ